ରାଇସିନା ପାଇଁ ଦୌଡ଼: ଏଥର ଜଣେ ସାଂସଦଙ୍କ ଭୋଟ୍‌ ମୂଲ୍ୟ ୭୦୦

ନୂଆଦିଲ୍ଲୀ: ଜୁଲାଇ ୨୫ରେ ଭାରତରେ ଜଣେ ନୂଆ ରାଷ୍ଟ୍ରପତି ପଦାସୀନ ହେବେ ଏବଂ ଗତକାଲି ଏ ନେଇ ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ ପାଇଛି। ବୁଧବ‌ାର ନାମାଙ୍କନପତ୍ର ଦାଖଲଠାରୁ ପ୍ରକ୍ରିୟାମାନ ଆରମ୍ଭ ହୋଇଯାଇଛି। ଜୁନ୍ ୧୫ରୁ ୨୯ ଯାଏ ହେବ ନାମାଙ୍କନ ପତ୍ର ଦାଖଲ ହେବ ଏବଂ ଜୁଲାଇ ୧୮ରେ ଭୋଟ ଗ୍ରହଣ ହେବ। ଜୁଲାଇ ୨୧ରେ ଆବଶ୍ୟକସ୍ଥଳେ ଭୋଟ୍‌ ଗଣତି ହେବ। ବିଜେପି ବୁଧବାର ବିରୋଧୀ ଦଳଗୁଡ଼ିକ ସହ ଜଣେ ସର୍ବସମ୍ମତ ପ୍ରାର୍ଥୀ ଦେବା ଲାଗି କଥାବାର୍ତ୍ତା ଆରମ୍ଭ କରିଛି। କିନ୍ତୁ କାହାକୁ ପ୍ରାର୍ଥୀ କରାଯିବ ତାହା ଏଯାଏ ଘୋଷଣା କରିନାହିଁ। ଅନ୍ୟ ପକ୍ଷରେ ବିରୋଧୀ ଦଳ ମଧ୍ୟ ପ୍ରାର୍ଥୀ ଦେବାକୁ ପ୍ରୟାସ ଜାରି ରଖିଛନ୍ତି। କିନ୍ତୁ ବିଜେପି ପ୍ରାର୍ଥୀ ବିରୋଧରେ କାହାକୁ ଠିଆ କରିବେ ଏମିତି ଜଣେ ମୁହଁ ଖୋଜି ପାଇପାରୁ ନାହାନ୍ତି। ବିଜେପି ଯେଉଁମାନଙ୍କୁ ପ୍ରାର୍ଥୀ କରିପାରେ ବୋଲି ଅନୁମାନ କରାଯାଉଛି ସେମାନଙ୍କ ଭିତରେ ଚର୍ଚ୍ଚାରେ ଅଛନ୍ତି ଦ୍ରୌପଦୀ ମୁର୍ମୁ, ଭେଙ୍କୟା ନାଇଡ଼ୁ ଓ ଅରିଫ ମହମ୍ମଦ ଖାନ୍। ଏବେ ଶାସକ ଏନ୍‌ଡିଏ ହାତରେ ଅଛନ୍ତି ୪୪୦ ଏମ୍‌ପି। ଅନ୍ୟପକ୍ଷରେ ତୃଣମୂଳ କଂଗ୍ରେସର ୩୬ ଏମ୍‌ପି ଛଡ଼ା ଉପା ହାତରେ ଅଛନ୍ତି ୧୮୦ ଏମ୍‌ପି। ମୋଟ ୧୦,୮୬,୪୩୧ ଭୋଟ ମୂଲ୍ୟରୁ ଏନ୍‌ଡିଏ ହାତରେ ଅଛି ପ୍ରାୟ ୫,୩୫,୦୦୦ ମୂଲ୍ୟର ଭୋଟ୍‌ । ଏଥିରେ ସହଯୋଗୀ ଦଳଗୁଡ଼ିକର ୩,୦୮,୦୦୦ ଭୋଟ ମୂଲ୍ୟ ମଧ୍ୟ ସାମିଲ। ୱାଇଏସ୍‌ଆର୍‌ସିପି, ବିଜେଡି ଓ ଏଆଇଏଡିଏମ୍‌କେ ପରି କେତେକ ଆଞ୍ଚଳିକ ଦଳ ଏବଂ ସ୍ବାଧୀନ ସାଂସଦଙ୍କ ସମର୍ଥନ ପାଇବ ବୋଲି ଏନ୍‌ଡିଏ ଆଶାବାଦୀ ଅଛି।

କିଏ ରାଷ୍ଟ୍ରପତି ହୋଇପାରିବେ?
ଯେକୌଣସି ଭାରତୀୟ ନାଗରିକ, ଯାହାଙ୍କ ବୟସ ୩୫ ବର୍ଷ ବା ତଦୂର୍ଦ୍ଧ୍ବ ହୋଇଥିବ, ଲୋକସଭା ବା ନିମ୍ନ ସଦନର ସଦସ୍ୟ ହେବା ପାଇଁ ଯାହାଙ୍କର ଯୋଗ୍ୟତା ଥିବ, ଯିଏ କୌଣସି ଲାଭଜନକ ବ୍ୟବସାୟରେ (ଅଫିସ୍ ଅଫ୍ ପ୍ରଫିଟ୍‌) ଜଡ଼ିତ ନ ଥିବେ ସେ ରାଷ୍ଟ୍ରପତି ହୋଇପାରିବେ।
କେଉଁମାନେ ଭୋଟ ଦେଇପାରିବେ?
ପାର୍ଲାମେଣ୍ଟ ସଦସ୍ୟ (ଏମ୍‌ପି) ଓ ଦିଲ୍ଲୀ କେନ୍ଦ୍ରଶାସିତ ଅଞ୍ଚଳ ଓ ପୁଡ଼ୁଚେରୀ ସମେତ ସମସ୍ତ ରାଜ୍ୟର ବିଧାୟକ (ଏମ୍‌ଏଲ୍‌ଏ) ଭୋଟ ଦେଇପାରିବେ।
ନାମାଙ୍କନ ପତ୍ର ଦାଖଲ: ନାମାଙ୍କନପତ୍ର ଦାଖଲ ପାଇଁ ଅନ୍ୟୂନ ୫୦ ଜଣ ନିର୍ବାଚକ (ଏମ୍‌ପି ବା ଏମ୍‌ଏଲ୍‌ଏ) ପ୍ରସ୍ତାବକ ରହିବେ ଓ ଆଉ ୫୦ ଜଣ ନିର୍ବାଚକ ତାକୁ ସମର୍ଥନ କରିବା ଦରକାର। ଗୁପ୍ତ ଭୋଟ: ଏକ ଟ୍ରାନ୍ସଫରେବ୍‌ଲ ଭୋଟ ସିଷ୍ଟମ ଦ୍ବାରା ଆନୁପାତିକ ପ୍ରତିନିଧିତ୍ବ ଜରିଆରେ ଏବଂ ଗୁପ୍ତ ଭୋଟ ଜରିଆରେ ଭୋଟ ହୋଇଥାଏ। ରାଷ୍ଟ୍ରପତି ନିର୍ବାଚନରେ କ୍ରସ୍‌ ଭୋଟିଂ ରୋକିବା ବ୍ୟବସ୍ଥା ନାହିଁ, ଏଠାରେ ଦଳ ବଦଳ ଆଇନ (ଆଣ୍ଟି ଡିଫେକ୍ସନ ଲ’) ଲାଗୁ ହୁଏ ନାହିଁ।

ଏମ୍‌ପି ଓ ବିଧାୟକମାନଙ୍କ ଭୋଟର ନିର୍ଦ୍ଦିଷ୍ଟ ମୂଲ୍ୟ ରହିଛି। ପ୍ରତ୍ୟେକ ବିଧାୟକଙ୍କ ଭୋଟର ମୂଲ୍ୟ ତାଙ୍କ ରାଜ୍ୟର ଜନସଂଖ୍ୟା (୧୯୭୧ ଜନଗଣନା ଅନୁଯାୟୀ) ଏବଂ ବିଧାୟକଙ୍କ ସଂଖ୍ୟା ଭିତ୍ତିରେ ନିର୍ଦ୍ଧାରିତ ହୋଇଥାଏ। ଉଦାହରଣସ୍ବରୂପ ଉତ୍ତରପ୍ରଦେଶର ବିଧାୟକଙ୍କ ଭୋଟ୍‌ର ମୂଲ୍ୟ ୨୦୮ ହୋଇଥିବା ବେଳେ ସିକିମର ୭। ୟୁପିର ସମସ୍ତ ବିଧାୟକଙ୍କ ଭୋଟ୍‌ ମୂଲ୍ୟ ୮୩୮୨୪ ଥିବା ବେଳେ ସିକିମରେ ସମସ୍ତ ବିଧାୟକଙ୍କ ଭୋଟ୍‌ ମୂଲ୍ୟ ହେଉଛି ୨୨୪। ଦେଶ ସାରା ସବୁ ବିଧାୟକଙ୍କ ଭୋଟ ମୂଲ୍ୟର ସମଷ୍ଟି ସହିତ ଲୋକସଭା ଓ ରାଜ୍ୟସଭାର ସାଂସଦଙ୍କ ମୋଟ ସଂଖ୍ୟା ଦ୍ବାରା ଭାଗ କରାଯାଏ ଏବଂ ଏହି ପ୍ରକ୍ରିୟାରେ ସାଂସଦଙ୍କ ଭୋଟ୍‌ ମୂଲ୍ୟ ନିର୍ଦ୍ଧାରିତ ହୁଏ। ଚଳିତ ରାଷ୍ଟ୍ରପତି ନିର୍ବାଚନରେ ଜଣେ ସାଂସଦଙ୍କ ଭୋଟ୍‌ ମୂଲ୍ୟ ହେଉଛି ୭୦୦।

ସମ୍ବନ୍ଧିତ ଖବର