ମେହେନ୍ତରଙ୍କ କ୍ବାର୍ଟର୍ସ ବାଣ୍ଟି ବିବାଦରେ ବିଏମ୍‌ସି

ଭୁବନେଶ୍ବର: ମେହେନ୍ତରଙ୍କ ପାଇଁ ଘର ନିର୍ମାଣ କଲେ କେନ୍ଦ୍ର ସରକାର। ଜାଗା ଦେଲା ସାଧାରଣ ପ୍ରଶାସନ ବିଭାଗ। କେବଳ ରକ୍ଷଣାବେକ୍ଷଣ ଦାୟିତ୍ବ ନେଲା ବିଏମ୍‌ସି। କିନ୍ତୁ ରକ୍ଷଣାବେକ୍ଷଣ କରୁକରୁ ପୂରା କୋଠାର ଅଘୋଷିତ ମାଲିକ ହୋଇଗଲା ବିଏମ୍‌ସି। ଯେତିକି ଘର ନିର୍ମାଣ ହେଲା, ସେତିକି ମେ‌ହେନ୍ତର ମିଳିଲେନି ବୋଲି ମନଇଚ୍ଛା ଅନ୍ୟ କର୍ମଚାରୀଙ୍କୁ ଘର ବାଣ୍ଟିଦେଲା। ଫଳରେ ପରବର୍ତ୍ତୀ ସମୟରେ ସେହି କର୍ମଚାରୀମାନେ ମାଲିକାନା ଜାହିର କରି ବିଏମ୍‌ସିକୁ କାଠଗଡ଼ାକୁ ଟାଣିଲେ। ଏଥି ପାଇଁ ବିଏମ୍‌ସି ମାମଲା ବୋଝ ବୋହି ଗୁଡ଼ାଏ ଅର୍ଥ ଖର୍ଚ୍ଚ କରିବା ସହ ମାମଲା ହାରିଚାଲିଲା। ବହୁ ଅଯୋଗ୍ୟ ହିତାଧିକାରୀ ଏବେ ସେଠାରେ ରହୁଥିବାର ସ୍ପଷ୍ଟ ହୋଇଥିଲେ ବି ହାଇକୋର୍ଟଙ୍କ ନି‌ର୍ଦ୍ଦେଶ ଯୋଗୁ ସେମାନଙ୍କୁ ଉଚ୍ଛେଦ କରାଯାଇପାରୁନି। ସେଠାରେ ରହୁଥିବା ଜଣେ କର୍ମଚାରୀଙ୍କୁ କ୍ବାର୍ଟର୍ସ ଖାଲି କରିବା ପାଇଁ ଏବେ ହାଇକୋର୍ଟ ନିର୍ଦ୍ଦେଶ ଦେଲା ପରେ ବହୁ ବର୍ଷ ତଳର ଘଟଣାଟି ଚର୍ଚ୍ଚାକୁ ଆସିଛି।

୧୯୫୬ ମସିହାରେ କେନ୍ଦ୍ର ସରକାର ମେହେନ୍ତରମାନଙ୍କ ପାଇଁ ସ୍ଲମ୍‌ କ୍ଲିୟରାନ୍ସ ସ୍କିମ୍‌ରେ ଘର ତିଆରି କରିବାକୁ ଯୋଜନା କରିଥିଲେ। ଏଥିପାଇଁ ସାଧାରଣ ପ୍ରଶାସନ (ଜିଏ) ବିଭାଗ ଜମି ଯୋଗାଇଥିବା ବେଳେ ବିଏମ୍‌ସି ରକ୍ଷଣାବେକ୍ଷଣ ଦାୟିତ୍ବ ନେଇଥିଲା। ୟୁନିଟ୍‌-୩ ମାଳିସାହି ଅଞ୍ଚଳରେ ଜେ, ଏସ୍‌ ଓ ଏଫ୍‌ ଟାଇପ୍‌ କ୍ବାର୍ଟର୍ସ ୧୪୮ଟି ରହିଥିବା ବେଳେ ପୁରୁଣା ଭୁବନେଶ୍ବର ହାଡ଼ିପୋଖରୀ ଅଞ୍ଚଳରେ ଏଚ୍‌ ଏଫ୍‌ ଟାଇପ୍‌ ୧୯ଟି ଓ ଶ୍ରୀରାମନଗରରେ ଏସ୍‌ଏଫ୍‌ ଟାଇପ୍‌ କ୍ବାର୍ଟର୍ସ ୧୮ଟି ଏଭଳି ମୋଟ ୧୮୫ ‘ସ୍ଲମ୍‌ କ୍ବାର୍ଟର୍ସ’ ନିର୍ମାଣ ହୋଇଥିଲା। ମେହେନ୍ତରମାନଙ୍କୁ ଚିହ୍ନଟ କରି ଏହି ସବୁ କ୍ବାର୍ଟର୍ସ ଯୋଗାଇ ଦିଆଯାଇଥିଲା। ତେବେ ଏହି ଯୋଜନା କେନ୍ଦ୍ର ସରକାର ବନ୍ଦ କରିଦେବା ପରେ ୨୦୧୩ ମସିହାରେ ‘ଆଫର୍ଡେବଲ୍‌ ଅର୍ବାନ୍‌ ହାଉସିଂ’ ସ୍କିମ୍‌ କାର୍ଯ୍ୟକ୍ଷମ ହୋଇଥିଲା।

ଏଣେ ଏତେ ପରିମାଣରେ ମେହେନ୍ତର ନ ମିଳିବାରୁ କେତେକ କ୍ବାର୍ଟର୍ସ ଖାଲି ପଡ଼ିଥିଲା। ତେଣୁ ବିଏମ୍‌ସି ଖାଲି ପଡ଼ିଥିବା ଘରକୁ ବିଏମ୍‌ସିରେ କାର୍ଯ୍ୟରତ କିରାଣୀ, ପିଅନ ଓ ମେହେନ୍ତର ଭିନ୍ନ ଅନ୍ୟ କର୍ମଚାରୀଙ୍କୁ ଦେଇ ଦେଇଥିଲା। ଏଥିପାଇଁ କମ୍‌ ପରିମାଣର ଭଡ଼ା ଧାର୍ଯ୍ୟ ହୋଇଥିଲା। ସର୍ତ୍ତ ଥିଲା ଅବସର ପରେ ସେ ସବୁକୁ କର୍ମଚାରୀମାନେ ଖାଲି କରିଦେବେ। ନିୟମ ମୁତାବକ କର୍ମଚାରୀ ଅବସର ନେବାର ୩ ମାସ ପୂର୍ବରୁ ଏ ବାବଦରେ ବିଏମ୍‌ସି ଏହି କର୍ମଚାରୀମାନଙ୍କୁ ଅବଗତ କରାଇ କ୍ବାର୍ଟର୍ସ ଖାଲି କରିବା କଥା। କିନ୍ତୁ କର୍ମଚାରୀ ଅବସର ନେବାର ବର୍ଷ ବର୍ଷ ବିତିଗଲା ପରେ ମଧ୍ୟ ବିଏମ୍‌ସି ଏହି କ୍ବାର୍ଟର୍ସ ଖାଲି କରିବା ପାଇଁ କର୍ମଚାରୀଙ୍କୁ ଚିଠି କରିନଥିଲା। କେତେକଙ୍କ ଠାରୁ ବର୍ଷ ବର୍ଷ ଧରି ଘର ଭଡ଼ା ମଧ୍ୟ ଆଦାୟ କରି ନଥିଲା।

ଅଧିକାର ନଥାଇ ବି କର୍ମଚାରୀଙ୍କୁ କ୍ବାର୍ଟର୍ସ ବାଣ୍ଟିଥିଲେ ବିଏମ୍‌ସି ଅଧିକାରୀ
ବେପରୁଆ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କେବେ?
ଘର ଖାଲି କରିବାକୁ ଜଣଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ

ବର୍ଷ ବର୍ଷ ବିତିଗଲା ପରେ ହଠାତ୍‌ ବିଏମ୍‌ସି କେତେକ କର୍ମଚାରୀଙ୍କୁ ଘର ଛାଡ଼ିବାକୁ ନୋଟିସ୍‌ କରିଥିଲା। କେତେକଙ୍କର ଘର ଭଡ଼ା ବାକି ଥିବାରୁ ପେନ୍‌ସନ୍‌ ମଧ୍ୟ ବନ୍ଦ କରି ଦେଇଥିଲା। ଏହି ଉଭୟ ପ୍ରସଙ୍ଗରେ ବିଏମ୍‌ସିର ଭୁଲ୍‌ ରହିଥିଲା। କର୍ମଚାରୀମାନେ ‌ଗୃହ ଓ ନଗର ଉନ୍ନୟନ ବିଭାଗର ଦ୍ବାରସ୍ଥ ହେବା ପରେ ହାଇକୋର୍ଟ ଗଲେ। ହାଇକୋର୍ଟରେ ସେମାନଙ୍କ ସପକ୍ଷ‌ରେ ରାୟ ଯିବା ସହ ବିଏମ୍‌ସି ହାରି ଯାଇଥିଲା। ସେଠାରେ ରହୁଥିବା କର୍ମଚାରୀଙ୍କ ନାମରେ ଏହି ଘରଗୁଡ଼ିକୁ ସେଟେଲ୍‌ କରିବାକୁ ଆଦେଶ ହୋଇଥିଲା। ୧୯୭୮ ମସିହାରେ ଗୃହ ଓ ନଗର ଉନ୍ନୟନ ବିଭାଗ ଏକ ରିଜଲ୍ୟୁସନ କରିଥିଲା କି ଏଠାରେ ରହୁଥିବା କର୍ମଚାରୀଙ୍କ ନାମରେ ଏହି ଘରଗୁଡ଼ିକୁ ସେଟେଲ୍‌ କରି ଦିଆଯାଉ। ବିଭାଗର ଏହି ରିଜଲ୍ୟୁସନକୁ ଆଧାର କରି କୋର୍ଟ ଆଦେଶ ଦେଇଥିଲେ। ଏଣୁ ଯେଉଁମାନେ ଏଠାରେ ରହିବା ପାଇଁ ଅଯୋଗ୍ୟ ସେମାନେ ମଧ୍ୟ ଏହି ଆଦେଶର ଫାଇଦା ନେଇଥିଲେ। ବିଏମ୍‌ସି କରିଥିବା ଚିଠି ଗୁଡ଼ିକୁ ବାତିଲ କରିଥିଲା।

କିନ୍ତୁ ଏବେ ବି କେତେକ ମାମଲା ବିଚାରାଧୀନ ରହିଛି। ଗତମାସରେ ବିଚାର ହୋଇଥିବା ଏକ ମାମଲାରେ ବିଏମ୍‌ସିର ଅବସରପ୍ରାପ୍ତ କର୍ମଚାରୀ ହେମଲତା ଜେନା କ୍ବାର୍ଟର୍ସ ପାଇବା ମାମଲାରେ ହାରି ଯାଇଛନ୍ତି। ମେ’ ମାସ ସୁଦ୍ଧା ଏହି ସ୍ଲମ୍‌ କ୍ବାର୍ଟର୍ସ ଖାଲି କରିବାକୁ କୋର୍ଟ ଆଦେଶ ଦେଇଛନ୍ତି। ଏବେ ପ୍ରଶ୍ନ ଉଠୁଛି ପୂର୍ବରୁ ଯେଉଁମାନଙ୍କୁ ବିଏମ୍‌ସି କ୍ବାର୍ଟର୍ସ ଆବଣ୍ଟନ କରିଥିଲା ବା ଯେଉଁମାନେ କୋର୍ଟଙ୍କ ଆଦେଶ ବଳରେ କ୍ବାର୍ଟର୍ସରେ ରହିବା ପାଇଁ ସ୍ବୀକୃତିପ୍ରାପ୍ତ ହୋଇଛନ୍ତି ସେମାନଙ୍କୁ ବେଆଇନ ଦର୍ଶାଇବା ପାଇଁ ବିଏମ୍‌ସି କୋର୍ଟ ଯିବ କି? କିମ୍ବା ଯେଉଁ ଅଧିକାରୀଙ୍କ ଅବହେଳା ଯୋଗୁ କ୍ବାର୍ଟର୍ସଗୁଡ଼ିକ ଚାଲିଗଲା ବା ବିଏମ୍‌ସି ହାରିଗଲା ସେମାନଙ୍କ ଉପରେ କ’ଣ କାର୍ଯ୍ୟାନୂଷ୍ଠାନ ହେବ?

ସମ୍ବନ୍ଧିତ ଖବର