ସରକାରୀ ବୈଠକ ଓ ସମ୍ମିଳନୀରେ ଦିଆଯାଉ ମାଣ୍ଡିଆ ଜଳଖିଆ

ବିଭାଗୀୟ ସଚିବମାନଙ୍କୁ କୃଷି ସଚିବଙ୍କ ଅନୁରୋଧ

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଦ୍ୱାରା ଆୟୋଜିତ ବୈଠକ ଏବଂ ସମ୍ମିଳନୀରେ ମାଣ୍ଡିଆ ଜଳଖିଆ ପରିବେଷଣ ପାଇଁ ସମସ୍ତ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, କମିସନର ତଥା ଶାସନ ସଚିବ ଏବଂ ସଚିବଙ୍କୁ ପତ୍ର ଦେଇଛନ୍ତି କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ। ମାଣ୍ଡିଆରୁ ପ୍ରସ୍ତୁତ ବିସ୍କୁଟ, ମିକ୍ସଚର, ଖୁରୁମା, ନିମିକି, ସେଉ, ପିଠା, ଛତୁଆ ଆଦି ଅତ୍ୟନ୍ତ ସ୍ୱାଦିଷ୍ଟ ଏବଂ ଗ୍ରାହକ ମହଲରେ ମଧ୍ୟ ଆଦୃତ ହେଉଛି। ଓଡ଼ିଶା ମିଲେଟ୍‌ ମିସନ ଦ୍ୱାରା ପ୍ରଶିକ୍ଷିତ ମିସନ ଶକ୍ତିର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ବିଭିନ୍ନ ବିଭାଗକୁ ମାଣ୍ଡିଆ ପ୍ରସ୍ତୁତ ସ୍ନାକ୍ସ ଯୋଗାଣ ଏକ ବଡ଼ ଆର୍ଥିକ ସୁଯୋଗ ସୃଷ୍ଟି କରିବ ବୋଲି ଶ୍ରୀ ପାଢ଼ୀ ପତ୍ରରେ ଉଲ୍ଲେଖ କରିଛନ୍ତି।

ଏଥିସହିତ ପତ୍ରରେ ଉଲ୍ଲେଖ ରହିଛି ଯେ ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ରାଜ୍ୟ ସରକାରଙ୍କ ଫ୍ଲାଗ୍‌ସିପ୍‌ ଯୋଜନା ଓଡ଼ିଶା ମିଲେଟ୍‌ ମିସନକୁ ରାଜ୍ୟର ୧୯ଟି ଜିଲ୍ଲାରେ କାର୍ଯ୍ୟକାରୀ କରୁଛି। ମାଣ୍ଡିଆ ଏବଂ ଲଘୁଶସ୍ୟ ଅତ୍ୟନ୍ତ ପୁଷ୍ଟିକର ଏବଂ ଜଳବାୟୁ ସହନଶୀଳ। ଭାରତ ସରକାର ମିଲେଟ୍‌ର ପ୍ରୋତ୍ସାହନ ପାଇଁ ଓଡ଼ିଶା ମଡେଲକୁ ଆପଣେଇବା ପାଇଁ ଅନ୍ୟ ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଛନ୍ତି। ଜାତିସଂଘ ଦ୍ୱାରା ୨୦୨୩କୁ ଅନ୍ତର୍ଜାତୀୟ ମିଲେଟ୍‌ ବର୍ଷ ଭାବରେ ଘୋଷଣା କରାଯାଇଛି। ଓଡ଼ିଶା ମିଲେଟ୍‌ ମିସନ ପକ୍ଷରୁ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ ମିସନ ଶକ୍ତି ଅନ୍ତର୍ଗତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ମାଧ୍ୟମରେ ମୂଲ୍ୟଯୁକ୍ତ ଉଦ୍ୟୋଗକୁ ପ୍ରୋତ୍ସାହିତ କରାଯାଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ମିଲେଟ୍‌ ଶକ୍ତି ଆଉଟ୍‌ଲେଟ୍‌ ଖୋଲାଯାଉଛି।

ମା’ଶକ୍ତିମୟୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା କୃଷିଭବନ ପରିସରରେ ମିଲେଟ୍‌ ଶକ୍ତି ଆଉଟ୍‌ଲେଟ୍‌ ପରିଚାଳିତ ହେଉଛି। ଏହି ଆଉଟ୍‌ଲେଟ୍‌କୁ ସଂପ୍ରତି ଇଣ୍ଡିଆନ୍‌ କାଉନ୍‌ସିଲ ଅଫ୍‌ ଏଗ୍ରିକଲଚରାଲ୍‌ ରିସର୍ଚ୍ଚ ଏବଂ ଭାରତ ସରକାରଙ୍କ ଦ୍ୱାରା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ମିଲେଟ୍‌କୁ ମୂଲ୍ୟଯୁକ୍ତ କରିବା ଦିଗରେ ସର୍ବୋତ୍ତମ ଉପକ୍ରମ ବୋଲି ସ୍ୱୀକୃତି ମିଳିଛି। ଏଥିସହିତ କୃଷିଭବନରେ ଆୟୋଜିତ ସମସ୍ତ ବୈଠକରେ ମିଲେଟ୍‌ରୁ ପ୍ରସ୍ତୁତ ସ୍ନାକ୍ସ ପରିବେଷଣ ଆରମ୍ଭ ହୋଇସାରିଛି ବୋଲି ଶ୍ରୀ ପାଢ଼ୀ ପତ୍ରରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର