ଏଠି କିଛି ଫୁଟିବନି କି ଉଠିବନି, କେବଳ ଶଙ୍ଖ ବାଜିବ : ପ୍ରମିଳା

ଭୁବନେଶ୍ୱର: ବରମୁଣ୍ଡା ପଡ଼ିଆରେ ବିଜୁ ଜନତା ଦଳର ଆରମ୍ଭ ହୋଇଥିବା ପଦଯାତ୍ରା ପ୍ରସ୍ତୁତି ବୈଠକରେ ମନ୍ତ୍ରୀ ପ୍ରମିଳା ମଲ୍ଲିକ ରାଜ୍ୟର ଦୁଇ ପ୍ରମୁଖ ବିରୋଧୀ ଦଳଙ୍କୁ ଟାର୍ଗେଟ୍‌ କରିଛନ୍ତି। ନିଜ ବକ୍ତବ୍ୟରେ ସେ କହିଥିଲେ ଯେ ୨୦୧୯ ମସିହାରେ ଦଳେ କହିଲେ, ୧୨୦ ଫୁଟିବ, ଆଉ ଦଳେ କହିଲେ ହାତ ଉଠିବ। ସିଏ କ’ଣ ଶୋଇଛି ଯେ ଉଠିବ, ଆଉ ତାଙ୍କର କ’ଣ କଢ଼ ହୋଇଛି ଯେ ଫୁଟିବ। ଏଠି କେହି ଉଠିବେନି କି ଫୁଟିବେନି। କେବଳ ଶଙ୍ଖ ବାଜିବ। ଓଡ଼ିଶାରେ ଆଜି ଯାହାବି ହେଉଛି ସବୁକିଛି ନବୀନ ବାବୁ କରୁଛନ୍ତି। ଯେଉଁମାନେ ବାହାରୁ ଆସି କହୁଛନ୍ତି, ସେମାନେ କ’ଣ କରିଛନ୍ତି ତାହା ସମସ୍ତେ ଜାଣନ୍ତି।

ବିଜେପି ନବୀନଙ୍କୁ ହଟାଇବାକୁ ଚାହୁଁଛି, ନବୀନ ବାବୁ ଗରିବୀ, ବେକାରୀ ହଟାଇବାକୁ ଚେଷ୍ଟିତ : ପ୍ରସନ୍ନ
ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ନିଜ ବ୍ୟକ୍ତବ୍ୟରେ ବିଜେପିକୁ ଟାର୍ଗେଟ୍ କରିଥିଲେ। ଶ୍ରୀ ଆଚାର୍ଯ୍ୟ କହିଥିଲେ ଯେ ବିଜେପି ଓଡ଼ିଶାରେ ନବୀନ ବାବୁଙ୍କୁ କ୍ଷମତାରୁ ଦୂରେଇ ଦେବାକୁ ରଣନୀତି ପ୍ରସ୍ତୁତ କରୁଥିବା ବେଳେ ନବୀନ ବାବୁ ଓଡ଼ିଶାରୁ ଦାରିଦ୍ର‌୍ୟକୁ ଦୂରେଇବା ପାଇଁ ଚେଷ୍ଟା କରୁଛନ୍ତି। ବେଙ୍ଗାଲୁରୁରେ ବସି ଗରିବୀ, ବେକାରୀ ହଟାଇବା ଲାଗି ରଣନୀତି ତିଆରି କରୁଛନ୍ତି। ଦଶନ୍ଧି ପୂର୍ବରୁ ଓଡ଼ିଶାର ମୁଣ୍ଡପିଛା ଆୟ ୪ହଜାର ଟଙ୍କା ଥିବା ବେଳେ ଏବେ ତାହାର ୧୦,୬୧୫ଟଙ୍କା ହୋଇଛି। ଏଥିରେ ୨୫୦ ପ୍ରତିଶତ ବୃଦ୍ଧି ହୋଇଛି। ସେହିପରି ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ମଧ୍ୟ ଜାତୀୟ ହାରଠାରୁ ଅଧିକ ରହିଥିବା ସେ କହିଛନ୍ତି।

ସେଲ୍‌ଫି ପଏଣ୍ଟ ‘ଆଇ ଲଭ୍ ବିଜେଡି’
ପଦଯାତ୍ରା ପ୍ରସ୍ତୁତି ବୈଠକରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଯୁବଛାତ୍ର ବିଜେଡି କର୍ମକର୍ତା ଯୋଗ ଦେଇଛନ୍ତି। ସଭାସ୍ଥଳ ନିକଟରେ ଦଳ ପକ୍ଷରୁ ‘ଆଇ ଲଭ୍ ବିଜେଡି’ ସେଲ୍‌ଫି ପଏଣ୍ଟ କରାଯାଇଥିଲା। ସେଠାରେ ଫଟୋ ଉଠାଇବା ଲାଗି ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ସଭା ଶେଷ ପର୍ଯ୍ୟନ୍ତ କର୍ମୀମାନେ ନିଜ ନିଜ ମୋବାଇଲରେ ସେଲ୍‌ଫି ନେଇଥିଲେ।

ରାଜଧାନୀର ସବୁ ହୋଟେଲ, ଲଜ୍ ବୁକ୍
ଆଜି ଗୋଟିଏ ଭୁବନେଶ୍ବରରେ ବିଜେଡିର ଦୁଇଦିନିଆ ପଦଯାତ୍ରା ପ୍ରସ୍ତୁତି ବୈଠକ ଓ ବିଜେପର ରାଷ୍ଟ୍ରୀୟ ସଭାପତିଙ୍କ ସଭା ଅନୁଷ୍ଠିତ ହୋଇଥିଲା। ରାଜ୍ୟର କୋଣଅନୁକୋଣରୁ ଦୁଇଦଳର କର୍ମୀମାନେ ରାଜଧାନୀରେ ଏକାଠି ହୋଇଛନ୍ତି। ଏଥିପାଇଁ ଭୁବନେଶ୍ବରରେ ଥିବା ସବୁ ତାରକା ହୋଟେଲ, ଅଣତାରକା ଓ ଲଜ୍ ବୁକ୍ ହୋଇସାରିଛି। ବିଜେଡିର ଦୁଇଦିନ ପାଇଁ ବୈଠକ ଚାଲିବ ଓ ଦୂରସ୍ଥାନରୁ ଭୁବନେଶ୍ବର ଆସିଥିବାରୁ କାରଣରୁ ଆସନ୍ତା ରବିବାର ପର୍ଯ୍ୟନ୍ତ ସେମାନେ ଏହାକୁ ବୁକ୍ କରି ରଖିଛନ୍ତି। ତେଣୁ ରାଜନୈତିକ ଦଳର ବୈଠକ ପାଇଁ ରାଜଧାନୀର ହୋଟେଲ ଓ ଲଜ୍‌ଙ୍କ ଭଲ ରୋଜଗାର ହୋଇଛି।

କାନଧରି ଉଠ୍‌ବସ୍ ହେଲେ ବିଜେଡି କର୍ମୀ

ବରମୁଣ୍ଡାରେ ବିଜେଡିର ଚାଲିଥିବା ପଦଯାତ୍ରା ପ୍ରସ୍ତୁତି ବୈଠକରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି। ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟରେ ପ୍ରେରଣାଦାୟୀ ବକ୍ତା ଉଜ୍ଜ୍ବଳ ପଟ୍‌ନୀ ନିଜର ବକ୍ତବ୍ୟ ରଖିଥିଲେ। ହେଲେ ଏହା ପୂର୍ବରୁ ସମାବେଶରେ ଉପସ୍ଥିତ ଥିବା ବିଜେଡି କର୍ମୀ ଓ ନେତାଙ୍କୁ ଆଳସ୍ୟ ଭାଙ୍ଗିବାକୁ କାନଧରି ଉଠ୍‌ବସ୍ ହେବାକୁ କହିଥିଲେ। ତାଙ୍କ ପରାମର୍ଶ ମାନି ଉପସ୍ଥିତ କର୍ମୀମାନେ କାନଧରି ଉଠ୍‌ବସ୍‌ ହୋଇଥିଲେ।

ସମ୍ବନ୍ଧିତ ଖବର