ଖୁଣ୍ଟୁଣୀରେ ପଶିଲେ କପିଳାସ ହାତୀ

ଖୁଣ୍ଟୁଣୀ : ବଣିଆବନ୍ଧ ଜଙ୍ଗଲରେ ବିଚରଣ କରୁଥିବା କପିଳାସର ଏକ ହାତୀପଲ ରବିବାର ଭୋର୍‌ ସମୟରେ ବାଟବଣା ହୋଇ ଖୁଣ୍ଟୁଣୀକୁ ଚାଲିଆସିଛନ୍ତି। ଏହି ହାତୀପଲରେ ଦୁଇ ମାଈହାତୀ ଓ ଗୋଟିଏ ଛୁଆ ହାତୀ ଅଛନ୍ତି। ସେମାନେ ୫୫ ନମ୍ବର ଜାତୀୟ ରାଜପଥ ପାର୍‌ ହୋଇ ଖୁଣ୍ଟୁଣୀ ବସଷ୍ଟାଣ୍ଡ୍‌ ନିକଟସ୍ଥ ଏକ ଫାର୍ମ ହାଉସରେ ପଶିଥିଲେ। ସେଠାରେ ୩ଘଣ୍ଟା ରହିବା ପରେ ତିନି ହାତୀ ମାହେଶ୍ୱରୀ କାରଖାନା ଭିତରକୁ ଚାଲିଯାଇଥିଲେ। ରବିବାର ଦିନସାରା ତିନି ହାତୀ କାରଖାନା ଭିତରେ ଥିବା ବୁଦାରେ ରହିଛନ୍ତି। ହାତୀ ଯେପରି ଜନବସତି ମୁହାଁ ନ ହେବେ, ସେଥିପାଇଁ ବନ ବିଭାଗ ସେମାନଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଛି। ଖୁଣ୍ଟୁଣୀ ବନାଞ୍ଚଳର ତିନିଜଣ ଫରେଷ୍ଟର୍‌ ସରୋଜ କୁମାର ପଣ୍ଡା, ଲମ୍ବୋଧର ନାୟକ, ଦିବ୍ୟସିଂହ ପରିଡ଼ା, ଗାର୍ଡ ରୁପାଲି ପୃଷ୍ଟି, କାବେରୀ ନାୟକଙ୍କ ସମେତ ବନରକ୍ଷୀ, ପାରା ଓ ଏଲିଫ୍ୟାଣ୍ଟ ସ୍କ୍ୱାଡ୍‌ର ପ୍ରାୟ ୫୦ଜଣ କର୍ମଚାରୀ କାରଖାନା ପରିସରରେ ଡେରା ପକାଇ ହାତୀଙ୍କୁ ଜଗି ରହିଛନ୍ତି। ସନ୍ଧ୍ୟା ପରେ ହାତୀଙ୍କ ଗତିବିଧି ଉପରେ ନଜର ରଖି ସେମାନଙ୍କୁ ସୁରକ୍ଷିତ ଭାବେ ଜଙ୍ଗଲମୁହାଁ କରାଯିବ ବୋଲି ଖୁଣ୍ଟୁଣୀ ବନପାଳ ସରୋଜ କୁମାର ପଣ୍ଡା ସୂଚନା ଦେଇଛନ୍ତି।

ସୂଚନା ମୁତାବକ ବଣିଆବନ୍ଧ ଜଙ୍ଗଲରେ ବୁଲୁଥିବା ଏହି ତିନି ହାତୀ ୩ଦିନ ତଳେ ରାଣିବଣିଆ ସଂରକ୍ଷିତ ଜଙ୍ଗଲରୁ ବାହାରି ରାଧାରମଣପୁର(ନୁଖୁରା) ଗ୍ରାମରେ ରାଜପଥ ପାର ହୋଇ ଭୋଗରା, ଛେନାଖିଆନୂଆଗାଁ ଓ ଡାଳଭାଗ ଗ୍ରାମ ଦେଇ ସୁବାସୀ ଜଙ୍ଗଲକୁ ଚାଲି ଯାଇଥିଲେ। ଗତକାଲି ରାତିରେ ସୁବାସୀରୁ ଏହି ତିନିହାତୀ ଚାଲିଆସି ଖୁଣ୍ଟୁଣୀ କଲେଜ ସାହିର କେତେକ ବ୍ୟକ୍ତି
ବାଡ଼ିରେ ପଶି କଦଳୀ, ଅମୃତଭଣ୍ଡା ସହ ବିଭିନ୍ନ ଗଛ ନଷ୍ଟ କରିଥିଲେ। ପ୍ରତ୍ୟୁଷରେ ତିନି ହାତୀ ଖୁଣ୍ଟୁଣୀ ବସଷ୍ଟାଣ୍ଡ ନିକଟ ୫୫ ନମ୍ବର ରାଜପଥ ପାର ହୋଇ ପାଟିଆ ଗହିରକୁ ଚାଲି ଆସିଥିଲେ। ଖବର ପାଇ ବ୍ରାହ୍ମଣବସ୍ତରେ ଚନ୍ଦକା ହାତୀପଲ ଡ୍ୟୁଟିରେ ଥିବା ଖୁଣ୍ଟୁଣୀ ବନବିଭାଗ ଟିମ୍‌ ସେଠାରେ ପହଞ୍ଚିଥିଲେ। ସକାଳ ୬ଟାରେ ଏସିଏଫ୍‌ ଘନଶ୍ୟାମ ମୁଦୁଲି ଓ ଆଠଗଡ଼ ବନ ବିଭାଗ ସ୍କ୍ୱାଡ୍‌ ମଧ୍ୟ ପହଞ୍ଚି ହାତୀଙ୍କୁ ଜଙ୍ଗଲମୁହାଁ କରିବା ଲାଗି ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇ ନ ଥିଲେ। ପରେ ତିନି ହାତୀ ଖୁଣ୍ଟୁଣୀ ବସ୍‌ଷ୍ଟାଣ୍ଡ ପଛପଟ ମହାପାତ୍ର ଫାର୍ମ ହାଉସ୍‌ର ପାଚେରି ଭାଙ୍ଗି ଭିତରେ ପ୍ରବେଶ କରିଥିଲେ। ଏହି ସମୟରେ ହାତୀଙ୍କୁ ଦେଖିବା ପାଇଁ ଶହଶହ ଲୋକଙ୍କ ସୁଅ ଛୁଟିଥିଲା। ହାତୀଙ୍କୁ ଜନବସତିରୁ ଦୂରେଇ ରଖିବା ପାଇଁ ବନବିଭାଗ ଫାର୍ମହାଉସରୁ ସେମାନଙ୍କୁ ଘଉଡ଼ାଇବା ପାଇଁ ଉଦ୍ୟମ କରିଥିଲା। ଏଥିଲାଗି ରାଜପଥର ଉଭୟ ପାର୍ଶ୍ବ ସିଲ୍‌ କରାଯିବା ସହ ବାଣ ଫୁଟାଇ ହାତୀଙ୍କୁ  ଜଙ୍ଗଲକୁ ଘଉଡ଼ାଇବାକୁ ଯୋଜନା କରାଯାଇଥିଲା। ହେଲେ, ଲୋକଙ୍କ କୋଳାହଳ ଯୋଗୁଁ ହାତୀପଲ ଜଙ୍ଗଲମୁହାଁ ହେବା ପରିବର୍ତ୍ତେ ବନ୍ଦ ହୋଇ ରହିଥିବା ମାହେଶ୍ୱରୀ କାରଖାନା ଭିତରକୁ ଚାଲିଯାଇଥିଲେ। ସେଠାରେ ଦିନସାରା ତିନି ହାତୀ ରହିଛନ୍ତି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ହାତୀପଲ କାରଖାନାରୁ ବାହାରି ନ ଥିବା ବନବିଭାଗ ସୂଚନା ଦେଇଛି।

ସମ୍ବନ୍ଧିତ ଖବର