ପରମହଂସ ଯୋଗାନନ୍ଦ ଆମ ଦେଶର ବିଖ୍ୟାତ ସାଧୁ, ଯୋଗୀ ଓ ଗୁରୁ। ଜାନୁଆରୀ ୫ ତାରିଖ (୧୮୯୩) ତାଙ୍କର ଜନ୍ମଦିନ। ‘ଯୋଗୀର ଆତ୍ମଚରିତ’ ଓଡ଼ିଆରେ ଅନୂଦିତ ତାଙ୍କର ବିଖ୍ୟାତ ଆତ୍ମଜୀବନୀ। ମୂଳ ପୁସ୍ତକଟି ସାରା ପୃଥିବୀର ୧୦୦ଟି ଶ୍ରେଷ୍ଠ ଆଧ୍ୟାତ୍ମିକ ଗ୍ରନ୍ଥ ମଧ୍ୟରୁ ଗୋଟିଏ।
ଏହି ଆତ୍ମଜୀବନୀରେ ଯୋଗାନନ୍ଦଙ୍କର ପିଲାଦିନର ଗୋଟିଏ ସୁନ୍ଦର ପ୍ରସଙ୍ଗ ରହିଛି। ତାଙ୍କର ବାପା ଓ ମାଆ ଉଭୟ ଥିଲେ ଋଷିପ୍ରତିମ। ଉଭୟ ଥିଲେ ଦୟାଳୁ। ବାପା ନିଜର ବଦାନ୍ୟତାକୁ ଆୟ-ବ୍ୟୟର ଅଟକଳ ମଧ୍ୟରେ ସୀମିତ ରଖୁଥିଲେ; କିନ୍ତୁ ଦୀନ ଦୁଃଖୀଙ୍କ ପାଇଁ ତାଙ୍କର ମାଆ ଥିଲେ ମୁକ୍ତହସ୍ତା। ବାପା ଚାହୁଁଥିଲେ, ମାଆ ନିଜର ଦାନ ଖଇରାତକୁ ଏକ ଯୁକ୍ତିଯୁକ୍ତ ସୀମା ଭିତରେ ରଖନ୍ତୁ।
Sambad is now on WhatsApp
Join and get latest news updates delivered to you via WhatsApp
ଦିନେ ଜଣେ ହତଭାଗିନୀ ନାରୀ ଆସି ତାଙ୍କ ଦୁଆରେ ପହଞ୍ଚିଲେ। ତାଙ୍କର ମାଆ ହସିହସି ଯାଇ ତାଙ୍କ ବାପାଙ୍କୁ କହିଲେ- ଦୟାକରି ତା’ପାଇଁ ମୋତେ ଦଶ ଟଙ୍କା ଦିଅ! କିନ୍ତୁ ବାପା କହିଲେ- ଦଶଟଙ୍କା କାହିଁକି? ଟଙ୍କାଟିଏ ତ ଯଥେଷ୍ଟ ହେବ!
ତାହା କହିବା ପଛରେ ତାଙ୍କ ବାପାଙ୍କର ପିଲାଦିନର ଗୋଟିଏ ଘଟଣାର ସ୍ମୃତି ଥିଲା। ତାଙ୍କର ବାପା ଛୋଟ ଥିବାବେଳେ, ତାଙ୍କର ଜେଜେବାପା ଓ ଜେଜେମା’ ହଠାତ୍ ମରିଗଲେ। ଫଳରେ, ଦାରିଦ୍ରୢର ପ୍ରଥମ ଅଭିଜ୍ଞତା ତାଙ୍କର ହୋଇଥିଲା। ମାଇଲ ମାଇଲ୍ ପାଦରେ ଚାଲିଚାଲି ସେ ସ୍କୁଲ୍କୁ ଯାଉଥିଲେ। ପ୍ରାତଃଭୋଜନ ପାଇଁ ଛୋଟ କଦଳୀଟିଏ ଛଡ଼ା ଆଉ କିଛି ମିଳୁନଥିଲା। ପରେ ବିଶ୍ୱବିଦ୍ୟାଳୟରେ ପଢ଼ିବାବେଳେ, ଜଣେ ଧନୀ ବିଚାରପତିଙ୍କୁ ମାସକୁ ଟଙ୍କାଟିଏ କରି ଦେବାପାଇଁ ସେ ସାହାଯ୍ୟ ପ୍ରାର୍ଥନା କରିଥିଲେ। କିନ୍ତୁ ସେ ମନା କରିଦେଇଥିଲେ। କହିଥିଲେ- ଗୋଟିଏ ଟଙ୍କା ବି ମୂଲ୍ୟବାନ।
ତେଣୁ ଯୋଗାନନ୍ଦଙ୍କ ବାପା, ତାଙ୍କ ମାଆକୁ ସେ କଥା ସୂଚାଇ ଦେଲେ। କିନ୍ତୁ ତାହା ଶୁଣି, ତାଙ୍କର ମାଆ କହିଥିଲେ- କେବେ ଦିନେ ଟଙ୍କାଟିଏ ଦେବାକୁ ସେଇ ଧନୀ ବିଚାରପତି ମନାକରିଦେଇଥିଲେ ବୋଲି, ସେ କଥାଟିକୁ ତୁମେ କେତେ ତିକ୍ତ ଭାବରେ ମନେରଖିଛ! ତୁମେ କ’ଣ ଚାହୁଁଛ ଯେ ଏ ସ୍ତ୍ରୀ ଲୋକଟି ବି ତାର ଜରୁରୀ ଦରକାର ଥିବା ଦଶଟଙ୍କା ନପାଇ, ଏ ଘଟଣାଟିକୁ ସବୁବେଳେ ଦୁଃଖରେ ମନେ ରଖିଥାଉ?
ଯୋଗାନନ୍ଦଙ୍କର ମାଆ ଏକଥା କହିବା ପରେ, ତାଙ୍କର ବାପା ପରାଜିତ ସ୍ୱାମୀମାନଙ୍କ ପରି ଚିରାଚରିତ ଭଙ୍ଗୀରେ କହିଥିଲେ- ତୁମେ ଜିତିଲ। ତା’ପରେ ଦଶଟଙ୍କିଆ ନୋଟ୍ଟିଏ ତାଙ୍କ ହାତକୁ ବଢ଼ାଇ ଦେଇ କହିଥିଲେ- ନିଅ, ମୋର ଶୁଭେଚ୍ଛା ସହ ଏଇ ନୋଟ୍ ଖଣ୍ଡିକ ତାଙ୍କୁ ଦେଇଦିଅ!