ପ୍ରଥମ ଗ୍ରିନ୍ ହାଇଡ୍ରୋଜେନ୍ ପ୍ରକଳ୍ପ ଗୋପାଳପୁରରେ: ଟାଟା ଏସ୍‌ଇଜେଡ୍‌-ଏସିଏମ୍‌ଇ ମଧ୍ୟରେ ଏମ୍‌ଓୟୁ

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲାର ଗୋପାଳପୁର ରାଜ୍ୟର ପ୍ରଥମ ଗ୍ରିନ୍ ହାଇଡ୍ରୋଜେନ୍ ଓ ଗ୍ରିନ୍ ଆମୋନିଆ ପ୍ରକଳ୍ପ ସ୍ଥାପନ କରାଯିବ। ଗୁରୁଗ୍ରାମର ଏସିଏମ୍‌ଇ ଗ୍ରୁପ୍ ପକ୍ଷରୁ ୨୭,୦୦୦ କୋଟି ଟଙ୍କା ବିନିଯୋଗରେ ଟାଟା ଷ୍ଟିଲ୍‌ ଏସ୍‌ଇଜେଡ୍‌ର ଗୋପାଳପୁର ଶିଳ୍ପାଞ୍ଚଳରେ ଏହି କାରଖାନା ସ୍ଥାପନ କରାଯିବ। ଏହାର ଗ୍ରିନ୍ ‌ଆମୋନିଆ ଉତ୍ପାଦନ କ୍ଷମତା ବାର୍ଷିକ ୧.୩ ନିୟୁତ ଟନ୍ ରହିବ। ଗ୍ରିନ୍ ହାଇଡ୍ରୋଜେନ୍‌ରୁ ଗ୍ରିନ୍ ଆମୋନିଆ ଉତ୍ପାଦନ କରାଯିବ। ଆଜି ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ଓ ଇପିକଲ୍‌ର ଇଡି କଲ୍ୟାଣ ମହାନ୍ତିଙ୍କ ଉପସ୍ଥିତିରେ ଭୁବନେଶ୍ବରରେ ଟାଟା ଏସ୍‌ଇଜେଡ୍‌ ଓ ଏସିଏମ୍‌ଇ ଗ୍ରୁପ୍‌ ମଧ୍ୟରେ ଏକ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷର ହୋଇଛି।

ବୁଝାମଣା ଅନୁସାରେ ଟାଟା ଏସ୍‌ଇଜେଡ୍‌ରେ ଥିବା ୩୪୩ ଏକର ଜମିକୁ ଏସିଏମ୍‌ଇ ଗ୍ରୁପ୍ ଅଧିଗ୍ରହଣ କରିବ। କଂପାନିର କାରଖାନାରୁ ଉତ୍ପାଦନ ହେବାକୁ ଥିବା ଗ୍ରିନ୍ ଆମୋନିଆକୁ ଗୋପାଳପୁର ବନ୍ଦର ଜରିଆରେ ରପ୍ତାନି କରାଯିବ। ଏହି କାରଖାନାରୁ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ମୂଲ୍ୟରେ ଗ୍ରିନ୍ ହାଇଡ୍ରୋଜେନ୍ ଓ ଗ୍ରିନ୍ ଆମୋନିଆକୁ ଦେଶବିଦେଶରେ ଉପଲବ୍ଧ କରାଯିବ ବୋଲି ଏସିଏମ୍‌ଇର ପ୍ରତିଷ୍ଠାତା ମନୋଜ କେ. ଉପାଧ୍ୟାୟ କହିଛନ୍ତି। ଏହି ଅବସରରେ ଟାଟା ଏସ୍‌ଇଜେଡ୍‌ର ଏମ୍‌ଡି ମଣିକାନ୍ତ ନାୟକ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର