ଜାନୁଆରିରେ ୬.୫୭%କୁ ହ୍ରାସ ପାଇଛି ଭାରତର ବେକାରୀ ହାର; ୪ର୍ଥ ସ୍ଥାନରେ ଓଡ଼ିଶା: ‘ସିଏମ୍‌ଆଇଇ’

ନୂଆଦିଲ୍ଲୀ: ଜାନୁଆରି ମାସରେ ଭାରତର ବେକାରୀ ହାର ୬,୫୭% ହ୍ରାସ ପାଇଛି, ଯାହା ୨୦୨୧ ମାର୍ଚରୁ ଏପର୍ଯ୍ୟନ୍ତ ସର୍ବନିମ୍ନ ବୋଲି ‘ସେଣ୍ଟର୍‌ ଫର୍‌ ମନିଟରିଙ୍ଗ୍‌ ଇଣ୍ଡିଆନ୍‌ ଇକୋନମି’ (ସିଏମ୍‌ଆଇଇ) କହିଛି।

‘ସିଏମ୍‌ଆଇଇ’ ତଥ୍ୟ ଅନୁସାରେ, ଜାନୁଆରି ମାସରେ ନଗରାଞ୍ଚଳରେ ବେକାରୀ ହାର ୮.୧୬% ଥିବା ବେଳେ ମଫସଲ ଅଞ୍ଚଳରେ ସର୍ବନିମ୍ନ (୫,୮୪%) ରହିଥିଲା। ଡିସେମ୍ବର ମାସରେ ଦେଶରେ ବେକାରୀ ସଂଖ୍ୟା ଥିଲା ୭.୯୧%। ସେଥିରୁ ନଗରାଞ୍ଚଳରେ ବେକାରୀ ହାର ୯.୩୦% ଥିବା ବେଳେ ମଫସଲ ଅଞ୍ଚଳରେ ୭.୨୮% ଥିଲା।

ଜାନୁଆରି ମାସର ତଥ୍ୟାବଳୀ ଅନୁସାରେ, ତେଲେଙ୍ଗାନାରେ ବେକାରୀ ହାର ଥିଲା ୦.୭%, ଯାହା ଦେଶରେ ସର୍ବନିମ୍ନ ବୋଲି ଜଣାପଡ଼ିଛି। ୧,୨% ବେକାରୀ ହାର ଥାଇ ତା’ପଛକୁ ଥିଲା ଗୁଜରାଟ। ସେହିପରି, ୧.୫% ବେକାରୀ ହାର ଥାଇ ମେଘାଳୟ ତୃତୀୟ ସ୍ଥାନରେ ଥିବା ବେଳେ ୧.୮% ବେକାରୀ ହାର ଥାଇ ଓଡ଼ିଶା ୪ର୍ଥ ସ୍ଥାନରେ ଥିଲା।

Image Courtesy of Mint

କିନ୍ତୁ, ହରିୟାଣାରେ ଓ ତା’ପଛକୁ ରାଜସ୍ଥାନର ବେକାରୀ ହାର ସର୍ବାଧିକ (ଯଥାକ୍ରମେ ୨୩.୪% ଓ ୧୮.୯%) ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି।

୨୦୨୧ ଡିସମ୍ବେର ସୁଦ୍ଧା ଭାରତରେ ୫୩ ନିୟୁତ ବେକାରୀ ଥିବା କଥା ‘ସିଏମ୍‌ଆଇଇ’ ଆକଳନ କରିଥିଲା। ସେଥିରୁ ବହୁଳାଂଶ ହେଉଛନ୍ତି ମହିଳା।

ଡିସେମ୍ବର ମାସର ତଥ୍ୟ ଅନୁଶୀଳନ କରିଥିବା ‘ସିଏମ୍‌ଆଇଇ’ର ଏମ୍‌ଡି ତଥା ସିଇଓ ମହେଶ ବ୍ୟାସ କହିଛନ୍ତି, ୨୦୨୧ ଡିସେମ୍ବରରେ ୩୫ ନିୟୁତ ଲୋକ ସକ୍ରିୟ ଭାବେ କାର୍ଯ୍ୟ ସନ୍ଧାନ କରୁଥିଲେ। ସେମାନଙ୍କ ମଧ୍ୟରୁ ୨୩% ବା ୮ ନିୟୁତ ହେଉଛନ୍ତି ମହିଳା।

ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଚାଲେଞ୍ଜ୍‌ ହେଲା, ସକ୍ରିୟ ଭାବେ କର୍ମସଂସ୍ଥାନ ସନ୍ଧାନ କରୁ ନ ଥିବା ଏବଂ କର୍ମସଂସ୍ଥାନ ପାଇ ନ ଥିବା କିନ୍ତୁ, କାମ ମିଳିଲେ କରିବେ ବୋଲି ଇଚ୍ଛୁକ ଥିବା ଆହୁରି ୧୭ ନିୟୁତ ଲୋକଙ୍କୁ କର୍ମସଂସ୍ଥାନ ଯୋଗାଇ ଦେବା।

ସମ୍ବନ୍ଧିତ ଖବର