ଜଙ୍ଗଲ ନିଆଁ ରୋକିବାକୁ କାର୍ଯ୍ୟ କରିବ ୨୪ ଘଣ୍ଟିଆ ସ୍କ୍ବାଡ୍

ବାରିପଦା: ଜୈବ ମଣ୍ତଳ ଶିମିଳିପାଳ ଓ ଆଖପାଖ ସଂରକ୍ଷିତ ଜଙ୍ଗଲକୁ ବନାଗ୍ନିରୁ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏଥି ନିମନ୍ତେ ବିଭାଗ ପକ୍ଷରୁ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବାରିପଦା ବନଖଣ୍ତ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ବନ୍ୟପ୍ରାଣୀ ସଂରକ୍ଷକ, ବନ ସୁରକ୍ଷା ସମିତି ଓ ପ୍ରଶାସନିକ ଅଧିକାରୀଙ୍କୁ ନେଇ ବିଭିନ୍ନ ଆଲୋଚନା ହୋଇଛି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ଏମ୍‌. ଜଗଜୟାନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶିମିଳିପାଳ ସହକାରୀ ନିର୍ଦ୍ଦେଶକ (ଉତ୍ତର) ସାଇ କିରଣ ଓ (ଦକ୍ଷିଣ) ସମ୍ରାଟ ଗୌଡା, ବାରିପଦା ବନଖଣ୍ତ ଅଧିକାରୀ ସନ୍ତୋଷ ଯୋଶୀ, ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ନଳୀନୀକାନ୍ତ ବେହେରା ଓ  କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାଏକ ପ୍ରମୁଖ ଉପସ୍ଥିତ ରହି ଶିମିଳିପାଳକୁ ବନାଗ୍ନିରୁ ରକ୍ଷା ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ବନାଗ୍ନିକୁ ରୋକିବା ପାଇଁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯିବ।

ଗ୍ରୀଷ୍ମଦିନ ଶେଷ ପର୍ଯ୍ୟନ୍ତ ୨୪ ଘଣ୍ଟିଆ ସ୍କ୍ବାର୍ଡ ପଇଁତରା ମାରିବ। ନିଆଁ ଲଗାଉଥିବା ବ୍ୟକ୍ତିଙ୍କ ଉପରେ କଡ଼ା ନଜର ରହିବ। ଯଦି କେହି ନିଆଁ ଲଗାଇବା ସମୟରେ ଧରା ପଡ଼ନ୍ତି ସେମାନଙ୍କୁ ଜେଲ ପଠାଯିବ। ସେହିପରି ବନସୁରକ୍ଷା ସମିତି ଓ ସ୍ଥାନୀୟ ଲୋକଙ୍କ ସହିତ ବନବିଭାଗର ସମନ୍ବୟ ରଖି ଜଙ୍ଗଲ ନିଆଁକୁ ଆୟତ କରିବ। ଫାୟାର ଲାଇନକୁ ସଫା କରାଯିବ। ଦମକଳ ବାହିନୀ ଓ ବିଭାଗୀୟ କର୍ମଚାରୀମାନେ ସଜାଗ ରହି ଜଙ୍ଗଲ ନିଆଁ ରୋକିବେ ବୋଲି ନିଷ୍ପତ୍ତି ହୋଇଥିଲା।

ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ, ଜଙ୍ଗଲ ସୁରକ୍ଷା ପାଇଁ ୨୪ଘଣ୍ଟିଆ ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରାଯାଇଛି ଓ ବେଳେ ଡଗ୍ ସ୍କ୍ବାର୍ଡ ମାଧ୍ୟମରେ ଶିକାରୀଙ୍କୁ ରୋକାଯାଉଛି। ସେହିପରି ବନ୍ୟଜନ୍ତୁ ଶିକାର କରୁଥିବା ଅପରାଧୀଙ୍କ ପାଇଁ ସ୍ବତନ୍ତ୍ର କୋର୍ଟର ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଗୃହୀତ ହୋଇଛି। ମାମଲାକୁ ପରିଚାଳନା କରୁଥିବା ଅଧିକାରୀମାନେ ସଠିକ ଭାବେ ତଦନ୍ତ କରି ରିପୋର୍ଟ ଉପସ୍ଥାନ କଲେ ଶିକାରୀମାନଙ୍କୁ ଉଚିତ ଦଣ୍ତ ମିଳିବ ବୋଲି କୁହାଯାଇଛି। ସେହିପରି ଗଛକଟା ରୋକିବା ପାଇଁ ଜିଲ୍ଲାର ମୁଖ୍ୟ ସଡ଼କ ପାର୍ଶ୍ବରେ ଥିବା ଜଙ୍ଗଲ ସଂଲଗ୍ନ ଢାବାଗୁଡିକରେ ଚଢଉ କରି ଜାଳେଣୀ କାଠକୁ ଜବତ କରିବା ସହ ରନ୍ଧନ ଗ୍ୟାସ ବ୍ୟବହାର ବାଧ୍ୟତାମୂଳକ କରିବାକୁ ନିଷ୍ପତ୍ତି ହୋଇଛି।

ଅନ୍ୟ ପକ୍ଷରେ ବିଭାଗୀୟ ଫାଙ୍କା ପଦବୀ ଗୁଡିକ ପୂରଣ, ସଂଘବଦ୍ଧ ଭାବେ କାର୍ଯ୍ୟକରିବା, ଜିଲ୍ଲାବାସୀଙ୍କ ସହଯୋଗ ଓ ବ୍ୟାପକ ଜନସଚେତନତା ସୃଷ୍ଟି କରାଗଲେ ବନ୍ୟଜନ୍ତୁଙ୍କୁ ସୁରକ୍ଷା ଯୋଗାଇ ଦେବା ସହ ଜଙ୍ଗଲକୁ ସୁରକ୍ଷା ଦିଆଯାଇ ପାରିବ ବୋଲି ବୈଠକରେ ମତପ୍ରକାଶ ପାଇଥିଲା। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜକୁମାରୀ ଅକ୍ଷିତା ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ, ପ୍ରାକ୍ତନ ଅବୈତନିକ ବନ୍ୟପ୍ରାଣୀ ସଂରକ୍ଷକ ଭାନୁମିତ୍ର ଆଚାର୍ଯ୍ୟ, ସଂଯୁକ୍ତା ବସା, ଅବୈତନିକ ବନ୍ୟପ୍ରାଣୀ ସଂରକ୍ଷକ ବିବେକାନନ୍ଦ ପଟ୍ଟନାୟକ, ପ୍ରଦୀପ୍ତ କବି, ଅକ୍ଷୟ କୁମାର ମହାନ୍ତି, ଏସିଏଫ୍ ନିକେଶ କୁମାର ମହାପାତ୍ର, ଫାଲଗୁନୀ ବେହେରା, ଦିଲ୍ଲୀପ କୁମାର ବାରିକ, ରବିନାରାୟଣ ମହାନ୍ତି, ବନସୁରକ୍ଷା କମିଟିର ରାଜ୍ୟ ସଦସ୍ୟ ଗୋପିନାଥ ସିଂ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର