ଡାକ୍ତରୀ ସିଟ୍ ପାଇଁ କୋଟିଏରୁ ଅଧିକ ଠକେଇ ଘଟଣା: କୋଣାର୍କରୁ ବନ୍ଧାହେଲା ଠକ

ଅନୁଗୁଳ: ମେଡିକାଲ୍‌ ସିଟରେ ନାମ ଲେଖାଇ ଦେବାକୁ କହି ବଡ଼ ଧରଣର ଠକେଇ କରିଥିବା ଠକକୁ ବନ୍ଧିଛି ପୁଲିସ। ସାଙ୍ଗଙ୍କ ମେଳରେ କୋଣାର୍କକୁ ଶିବ ମନ୍ଦିରରେ ଜଳଲାଗି ପାଇଁ  ଯାଇଥିବା ବେଳେ ଅନୁଗୁଳ ଟାଉନ ଥାନା ପୁଲିସ ତାକୁ ସେଠାରୁ ଉଠାଇ ଆଣିଛି। ତା’ଠାରୁ ଗୋଟିଏ ଲାପ୍‌ଟପ୍‌ ସହିତ ତିନୋଟି ମୋବାଇଲ୍ ବି ଧରାପଡ଼ିଛି। ତା’ ନାଁ ହୀରକ କୁମାର ପରିଡ଼ା। ଘର କେନ୍ଦ୍ରାପଡ଼ା ଜିଲ୍ଲା ମର୍ଶାଘାଇ ଥାନା ଶିଳିପୁର ଗାଁରେ ବୋଲି ପୁଲିସ କହିଛି। ସେ ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷାଙ୍କର ପୁଅ। ବିଟେକ୍‌ ଇଞ୍ଜିନିୟରିଂ କଲା ପରେ ଏମିତି ଉପାୟ କରି ଲୋକଙ୍କୁ ଲୁଟୁଥିଲା ବୋଲି ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି। ଅନୁଗୁଳର ବରିଷ୍ଠ ଡାକ୍ତର ଗୌରୀଶଙ୍କର ବଳଙ୍କ ପୁଅକୁ ମେଡିକାଲ୍ ପି.ଜି ସିଟ୍‌ରେ ନାଁ ଲେଖାଇ ଦେବ ବୋଲି କହି କୋଟିଏ ଟଙ୍କା ଚଳୁ କରିଥିଲା। ଏନେଇ ଡାକ୍ତର ବଳ ଅନୁଗୁଳ ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଡାକ୍ତରଙ୍କ ଏତଲା ପରେ ଅନୁରୂପ ଠକେଇ ମାମଲା ଅନୁଗୁଳର ଜଣେ ଆଇନ୍‌ଜୀବୀ ଆଣିଛନ୍ତି। ମ୍ୟାନେଜମେଣ୍ଟ୍‌ କୋଟାରେ କୌଣସି ଏକ ବଡ଼ ମେଡିକାଲ କଲେଜରେ ଝିଅର ଏମ୍‌ବିବିଏସ୍‌ ନାମ ଲେଖାଇ ଦେବାର ପ୍ରତିଶ୍ରୁତି ଦେଇ ହୀରକ ତାଙ୍କୁ ୨୦ଲକ୍ଷ ଟଙ୍କାର ଚୂନ ଲଗାଇଛନ୍ତି ବୋଲି ହାକିମ୍‌ପଡ଼ାର ଆଇନ୍‌ଜୀବୀ ଶ୍ରୀନିବାସ ସାହୁ ଅନୁଗୁଳ ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଡାକ୍ତରଙ୍କୁ ଲଗାଇଥିଲା କୋଟିଏ ଟଙ୍କାର ଚୁନ

ଆଇନଜୀବୀଙ୍କଠାରୁ ନେଇଥିଲା ୨୦ ଲକ୍ଷ ଟଙ୍କା 

ଅଭିଯୁକ୍ତ ଡିଗ୍ରି ଇଞ୍ଜିନିୟର, ପୂର୍ବ ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ପୁଅ

ଏତଲା ମୁତାବକ, ୨୦୧୭ ମସିହାରେ ଶ୍ରୀ ସାହୁଙ୍କ ଝିଅ ଏନ୍‌ଇଇଟି ପ୍ରବେଶିକା ପରୀକ୍ଷାରେ ଭଲ ଫଳାଫଳ କରିଥିଲେ। ଏକ ପ୍ରତିଷ୍ଠିତ ମେଡିକାଲ୍ କଲେଜରେ ମ୍ୟାନେଜ୍‌ମେଣ୍ଟ୍ କୋଟାରେ ଝିଅର ନାମ ଲେଖାଇବାକୁ ସେ ଚାହୁଁଥିଲେ। ଏନେଇ ହୀରକ ପରିଡ଼ାଙ୍କ ସହିତ ତାଙ୍କର କଥାବାର୍ତ୍ତା ହୋଇଥିଲା। ୨୦ଲକ୍ଷ ଟଙ୍କା ଦେଲେ ଝିଅ ପାଇଁ ଏମ୍‌ବିବିଏସ୍‌ ସିଟ୍ ଯୋଗାଡ଼ କରି‌ ଦେବାକୁ ହୀରକ ତାଙ୍କୁ କୁଆଡେ ପ୍ରତିଶ୍ରୁତି ଦେଇଥିଲେ। ତେଣୁ, ତାଙ୍କ କଥାରେ ବିଶ୍ବାସ କରି ଶ୍ରୀନିବାସ ୨୦୧୭ ଜୁଲାଇ ୧ତାରିଖରେ ହୀରକଙ୍କୁ ଭୁବନେଶ୍ବର ସ୍ଥିତ ଭଡ଼ା ଘରେ ନଗଦ ଛ’ ଲକ୍ଷ ଟଙ୍କା ଦେଇଥିଲେ। ଜୁଲାଇ ୨୦ ଓ ଅଗଷ୍ଟ ୩ତାରିଖରେ ଆଉ ଦୁଇଟା କିସ୍ତିରେ ୪ଲକ୍ଷ ଟଙ୍କା ଲେଖାଏ ଦୁଇଥର ଟଙ୍କା ଟ୍ରାନ୍‌ସଫର କରିଥିଲେ। ଅଗଷ୍ଟ ମାସରେ ପୁଣି ଛ’ ଲକ୍ଷ ଟଙ୍କା ଟ୍ରାନ୍‌ସଫର କରିଥିଲେ।

ମୋଟ୍‌ ଉପରେ ଅଭିଯୁକ୍ତ ହୀରକଙ୍କୁ ଶ୍ରୀନିବାସ ୨୦ଲକ୍ଷ ଟଙ୍କା ଦେଇଥିଲେ। ବିଶ୍ବାସ ଜନ୍ମାଇବା ପାଇଁ ଅଭିଯୁକ୍ତ ହୀରକ ଶ୍ରୀ ସାହୁଙ୍କଠାରୁ ତାଙ୍କ ଝିଅର ଆଧାର କାର୍ଡ, ମାର୍କସିଟ୍‌, ପ୍ରବେଶିକା ପରୀକ୍ଷାର ଆଡ୍‌ମିଟ୍ କାର୍ଡ ନେଇଥିଲା। ଖୁବ୍‌ଶୀଘ୍ର ଏମ୍‌ବିବିଏସ୍‌ ସିଟ୍‌ ମିଳିଯିବ ବୋଲି କହିଥିଲା। କିନ୍ତୁ, କିଛି କଲା ନାହିଁ। ଗୋଟିଏ ବର୍ଷ ଗଲା, ଦୁଇ ବର୍ଷ ଗଲା। ଅଭିଯୁକ୍ତ କୌଣସି ବ୍ୟବସ୍ଥା ନ କରିବାରୁ ଶ୍ରୀ ସାହୁ ଟଙ୍କା ଫେରସ୍ତ ମାଗିଥିଲେ। ଏମିତିକି, ତାଙ୍କ ଘର କେନ୍ଦ୍ରାପଡ଼ାକୁ ଯାଇ ଟଙ୍କା ମାଗିଥିଲେ। କିନ୍ତୁ, ଟଙ୍କା ଫେରସ୍ତ  ନ କରିବାରୁ ଆଜି ଶ୍ରୀ ସାହୁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଅନୁଗୁଳ ସହରର ଦୁଇ ଜଣ ପ୍ରତିଷ୍ଠିତ ବ୍ୟକ୍ତିଙ୍କଠାରୁ ମୋଟ୍‌ କୋଟିଏ କୋଡିଏ ଲକ୍ଷ ଟଙ୍କାର ଠକେଇ କରିବା ଘଟଣା ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ତେଣୁ, ଠକକୁ ବାନ୍ଧିବା ପାଇଁ ପୁଲିସ ଉଦ୍ୟମ ଆରମ୍ଭ କରିଥିଲା। କେନ୍ଦ୍ରାପଡ଼ା ମର୍ଶାଘାଇରୁ ଅଭିଯୁକ୍ତ ହୀରକ କୋଣାର୍କକୁ ନିଜ ସାଙ୍ଗମାନଙ୍କୁ ନେଇ ବୋଲ୍‌ବମ୍‌ ଯାଇଥିଲା। ଏହି ସମୟରେ ଅନୁଗୁଳ ଟାଉନ୍‌ ଥାନାର ଅତିରିକ୍ତ ଆଇଆଇସି ଦୁଷ୍ମନ୍ତ ସିଂହ ହୀରକକୁ ସେଠାରେ ମାଡି ବସିଥିଲେ। ତାଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି। ଏତେ ବଡ଼ ଠକେଇ କେବଳ ହୀରକ କରିଥିଲା ନା ଆଉ କେହି ସମ୍ପୃକ୍ତି ଅଛନ୍ତି? ଯାହାଙ୍କ ଏକାଉଣ୍ଟ୍‌କୁ ଟଙ୍କା ଟ୍ରାନ୍‌ସଫର ହୋଇଛି ସେମାନେ କିଏ? ପୁଲିସ ତା’ର ତନାଘନା ଆରମ୍ଭ କରିଛି।

ସମ୍ବନ୍ଧିତ ଖବର