ବନ୍ତଳା ବନାଞ୍ଚଳରେ ଶିକାରୀ ସକ୍ରିୟ, ବିଦ୍ୟୁତ ଆଘାତରେ ଦନ୍ତାର ମୃତ୍ୟୁ

ବନ୍ତଳା: ଅନୁଗୁଳ ବ୍ଲକ ବନ୍ତଳା ବନାଞ୍ଚଳରେ ଆଜି ଏକ ଦନ୍ତାହାତୀର ମୃତଦେହ ଠାବ ହୋଇଛି । ତେବେ ବିଦ୍ୟୁତ ଆଘାତରେ ହାତୀର ଜୀବନ ଯାଇଥିବା ଜଣାପଡିଛି। ପ୍ରାପ୍ତ ସୂଚନା ଅନୁଯାୟୀ ବନ୍ତଳା ବନାଞ୍ଚଳ ତଳଗଡ଼ ଗ୍ରାମ ନିକଟରେ ଥିବା ଜଙ୍ଗଲ ମଧ୍ୟରେ ଏକ ଦନ୍ତାହାତୀର ମୃତଦେହ ଆଜି ସକାଳେ ପଡିଥିବା ସ୍ଥାନୀୟ ଲୋକମାନେ ଦେଖିଥିଲେ। ତେବେ ହାତୀଟି ବିଦ୍ୟୁତ ଆଘାତରେ ପ୍ରାଣ ହରାଇଥିବା ଖବର ପାଇ ବନ ବିଭାଗର କର୍ମଚାରୀ ମାନେ ଘଟଣାସ୍ଥଳରେ ପହଂଚିଥିଲେ। ବିଭାଗୀୟ କର୍ମଚାରୀ ମାନେ ତଦନ୍ତ ଆରମ୍ଭ କରିବା ସହ ଏଥିରେ ସମ୍ପୃକ୍ତ ଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲେ ।

ବନ ବିଭାଗର କର୍ମଚାରୀ ମାନେ ରାତିରେ ପେଟ୍ରୋଲିଂ କରୁନଥିବାରୁ ଶିକାରୀ ମାନେ ବିଦ୍ୟୁତ ତାର ବିଛାଇ ଜନ୍ତୁ ଶିକାର କରୁଥିବା ଅଭିଯୋଗ ହେଉଛି। ତେବେ ଦନ୍ତାହାତୀର ମୃତଦେହ ସେଠାରେ ପଡିଥିବା ବେଳେ ବନ୍ୟପ୍ରାଣୀ ଡାକ୍ତର ସେଠାରେ ପହଂଚି ହାତୀର ଶବ ବ୍ୟବଚ୍ଛେଦ କରିବେ ବୋଲି ଜଣାପଡିଛି।

ସୂଚନାଯୋଗ୍ୟ, ବନ୍ତଳା ଅଂଚଳରେ ବନ୍ୟପ୍ରାଣୀମାନଙ୍କୁ ଶିକାର କରିବା ପାଇଁ ଶିକାରୀମାନେ ସକ୍ରିୟ ରହୁଛନ୍ତି । ବନ ବିଭାଗର କର୍ମଚାରୀମାନେ ନିଜ କର୍ତ୍ତବ୍ୟରେ ଅବହେଳା ପ୍ରଦର୍ଶନ କରୁଥିବାରୁ ଶିକାରୀମାନଙ୍କୁ ଭଲ ସୁଯୋଗ ମିଳୁଛି । ଶିକାରୀମାନେ ଜଙ୍ଗଲରେ ବିଦ୍ୟୁତ ତାର ଲଗାଇ ବନ୍ୟଜନ୍ତୁମାନଙ୍କୁ ଶିକାର କରୁଛନ୍ତି, ଯେଉଁଥିରେ କି ହାତୀମାନେ ମଧ୍ୟ ପ୍ରାଣ ହାରୁଛନ୍ତି ।

ସମ୍ବନ୍ଧିତ ଖବର