ବିଶ୍ୱର ପ୍ରଥମ ଉଡ଼ନ୍ତା ବାଇକ୍‌ ଉନ୍ମୋଚନ କଲା ଜାପାନୀ କମ୍ପାନି; ମୂଲ୍ୟ ୫.୧ କୋଟି ଟଙ୍କା

ନୂଆଦିଲ୍ଲୀ: ଜାପାନର ‘ଏ.ଏଲ୍‌.ଇ. ଟେକ୍ନୋଲୋଜିସ୍‌ ଇନ୍‌କର୍ପୋରେଟେଡ୍‌’ ନାମକ କମ୍ପାନି ବିଶ୍ୱର ପ୍ରଥମ ଉଡ଼ନ୍ତା ବାଇକ୍‌ ‘ଦି ଟୁରିଜିମୋ ଲିମିଟେଡ୍‌ ଏଡିସନ୍‌’ ଉନ୍ମୋଚନ କରିଛି। ଧନିକ ଏବଂ ପ୍ରସିଦ୍ଧ ବ୍ୟକ୍ତିବିଶେଷଙ୍କ ଚାହିଦା ପ୍ରତି ଦୃଷ୍ଟି ଦେଇ ତିଆରଇ ହେଉଥିବା ଏହି ବାଇକ୍‌ର ମୂଲ୍ୟ ରଖାଯାଇଛି ୫.୧ କୋଟି ଟଙ୍କା। ଫୁଟ୍‌ବଲ୍‌ ଖେଳାଳି କେଇସୁକେ ହୋଣ୍ଡାଙ୍କ ପୃଷ୍ଠପୋଷକତାରେ ୨୦୧୭ ଠାରୁ ଉପରୋକ୍ତ କମ୍ପାନି ‘ଦି ଟୁରିଜିମୋ ଲିମିଟେଡ୍‌ ଏଡିସନ୍‌’ର ‘ପ୍ରୋଟୋଟାଇପ୍‌’ ଉପରେ କାର୍ଯ୍ୟ ଚଳାଇଥିଲା।

୨୦୨୨ର ପ୍ରଥମାର୍ଦ୍ଧରେ ଡେଲିଭରି ଆରମ୍ଭ ହେବାକୁ ଥିବା ‘ଦି ଟୁରିଜିମୋ ଲିମିଟେଡ୍‌ ଏଡିସନ୍‌’ ଉଡ଼ନ୍ତା ବାଇକ୍‌ ନିମନ୍ତେ ସମ୍ପ୍ରତି ‘ବୁକିଙ୍ଗ୍‌’ ଆରମ୍ଭ ହୋଇଯାଇଛି।
କମ୍ପାନି କହିବା ଅନୁସାରେ, ‘ଦି ଟୁରିଜିମୋ ଲିମିଟେଡ୍‌ ଏଡିସନ୍‌’ କେବଳ ପରିବହନର ନୂତନ ମାଧ୍ୟମ ନୁହେଁ, ଶୂନ୍ୟରେ ଯାତାୟାତ କରିବାର ଗୋଟାଏ ‘ଆଇକନ୍‌’ ମଧ୍ୟ। ଘଣ୍ଟାପ୍ରତି ୧୦୦ କିଲୋମିଟର୍‌ ବେଗରେ ଏହା ୪୦ ମିନିଟ୍‌ ପର୍ଯ୍ୟନ୍ତ ଉଡ଼ିପାରିବ।

Image Courtesy of India Today

ଏଥିରେ ଲାଗିଛି ଗୋଟାଏ ଗତାନୁଗତିକ ଇଞ୍ଜିନ୍‌ ଏବଂ ବ୍ୟାଟେରି ୪ଟି ମୋଟର୍‌। ମୋଟର୍‌ସାଇକେଲ୍‌ ଭଳି ଦିଶୁଥିବା ‘ଦି ଟୁରିଜିମୋ ଲିମିଟେଡ୍‌ ଏଡିସନ୍‌’ ‘ପ୍ରୋପେଲର୍ସ’ ଉପରେ ରହିଛି। ତଳକୁ ଓହ୍ଲାଇବା ପରେ ଏହା ‘ଲ୍ୟାଣ୍ଡିଙ୍ଗ୍‌ ସ୍କିଡ୍‌’ ଉପରେ ଠିଆହୋଇ ରହେ।

‘ଫୁଜି ଶୃଙ୍ଗ’ ନିକଟରେ କେତେଜଣ ନିର୍ବାଚିତ ସଦସ୍ୟଙ୍କଦ୍ୱାରା କମ୍ପାନି ଉକ୍ତ ଉଡ଼ନ୍ତା ବାଇକ୍‌ର ଉଡ଼ାଣ ପ୍ରଦର୍ଶନ କରିଛି।

‘ଏ.ଏଲ୍‌.ଇ. ଟେକ୍ନୋଲୋଜିସ୍‌ ଇନ୍‌କର୍ପୋରେଟେଡ୍‌’ ମାତ୍ର ୨୦୦ ସଂଖ୍ୟକ ‘ଦି ଟୁରିଜିମୋ ଲିମିଟେଡ୍‌ ଏଡିସନ୍‌’ ଉଡ଼ନ୍ତା ବାଇକ୍‌ ଉତ୍ପାଦନ କରିବା ପାଇଁ ଯୋଜନା କରିଛି।
ସୂଚନାଯୋଗ୍ୟ, ସହରର କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳ, ପରିସର ଓ ରାସ୍ତାରେ ଉଡ଼ାଣ ପାଇଁ ‘ଦି ଟୁରିଜିମୋ ଲିମିଟେଡ୍‌ ଏଡିସନ୍‌’କୁ ଅନୁମତି ମିଳିବ। ଏହା ବ୍ୟତିରେକେ, ଉଦ୍ଧାର କାର୍ଯ୍ୟ ନିମନ୍ତେ ପହଞ୍ଚି ହେଉ ନ ଥିବା ସ୍ଥାନରେ ପହଞ୍ଚିବା ଲାଗି ମଧ୍ୟ ଏହାକୁ ବ୍ୟବହାର କରାଯାଇ ପାରିବ।

ସମ୍ବନ୍ଧିତ ଖବର