ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ଏହାର ଡିଜିଟାଲ୍ ମୁଦ୍ରାର ପରୀକ୍ଷଣ ଡିସେମ୍ବର ସୁଦ୍ଧା ଆରମ୍ଭ କରିବ ବୋଲି ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଡିଜିଟାଲ୍ ମୁଦ୍ରାକୁ ନେଇ ଆମେ ଅତ୍ୟନ୍ତ ଯତ୍ନବାନ ରହିଛୁ କାରଣ ଏହା ଆମ କେବଳ ଆମ ପାଇଁ ନୁହେଁ ବରଂ ସାରା ବିଶ୍ବ ପାଇଁ ନୂଆ। ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଆମେ ଏହାର ପରୀକ୍ଷଣ କରିବା ଭଳି ସ୍ଥିତିରେ ପହଞ୍ଚିଯିବୁ ବୋଲି ସେ ଆଶା ପ୍ରକଟ କରିଛନ୍ତି।
ସେ କହିଛନ୍ତି ଯେ ଡିଜିଟାଲ୍ ମୁଦ୍ରାର ପ୍ରତିଟି ଦିଗ ବିଷୟରେ ରିଜର୍ଭ ବ୍ୟାଙ୍କ ବିଚାର କରୁଛି। ଏହାର ନିରାପତ୍ତା, ଆର୍ଥିକ କ୍ଷେତ୍ର ଉପରେ ପ୍ରଭାବ, ମୁଦ୍ରାନୀତି ଓ ପ୍ରଚଳନରେ ଥିବା ମୁଦ୍ରା ଉପରେ ପ୍ରଭାବ ଆଦିକୁ ଅନୁଶୀଳନ କରାଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ସାରା ବିଶ୍ବରେ ବିଟ୍କଏନ୍ ଭଳି ଡିଜିଟାଲ୍ ମୁଦ୍ରା ବା କ୍ରିପ୍ଟୋକରେନ୍ସିର ପ୍ରଚଳନ ବଢ଼ିଥିବାରୁ ତାହାର ବିକଳ୍ପ ଭାବେ କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ୍ ମୁଦ୍ରା (ସିବିଡିସି)ର ପରିକଳ୍ପନା କରାଯାଇଛି। ଏହି ମୁଦ୍ରାକୁ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଜାରି କରିବେ। ତାହା ଏକ ଡିଜିଟାଲ୍ ବା ଭର୍ଚୁଆଲ୍ ମୁଦ୍ରା ହେବ ଯାହାକୁ ଇଲେକ୍ଟ୍ରୋନିକ୍ ମାଧ୍ୟମରେ ନେଣଦେଣ କରିହେବ। କାଗଜ ନୋଟ୍ ଭଳି ଏହାର କୌଣସି ଆକାର କିମ୍ବା ଆକୃତି ରହିବ ନାହିଁ। କିନ୍ତୁ ବିଟ୍କଏନ୍ ଆଦି ଉପରେ କୌଣସି ଦେଶର ନିୟନ୍ତ୍ରଣ ନଥିବା ବେଳେ କେନ୍ଦ୍ରୀୟ ବ୍ୟାଙ୍କ ଜାରି କରୁଥିବା ଡିଜିଟାଲ୍ ମୁଦ୍ରାକୁ ନିୟନ୍ତ୍ରଣରେ ରଖିହେବ। ଏହା ଜରିଆରେ କାରବାର କରିବାରେ କୌଣସି ଅସୁବିଧା ବା ବିପଦ ନାହିଁ ବୋଲି ଲୋକମାନେ ଜାଣିବା ପରେ ଆଶ୍ବସ୍ତ ହୋଇପାରିବେ। ଦେଶର ଆର୍ଥିକ ସ୍ଥିତି ବିଷୟରେ ଆଲୋଚନା କରି ଶକ୍ତିକାନ୍ତ କହିଛନ୍ତି ଯେ ରିଜର୍ଭ ବ୍ୟାଙ୍କ ଏହାର ନିଷ୍ପତ୍ତିରେ ଚକିତ କରିବା ଭଳି ହଠାତ୍ କୌଣସି ପ୍ରକାର ପରିବର୍ତ୍ତନ କରିବ ନାହିଁ। ଆମେ ସ୍ଥିତି ଉପରେ ନଜର ରଖିଛୁ ବୋଲି ସେ କହିଛନ୍ତି।
କ୍ରିପ୍ଟୋକରେନ୍ସିର ଭବିଷ୍ୟତ ଅଛି: ରାଜନ
ନୂଆଦିଲ୍ଲୀ: କ୍ରିପ୍ଟୋକରେନ୍ସି ବା ଡିଜିଟାଲ୍ ମୁଦ୍ରାର ମୂଲ୍ୟ ଅସ୍ଥିର ରହୁଥିଲେ ମଧ୍ୟ ତାହାର ଏକ ସମ୍ଭାବ୍ୟ ଭବିଷ୍ୟତ ରହିଛି ବୋଲି ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ କହିଛନ୍ତି। ସେ କହିଛନ୍ତି ଯେ ଷ୍ଟେବଲ୍କଏନ୍ ଭଳି ମୁଦ୍ରାକୁ ନିୟନ୍ତ୍ରଣରେ ରଖିହେବ। ଷ୍ଟେବଲ୍କଏନ୍ କଏନ୍ ହେଉଛି ଏକ ଡିଜିଟାଲ୍ ମୁଦ୍ରା ଯାହାକୁ ଦେଶର ସମ୍ପତ୍ତି ଯଥା ମୁଦ୍ରା କିମ୍ବା ସୁନା ଆଦି ସହ ଯୋଡ଼ାଯାଇଥାଏ।