ବର୍ଷ ଶେଷ ସୁଦ୍ଧା ଯୁଦ୍ଧ ହାରିବ ରୁଷ: ୟୁକ୍ରେନ

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧକୁ ୭୯ ଦିନ ବିତିଗଲାଣି। ହେଲେ ଏବେ ବି ୟୁକ୍ରେନ ସହର ଉପରେ ଆକ୍ରମଣ ଜାରି ରଖିଛି ରୁଷ। କିଛି ଦିନ ତଳେ ରୁଷ ବିଜୟ ଦିବସ ପାଳନ କରିଥିବା ବେଳେ ୟୁକ୍ରେନର ଗୁଇନ୍ଦା ଏଜେନ୍ସିର ମୁଖ୍ୟ ଏବେ ଏକ ବଡ଼ ଦାବି କରିଛନ୍ତି। ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଉଚିତ୍ ଜବାବ ଦେବାର କାର୍ଯ୍ୟ ଚାଲିଛି ଏବଂ ଚଳିତ ବର୍ଷ ଶେଷ ସୁଦ୍ଧା ରୁଷକୁ ଯୁଦ୍ଧରେ ୟୁକ୍ରେନ ସେନା ହରାଇବ ବୋଲି ଗୁଇନ୍ଦା ଏଜେନ୍ସିର ମୁଖ୍ୟ କହିଛନ୍ତି । ମେଜର ଜେନେରାଲ କିରିଲୋ ବୁଡାନୋବ କହିଛନ୍ତି ଯେ ଅଗଷ୍ଟରେ ଏହି ଯୁଦ୍ଧରେ ଏକ ନୂଆ ମୋଡ଼ ଆସିବ।

ଖବର ଅନୁଯାୟୀ ପୁଟିନଙ୍କର ରକ୍ତ କର୍କଟ ହୋଇଛି। ଏ ସମ୍ପର୍କରେ ମେଜର ଜେନେରାଲ କିରିଲୋ ବୁଡାନୋବ କହିଛନ୍ତି ଯେ, ଏହି ଯୁଦ୍ଧ ଚଳିତ ବର୍ଷ ଶେଷ ସୁଦ୍ଧା ସମାପ୍ତ ହେବ। ଏହା ପରେ ରୁଷରେ ଶକ୍ତି ପରିବର୍ତ୍ତନ ହେବ। ଏନେଇ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି।

ଏହା ପୂର୍ବରୁ ଆମେରିକା ଗୁଇନ୍ଦା ବିଭାଗ ଚେତାବନୀ ଦେଇ କହିଥିଲା ଯେ, ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ୍‌‌ରେ ଏକ ଲମ୍ବା ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛନ୍ତି। ଆମେରିକା ଜାତୀୟ ଗୁଇନ୍ଦା ସଂସ୍ଥାର ନିର୍ଦ୍ଦେଶକ ଆଭରିଲ୍‌ ହେନ୍‌ସ କହିଥିଲେ, ପୁଟିନ ବାସ୍ତବରେ ରଖିଥିବା ଲକ୍ଷ୍ୟ ଏବଂ ବର୍ତ୍ତମାନର ଅପରେସନ ମଧ୍ୟରେ ତାଳମେଳ ରହୁନାହିଁ। ପୁଟିନ ଏବେ ଲମ୍ବା ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛନ୍ତି। ତେବେ ଦୁଇ ଦେଶ ଏବେ ବିଜୟୀ ହେବା ପାଇଁ ଉଦ୍ୟମ ଆରମ୍ଭ କରିଥିବା ବେଳେ ଶେଷରେ କିଏ ବିଜୟୀ ହେବ ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର