ନୂଆଦିଲ୍ଲୀ: ସାଇବର୍ ଅପରାଧ ଦେଶ ପାଇଁ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଦିନକୁ ହାରାହାରି ଭାବେ ୭ ହଜାର ଅଭିଯୋଗ ଜାତୀୟ ସାଇବର ଅପରାଧ ରିପୋର୍ଟିଂ ପୋର୍ଟାଲ୍ରେ ପଞ୍ଜୀକୃତ ହେଉଛି। କାମ୍ବୋଡ଼ିଆ, ମ୍ୟାମାର ଓ ଲାଓସ୍ ଭଳି ଦେଶରୁ ସାଇବର୍ ଅପରାଧୀମାନେ ଭାରତୀୟଙ୍କୁ ଟାର୍ଗେଟ୍ କରୁଛନ୍ତି। ସାଇବର୍ ଅପରାଧରେ ଭାରତୀୟମାନେ ଚଳିତ ବର୍ଷର ପ୍ରଥମ ଚାରି ମାସରେ ୭,୦୬୧ କୋଟି ଟଙ୍କା ହରାଇଛନ୍ତି ବୋଲି ଭାରତୀୟ ସାଇବର ଅପରାଧ ସଂଯୋଜନା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
![Sambad Whatsapp](https://cdn-icons-png.flaticon.com/512/2504/2504957.png)
Sambad is now on WhatsApp
Join and get latest news updates delivered to you via WhatsApp
କେନ୍ଦ୍ରର ସିଇଓ ରାଜେଶ କୁମାର କହିଛନ୍ତି ଯେ ସାଇବର୍ ଅପରାଧ ଲାଗି ବ୍ୟବହାର ହେଉଥିବା ୱେବ୍ ଆପ୍ଲିକେସନ୍ଗୁଡ଼ିକରେ ମାଣ୍ଡାରିନ୍ (ଚୀନ୍ର ଭାଷା) ବ୍ୟବହାର କରାଯାଇଛି। ତେଣୁ ଏଭଳି ଠକେଇଗୁଡ଼ିକ ପଛରେ ଚୀନ୍ର ହାତ ଥିବା ସନ୍ଦେହ କରାଯାଉଛି। ମାତ୍ର ବ୍ୟାପକ ଭାବେ ଦେଖିଲେ ୪୪,୦୦୦ ଚୀନ୍ ନାଗରିକ ମଧ୍ୟ ସାଇବର୍ ଅପରାଧର ଶିକାର ହୋଇଛନ୍ତି। ତେଣୁ ସାଇବର ଅପରାଧୀଙ୍କ ବିଶ୍ବସ୍ତରରେ ଏକ ବଡ଼ ନେଟ୍ୱର୍କ ରହିଛି ବୋଲି କୁହାଯାଇପାରିବ।
ମିଳିଥିବା ତଥ୍ୟ ଅନୁସାରେ ୨୦୧୯ରେ ସାଇବର୍ ଅପରାଧ ସମ୍ପର୍କିତ ୨୦,୦୪୯ ଅଭିଯୋଗ ଆସିଥିଲା। ୨୦୨୦ରେ ସେହି ସଂଖ୍ୟା ୨,୫୭,୦୦୦, ୨୦୨୧ରେ ୪,୫୨,୦୦୦, ୨୦୨୨ରେ ୯,୬୬,୦୦୦ ଓ ୨୦୨୩ରେ ୧.୫୬ ନିୟୁତ ଅଭିଯୋଗ ଆସିଥିଲା। ୨୦୨୪ରେ ଏପ୍ରିଲ୍ ୩୦ ସୁଦ୍ଧା ୭,୪୦,୦୦୦ ସାଇବର୍ ଅପରାଧ ଅଭିଯୋଗ ପଞ୍ଜୀକୃତ ହୋଇଛି।
ଭାରତୀୟମାନେ ଶିକାର ହେଉଥିବା ଠକେଇଗୁଡ଼ିକ ମଧ୍ୟରେ ରହିଛି ଡିଜିଟାଲ୍ ଗିରଫ ମାମଲା। ଏଥିରେ ଅପରାଧୀମାନେ ଲୋକମାନଙ୍କୁ ଡ୍ରଗ୍ସ କାରବାର ସହ ଲିପ୍ତ ଥିବା ମିଛ ଅଭିଯୋଗ ଆଣି ତାଙ୍କ ବନ୍ଧୁବାନ୍ଧବ ଓ ସମ୍ପର୍କୀୟଙ୍କୁ ସେକଥା ଜଣାଇ ଦେଉଛନ୍ତି। ନକଲି ପୁଲିସ ଅଧିକାରୀ ସାଜି ଭିଡିଓକଲ୍ ମାଧ୍ୟମରେ ଗିରଫ କରିବା ନାଟକ କରୁଛନ୍ତି। କିଛି ଲୋକ ଭୟଭୀତ ହୋଇ ସେମାନେ ମାଗୁଥିବା ପାଣ୍ଠି ଦେଇ ମାମଲା ରଫାଦଫା କରୁଛନ୍ତି। ଆଉ ଏକ ପ୍ରକାର ଠକେଇ ହେଉଛି ଟ୍ରେଡିଂ ସ୍କାମ୍। ଏଥିରେ ଲୋକମାନଙ୍କୁ ନିବେଶ ଉପରେ ମୋଟା ଅଙ୍କର ଲାଭ ଦେବାର ପ୍ରତିଶ୍ରୁତି ଦେଇ ଟଙ୍କା ଲୁଟ୍ କରାଯାଉଛି। ସେହିପରି ନିବେଶ ସ୍କାମ୍ ରହିଛି, ଯେଉଁଥିରେ ଲୋକପ୍ରିୟ କମ୍ପାନିର ପ୍ରତିନିଧି ଭାବେ ଲୋକଙ୍କୁ ନିବେଶ ନାଁରେ ଭୁଆଁ ବୁଲାଇବାକୁ ଚେଷ୍ଟା କରାଯାଉଛି।
ରୋମାନ୍ସ ଓ ଡେଟିଂ ନାଁରେ ମଧ୍ୟ ଠକେଇ ହେଉଛି। ଡିଜିଟାଲ୍ ଗିରଫ ସ୍କାମ୍ରେ ଭାରତୀୟମାନେ ୧୨୦.୩୦ କୋଟି ଟଙ୍କା ହରାଇଥିବା ବେଳେ ଟ୍ରେଡିଂ ସ୍କାମ୍ରେ ୧୪୨୦.୪୮ କୋଟି ଟଙ୍କା, ନିବେଶ ସ୍କାମ୍ରେ ୨୨.୫୮ କୋଟି ଟଙ୍କା ଏବଂ ରୋମାନ୍ସ ଓ ଡେଟିଂ ସ୍କାମ୍ରେ ଲୋକମାନେ ୧୩.୨୩ କୋଟି ଟଙ୍କା ହରାଇଛନ୍ତି। ସାଇବର୍ ଅପରାଧର ମୁକାବିଲା କରିବା ଲାଗି ଭାରତୀୟ ଏଜେନ୍ସିଗୁଡ଼ିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୩,୨୫,୦୦୦ ମ୍ୟୁଲ୍ ଖାତା ବନ୍ଦ କରିଥିବା ବେଳେ ୩,୦୦୦ରୁ ଅଧିକ ୟୁଆର୍ଏଲ୍, ୫,୩୦,୦୦୦ ସିମ୍ କାର୍ଡ, ୮୦,୮୪୮ ଆଇଏମ୍ଇଆଇ ନମ୍ବର ଓ ୫୯୫ ଆପ୍କୁ ଅଚଳ କରିଛନ୍ତି।