ମଣିଷ ଉପରେ ଗ୍ରହନକ୍ଷତ୍ରର ପ୍ରଭାବ ଅଛି: ଅଧିକ ଗବେଷଣା ଆବଶ୍ୟକ

ଭୁବନେଶ୍ବର : ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଥିଙ୍କର୍ସ କ୍ଲବ୍‌ର ୩୯ତମ ଆଭାସୀ ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ବିଶ୍ଵ ସଂସ୍କୃତି ଦିବସରେ ବେଦ ଓ ଜ୍ୟୋତିଷ ଏବଂ ମଣିଷ ଉପରେ ଗ୍ରହନକ୍ଷତ୍ରର ପ୍ରଭାବ ସମ୍ପର୍କରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ଥିଙ୍କର୍ସ କ୍ଲବ‌୍ ସଭାପତି ବରଦା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଅତିଥି ଭାବେ ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା ଆଲୋଚନା କରି କହିଥିଲେ ଯେ ଆଗକାଳରେ ଯଜ୍ଞ ପାଇଁ ଶୁଭ ସମୟ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗଣନା କରାଯାଉଥିଲା। ଜ୍ୟୋତିଷ ବେଦର ଏକ ଅଂଗ। ଭାସ୍କରାଚାର୍ଯ୍ୟ ଏହାକୁ ବେଦର ଦୁଇ ଚକ୍ଷୁ ବୋଲି କହିଛନ୍ତି। ମଣିଷ ଉପରେ ଗ୍ରହନକ୍ଷତ୍ରର ପ୍ରଭାବ ରହିଛି ଏବଂ ଏହାର ବିଭିନ୍ନ ଦିଗ ଉପରେ ସେ ଆଲୋଚନା କରିଥିଲେ।

ପୂର୍ବତନ କୁଳପତି ଶିବ ପ୍ରସାଦ ଅଧିକାରୀ ସୂର୍ଯ୍ୟରଶ୍ମିର ପ୍ରଭାବ, ବାହାରିନରୁ ଡ. ସୁବାସ ସାହୁ ନିଜର ଅନୁଭୂତି, ଇଟାଲିରୁ ଗବେଷକ ସୁମନ ଦାସ ଆମ ଶାସ୍ତ୍ରର ଯୁକ୍ତିଯୁକ୍ତତାକୁ ପ୍ରମାଣ କରିବା ପାଇଁ ବୈଜ୍ଞାନିକ ଗବେଷଣାର ଆବଶ୍ୟକତା, ପ୍ରଭାତ ନନ୍ଦ ଶ୍ରୀଜଗନ୍ନାଥଙ୍କ ଦୈନିକ ନୀତି ଜ୍ୟୋତିଷ ଗଣନା ଅନୁସାରେ ହେଉଥିବା, ମୁକ୍ତିମଣ୍ଡପର ପଣ୍ଡିତ ତଥା ପାଞ୍ଜି ସମୀକ୍ଷକ ହରିଶଙ୍କର ମିଶ୍ର ଜ୍ୟୋତିଷର ଉପାଦେୟତା ବିଷୟରେ ଆଲୋଚନା କରିଥିଲେ। ଏଥି ସହ ପୂର୍ବତନ ପୂର୍ତ୍ତ ସଚିବ ଡ. ଇଂ ନନ୍ଦନନ୍ଦନ ଦାସ, ଡ. ବ୍ରଜ ନାୟକ, ନିମାଇଁ ସ୍ବାଇଁ, ବାଲ୍ମୀକି ନାୟକ, ପ୍ର. ଉମାଶଙ୍କର ମିଶ୍ର, କାର୍ତ୍ତିକେଶ୍ୱର ନାୟକ, ଚିତ୍ତରଞ୍ଜନ ବେହେରା, ମନୋଜ ପାତ୍ର, ଖ୍ରୀଷ୍ଟିଆନ ତାକ୍ରି ପ୍ରମୁଖ ନିଜର ମତାମତ ଦେଇଥିଲେ। ମଣିଷ ଉପରେ ଗ୍ରହନକ୍ଷତ୍ରର ପ୍ରଭାବ ସମ୍ପର୍କରେ ବୈଜ୍ଞାନିକ ଗବେଷଣା ନିମନ୍ତେ ପ୍ରସ୍ତାବ ଦିଆଯାଇଥିଲା। ବାଙ୍ଗାଲୋରରୁ ବିଭୁଦତ୍ତ ମହାନ୍ତି ସଭାର ବୈଷୟିକ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର