ମୁକ୍ତି ସଂଗ୍ରାମରେ ‘କଂଗ୍ରେସ ରେଡିଓ’

ସୁବ୍ରତ କୁମାର ପତି

୧୯୪୨ ମସିହା ଅଗଷ୍ଟ ମାସ। କଂଗ୍ରେସର ବମ୍ବେ ଅଧିବେଶନରେ ଭାରତଛାଡ଼ ଆନ୍ଦୋଳନର ଡାକରା ଦିଆ ସରିଥାଏ। ଇଂରେଜ ଶାସନ ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ ତୀବ୍ର ହେଉଥାଏ। ବମ୍ବେ ଅଧିବେଶନର ମାତ୍ର ୨୪ ଘଣ୍ଟା ମଧ୍ୟରେ ଆନ୍ଦୋଳନରେ ସାମିଲ ଥିବା ଷାଠିଏ ହଜାର ଲୋକଙ୍କୁ ଇଂରେଜ ସରକାର ଗିରଫ କରିଥାନ୍ତି। ମହାତ୍ମା ଗାନ୍ଧୀ, ନେହେରୁ ଓ କଂଗ୍ରେସର ଅନ୍ୟ ତୁଙ୍ଗ ନେତାଙ୍କୁ ଜେଲ ପଠାଇ ଦିଆଯାଇଥାଏ। ଏତିକି ବେଳେ ଆନ୍ଦୋଳନକୁ ଜାରି ରଖିବା ପାଇଁ ଆବଶ୍ୟକ ପଡୁଥାଏ ଯୁବ ନେତୃତ୍ୱର।

ସେହି ସମୟରେ ଇଂରେଜ ସରକାରଙ୍କ ବିରୋଧରେ ପଦେ ଲେଖିଦେଲେ ଖବରକାଗଜ ସମ୍ପାଦକଙ୍କୁ ଜେଲ୍‌ ଯିବାକୁ ପଡୁଥାଏ; ‘ଅଲ୍‌ ଇଣ୍ଡିଆ ରେଡିଓ’ ଇଂରେଜ ସରକାରଙ୍କ ଅଧୀନରେ ଥାଏ। ଏଣେ ଆନ୍ଦୋଳନକାରୀମାନେ ରେଳ ଷ୍ଟେସନ, ଟେଲିଗ୍ରାଫ ଅଫିସ, ଡାକ ଘର, ଥାନା ଓ ସରକାରୀ ଦପ୍ତରଗୁଡ଼ିକୁ ବନ୍ଦ କରି ବ୍ୟବସ୍ଥାକୁ ବିପନ୍ନ କରୁଥାନ୍ତି। ଏଭଳି ସ୍ଥିତିରେ ଦେଶରେ କ’ଣ ଘଟୁଛି ସେ ସମ୍ପର୍କରେ ସାଧାରଣ ଲୋକ ଜାଣିବା ଜରୁରୀ ହୋଇ ପଡ଼ିଥିଲେ ବି ଜଣାଇବା ପାଇଁ କୌଣସି ମାଧ୍ୟମ ନ ଥାଏ।

ଏଭଳି ଏକ ସ୍ଥିତିରେ ଅଗଷ୍ଟ ୧୪ ତାରିଖ ସନ୍ଧ୍ୟା ସାତଟା ତିରିଶ ମିନିଟରେ ହଠାତ ସାରା ଦେଶରେ ଶୁଭେ ଏକ ଗୁପ୍ତ ରେଡିଓ ଷ୍ଟେସନରୁ ଅଜଣା ଟ୍ରାନ୍‌ସମିଟର ଯୋଗେ ଭାସି ଆସୁଥିବା ବାର୍ତ୍ତାର ସ୍ବର। ଜଣେ ମହିଳାଙ୍କ କଣ୍ଠ କହେ: ‘ଦିସ୍‌ ଇଜ୍‌ କଂଗ୍ରେସ ରେଡିଓ; କଲିଂ ଅନ ୪୨।୩୪ ମିଟର୍ସ ଫ୍ରମ ସମ୍‌ହ୍ବେୟାର ଇନ୍‌ ଇଣ୍ଡିଆ’; ଓଡ଼ିଆରେ ‘୪୨।୩୪ ମିଟର ଜରିଆରେ ଦେଶର କୌଣସି ଏକ ସ୍ଥାନରୁ ଆପଣ ଶୁଣୁଛନ୍ତି କଂଗ୍ରେସ ରେଡିଓ।’

ଏହି ସ୍ୱର ଥିଲା ପ୍ରଚଣ୍ଡ ଦେଶପ୍ରେମୀ ଗାନ୍ଧୀବାଦୀ ଉଷା ମେହଟାଙ୍କର। ସେତେବେଳେ ତାଙ୍କ ବୟସ ମାତ୍ର ୨୨ ବର୍ଷ। କିଛି ସମଭାବାପନ୍ନ ବନ୍ଧୁଙ୍କୁ ଏକାଠି କରି ସେ ଆରମ୍ଭ କରିଥିଲେ ଏହି ରେଡିଓ ଷ୍ଟେସନ। ବହୁ କଷ୍ଟରେ ଅର୍ଥ ଯୋଗାଡ଼ କରି ବମ୍ବେସ୍ଥିତ ଚିକାଗୋ ରେଡିଓର ମାଲିକ ନାନିକ ମେଟୱାନିଙ୍କ ଠାରୁ କୌଣସି ପ୍ରକାରେ ରେଡିଓ ଟ୍ରାନ୍‌ସମିଟର୍‌ଟିଏ କିଣିବାରେ ସକ୍ଷମ ହେଲେ ସେ। ତାଙ୍କୁ ସହାୟତା କଲେ ଚନ୍ଦ୍ରକାନ୍ତ ଝବେରି, ବିଠଲ ଦାଶ ଝବେରି ଏବଂ ନରିମାନ ପ୍ରିଣ୍ଟର ନାମକ ଜଣେ ହାମ ରେଡିଓ ଅପରେଟର୍‌।

ତା’ ପରେ କଂଗ୍ରେସର ମୁଖପତ୍ର ସାଜିଲା ଏହି ବେତାର କେନ୍ଦ୍ର। କଂଗ୍ରେସ ନେତାଙ୍କ ଭାଷଣ ଓ ବାର୍ତ୍ତା ସହିତ କଂଗ୍ରେସର ଆଞ୍ଚଳିକ କାର୍ଯ୍ୟାଳୟମାନଙ୍କରୁ ଆସୁଥିବା ଖବର ଆଦି ପ୍ରସାରିତ ହେବାକୁ ଲାଗିଲା। ଇଂରେଜୀ ଭାଷାରେ ସମ୍ବାଦ ପଢୁଥିଲେ ରାମ ମନୋହର ଲୋହିଆ, ଅଚ୍ୟୁତ ପଟବର୍ଦ୍ଧନ, ମୋଇନୁଦ୍ଦିନ ହାରିଶ ଓ କୁମି ଦସ୍ତୂର। ଉଭୟ ଇଂରେଜୀ ଓ ହିନ୍ଦୁସ୍ଥାନୀ ଭାଷାରେ ଖବର ପଢୁଥିଲେ ଉଷା ମେହଟା। ସମ୍ବାଦ ବୁଲେଟିନ ବ୍ୟତୀତ କଂଗ୍ରେସ ଅଧିବେଶନର ରେକର୍ଡିଙ୍ଗ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପ୍ରସାରିତ ହେଉଥିଲା ଏହି ରେଡିଓ ମାଧ୍ୟମରେ। ପ୍ରତ୍ୟେକ କାର୍ଯ୍ୟକ୍ରମ ପ୍ରାରମ୍ଭରେ ବାଜୁଥିଲା ଇକବାଲଙ୍କ ରଚିତ ‘ସାରେ ଜହାଁ ସେ ଅଚ୍ଛା’ ଏବଂ ଶେଷରେ ବାଜୁଥିଲା ବଂକିମ ଚନ୍ଦ୍ରଙ୍କ ‘ବନ୍ଦେ ମାତରଂ’। ସେହି ସମୟରେ ଲକ୍ଷ ଲକ୍ଷ ଭାରତୀୟଙ୍କ ମନରେ ସ୍ୱାଧୀନତାର ମନ୍ତ୍ର ବୁଣି ଦେଇଥିଲା କଂଗ୍ରେସ ରେଡିଓ। ସେତେବେଳେ ଏହାକୁ ‘ଘୋଷ୍ଟ୍‌ ରେଡିଓ’ ଓ ‘ଅଣ୍ଡର୍‌ଗ୍ରାଉଣ୍ଡ ରେଡିଓ’ ବୋଲି କୁହାଯାଉଥିଲା।

କଂଗ୍ରେସ ରେଡିଓ ବାଜିବାର ମାତ୍ର ତିନି ଦିନ ମଧ୍ୟରେ କଥା ଇଂରେଜ ସରକାରଙ୍କ ନଜରକୁ ଆସିଲା। ଏଣୁ ପୁଲିସ ବମ୍ବେରେ ବିଭିନ୍ନ ସ୍ଥାନରେ ଚଢ଼ାଉ କଲା। ଏଣୁ ଉଷା ମେହଟା ଓ ତାଙ୍କ ସହଯୋଗୀମାନେ ସତର୍କତାର ସହିତ ବାରମ୍ବାର ସ୍ଥାନ ବଦଳାଇ ତାକୁ ଚାଲୁ କରି ରଖିଲେ। କେବଳ ବମ୍ବେ ନୁହେଁ, ଦେଶର ଅନ୍ୟ କେତେକ ସହରରୁ ଲୁଚି ଛପି କାର୍ଯ୍ୟକ୍ରମ ପ୍ରସାରଣ କରାଗଲା।

ସେହି ବର୍ଷ ନଭେମ୍ବର ୧୨ ତାରିଖ। ଉଷା ମେହଟା ଓ ତାଙ୍କର ଚାରି ଜଣ ସାଥୀ କାର୍ଯ୍ୟକ୍ରମ ପ୍ରସାରଣ କରୁଥାନ୍ତି। ପୁଲିସ ଘର କବାଟ ଭାଙ୍ଗି ଭିତକୁ ପଶିଲେ। ସେତେବେଳକୁ ରେଡିଓରେ ବାଜୁଥାଏ ‘ବନ୍ଦେ ମାତରଂ’। କହିବା ଅନାବଶ୍ୟକ ଯେ ଟ୍ରାନ୍‌ସମିଟର୍‌ ଓ ଅନ୍ୟାନ୍ୟ ପ୍ରସାରଣ ସାମଗ୍ରୀଗୁଡ଼ିକୁ ଜବତ କରାଗଲା। ସହଯୋଗୀଙ୍କ ସହ ଉଷା ଗିରଫ ହେଲେ। ଉଷା ମେହେଟାଙ୍କୁ ବିଦେଶରେ ଉଚ୍ଚ ଶିକ୍ଷାର ଲୋଭ ଦେଖାଇ ଦେଶ ଠାରୁ ଦୂରେଇ ଦେବାର ଚକ୍ରାନ୍ତ କଲେ ଇଂରେଜ ସରକାର। କିନ୍ତୁ ଏହା ବଦଳରେ ଜେଲ ଯିବାକୁ ଶ୍ରେୟ ମଣିଲେ ଉଷା।

ମାତ୍ର ତିନି ମାସ ଲାଗି କାର୍ଯ୍ୟକ୍ରମ ପ୍ରସାରଣ କରିଥିଲା କଂଗ୍ରେସ ରେଡିଓ। କିନ୍ତୁ, ଭାରତଛାଡ଼ ଆନ୍ଦୋଳନକୁ ଏହାର ଅବଦାନ ଥିଲା ଉଲ୍ଲେଖନୀୟ। ଗତ ବର୍ଷ ପେଙ୍ଗୁଇନ ପ୍ରକାଶନ ସଂସ୍ଥା ପକ୍ଷରୁ ‘ଉଷା ମେହଟା ଆଣ୍ଡ୍‌ ଦ ଅଣ୍ଡରଗ୍ରାଉଣ୍ଡ୍‌ ରେଡିଓ ଷ୍ଟେସନ ଅଫ ୧୯୪୨’ ନାମକ ଏକ ପୁସ୍ତକ ପ୍ରକାଶିତ ହୋଇଛି। ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଏହି ରେଡିଓ ଷ୍ଟେସନର ଭୂମିକାକୁ ସମସ୍ତେ ସ୍ମରଣ କରିବା ଆବଶ୍ୟକ।

ମୋ: ୯୮୬୧୩୦୭୨୮୦

ସମ୍ବନ୍ଧିତ ଖବର