ଓଲଟପୁର ନିର୍‌ତାରରେ ଶଯ୍ୟା ସଂଖ୍ୟା ବଢ଼ିବ; ୨୫ରେ ଉଦ୍‌ଘାଟନ, ୩ କେନ୍ଦ୍ରମନ୍ତ୍ରୀ ଯୋଗଦେବେ

କଟକ : ସ୍ବାମୀ ବିବେକାନନ୍ଦ ପୁନର୍ବାସ ତାଲିମ୍‌ ଓ ଗବେଷଣା କେନ୍ଦ୍ର(ଏସ୍‌ଭି ନିର୍‌ତାର)ରେ ରୋଗୀଙ୍କ ପାଇଁ ଶଯ୍ୟା ସଂଖ୍ୟା ବଢ଼ିବ। ଏଣିକି ୧୫୦ ଇନ୍‌ଡୋର ରୋଗୀ ଚିକିତ୍ସା ସୁବିଧା‌ ପାଇପାରିବେ। ଏଥିପାଇଁ ଆସନ୍ତା ୨୫ ତାରିଖରେ ୧୬କୋଟି ଟଙ୍କା ବ୍ୟୟରେ ରିହାବିଲିଟେସନ୍‌ ଆନେକ୍ସ କୋଠା ଉଦ୍‌ଘାଟନ ହେବ। ଉକ୍ତ ୪ ମହଲା କୋଠାରେ ଶହେ ଶଯ୍ୟା ବ୍ୟବସ୍ଥା ରହିବ। କିନ୍ତୁ, ପ୍ରଥମ ପର୍ଯ୍ୟାୟା‌ରେ ୫୦ଟିଶଯ୍ୟା ପାଇଁ ଅନୁମତି ମିଳିଛି। ପୂର୍ବରୁ ଶହେ ରୋଗୀ ଚିକିତ୍ସିତ ହେବାର ବ୍ୟବସ୍ଥା ଥିବାବେଳେ ଏହି ନୂତନ କୋଠାର ଉଦ୍‌ଘାଟନ ପରେ ଏହାର ଶଯ୍ୟା ସଂଖ୍ୟା ଦେଢ଼ଶହରେ ପହଞ୍ଚିବ। ଆଗକୁ ଏହାକୁ ୨ଶହ କରିବା ପାଇଁ ଯୋଜନା କରାଯାଉଛି। ଏଥିସହ ପିଲାଙ୍କ ପାଇଁ ୩୦ ଲକ୍ଷ ଟଙ୍କା ବ୍ୟୟରେ ଥେରାପି ପାର୍କ ଓ ୫ ଫୁଟ୍‌ ଉଚ୍ଚତାର ସ୍ବାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହେବ।

ନିର୍‌ତାର ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ପି.ପି. ମହାନ୍ତିଙ୍କ ସୂଚନା ଅନୁସାରେ; ଉଦ୍‌ଘାଟନୀ କାର୍ଯ୍ୟକ୍ରମରେକେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ବିଭାଗ ମନ୍ତ୍ରୀ ଡକ୍ଟର ବିରେନ କୁମାର, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। କଟକ ଜିଲ୍ଲାର କଣ୍ଟାପଡ଼ା ବ୍ଲକ୍‌ ଅନ୍ତର୍ଗତ ଓଲଟପୁରଠାରେ ସିଏସ୍‌ଆର ପାଣ୍ଠିରେ ରୁରାଲ ଇଲେକ୍ଟ୍ରିଫିକେସନ୍‌ କର୍ପୋରେସନ୍‌ ଲିମି‌ଟେଡ୍‌ ଅନୁଦାନ ରାଶିରେ ଶହେ ଶଯ୍ୟା ବିଶିଷ୍ଟ ରିହାବିଲିଟେସନ୍‌ ଆନେକ୍ସ ୪ ମହଲା ତିଆରି କରାଯାଇଛି। ଏଥି‌ରେ ରୋଗୀଙ୍କୁ ଇନ୍‌ଡୋର ଚିକିତ୍ସା ସହ ସମସ୍ତ ପ୍ରକାର ଥେରାପି ଚିକିତ୍ସା ମିଳିପାରିବ। ନିର୍‌ତାର ଓପିଡିକୁ ପ୍ରତିଦିନ ୪ଶହରୁ ୫୦୦ ରୋଗୀ ଚିକିତ୍ସା ପାଇଁ ଆସୁଥିବା ବେଳେ କେବଳ ‌ଶହେ ରୋଗୀ ହିଁ ଚିକିତ୍ସା ପାଇଁ ଭର୍ତ୍ତି ହୋଇପାରୁଛନ୍ତି। ଅନେକ ରୋଗୀ ବାହାରେ ନିଜ ବ୍ୟବସ୍ଥାରେ ରହି ପ୍ରତିଦିନ ଥେରାପି ଚିକିତ୍ସା ନେଉଛନ୍ତି। ଆଗକୁ ନିରତାର ସଂପ୍ରସାରଣ ଓ କଳେବର ବୃଦ୍ଧି ପାଇଁ ଯୋଜନା କରାଯାଇଥିବାବେଳେ ତହସିଲ ପକ୍ଷରୁ ପାଖାପାଖି ୭୦ଜଣଙ୍କୁ ଉଚ୍ଛେଦ ନିମନ୍ତେ ନୋଟିସ୍‌ ଦିଆଯାଇଛି। ଆଗକୁ ନିଜ ବ୍ୟବସ୍ଥାରେ ରହୁଥିବା ରୋଗୀ କେଉଁଠି ରହିବେ, ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।

ଅନ୍ୟପକ୍ଷରେ, ନିର୍‌ତାର ପରିସରରେ ପିଲାଙ୍କ ମନୋରଞ୍ଜନ ଓ ଥେରାପି ପାଇଁ ୩୦ ଲକ୍ଷ ଟଙ୍କା ବ୍ୟୟରେ ଯେଉଁ ପାର୍କ ତିଆରି ହେବ ସେଥିରେ ଥେରାପି ଚିକିତ୍ସା ପାଇଁ ୩୦/୪୦ ପ୍ରକାର ଚିକିତ୍ସା ମିଳିବା ସହ ନିଜେ ପିଲା ଥେରାପି ନେଇପାରିବେ। ଦେଢ଼ ବର୍ଷରୁ ଅଧିକ ବୟସର ପିଲା ଏହି ପାର୍କରେ ଥେରାପି ଚିକିତ୍ସା ନେଇପାରିବେ ବୋଲି ନିର୍ଦ୍ଦେଶକ ଡାକ୍ତର ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର