ଟଙ୍କା ବିନା ବି ବଞ୍ଚିବା ସମ୍ଭବ ! ବିରଳ ଉଦାହରଣ ସୃଷ୍ଟି କଲେ ମାର୍କ ବୟେଲ୍‌

କଥାରେ ଅଛି, ‘ଏ ଭବେ ଅର୍ଥ ନାହିଁ ଯାର, ବିଫଳ କରମ ତାହାର’। ଅର୍ଥାତ୍‌ ଏ ଦୁନିଆରେ ବଞ୍ଚି ରହିବା ପାଇଁ ଅର୍ଥ ଅପରିହାର୍ଯ୍ୟ। ମାତ୍ର ୟୁନାଇଟେଡ୍‌ କିଙ୍ଗଡମ୍‌ର ‘ଅର୍ଥବିହୀନ ମଣିଷ’ ଭାବେ ପରିଚିତ ମାର୍କ ବୟେଲ୍‌ ନାମକ ବ୍ୟକ୍ତି ୨୦୦୮ ମସିହାରୁ ଏକ ଅର୍ଥରହିତ ଜୀବନଶୈଳୀ ବଜାୟ ରଖିବା ଅବିଶ୍ବସନୀୟ ଲାଗୁଥିଲେ ବି ସତ। ତା’ ଅର୍ଥ ନୁହେଁ ଯେ ସେ ଡିଜିଟାଲ ଜ୍ଞାନକୌଶଳକୁ ଆପଣେଇ ନିଜର କାରବାର କରୁଛନ୍ତି। ବରଂ, ସେ ସମସ୍ତ ପ୍ରକାର ଅତ୍ୟାଧୁନିକ ଜ୍ଞାନକୌଶଳଠାରୁ ଦୂରେଇ ରହି ଏକ ‘ପ୍ରାକୃତିକ’ ଜୀବନ ବିତାଉଛନ୍ତି।

ବାଣିଜ୍ୟ ଓ ଅର୍ଥନୀତିରେ ସ୍ନାତକ ଡିଗ୍ରି କରିଥିବା ବୟେଲ୍‌ ଶିକ୍ଷା ସରିବା ପରେ ପରେ ବ୍ରିଷ୍ଟଲଠାରେ ଏକ ଜୈବିକ ଖାଦ୍ୟ କମ୍ପାନିରେ ନିଯୁକ୍ତି ପାଇଥିଲେ। ସମାଜରେ ନିଜର ପରିଚିତି ପାଇଁ ଭଲ ଚାକିରି ସାଙ୍ଗକୁ ଅନ୍ୟାନ୍ୟ ଆନୁଷଙ୍ଗିକ ପାର୍ଥିବ ବସ୍ତୁ ମଧ୍ୟ ସେ ଆହରଣ କରିପାରିଥିଲେ। ତେବେ ୨୦୦୭ ମସିହାରେ ଜଣେ ବନ୍ଧୁ ସହ ଏକ ଦାର୍ଶନିକ ବିତର୍କ ତାଙ୍କର ସବୁ କିଛି ବଦଳେଇ ଦେଇଥିଲା।

ସେମାନେ ପୃଥିବୀର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ଅବସରରେ ଅର୍ଥ ହିଁ ସବୁ ଅନର୍ଥର କାରଣ ବୋଲି ହୃଦୟଙ୍ଗମ କରିଥିଲେ। ତେଣୁ ତାହା ବିନା ବଞ୍ଚିବା ସମ୍ଭବ କି ନୁହେଁ ତାହା ଅଙ୍ଗେ ନିଭାଇବା ପାଇଁ ସେ ଅର୍ଥ ବର୍ଜନ ପାଇଁ ନିଷ୍ପତ୍ତି ନେଇଥିଲେ। ତେବେ ଏପରି ବିଳାସବ୍ୟସନ ତ୍ୟାଗ ତାଙ୍କ ପାଇଁ ପ୍ରଥମେ ପ୍ରଥମେ କଷ୍ଟକର ହୋଇଥିଲା। ମାତ୍ର କିଛି ମାସ ପରେ ସେ ପ୍ରକୃତି ସହ ଚଳିବାରେ ଅଭ୍ୟସ୍ତ ହୋଇଗଲେ। ତାଙ୍କର ଏହି ଅର୍ଥରହିତ ଜୀବନଶୈଳୀ ଭାଇରାଲ୍‌ ହୋଇଥିଲା ଯେତେବେଳେ ସେ ତାଙ୍କ ପୁସ୍ତକ ‘ଦି ମନିଲେସ୍‌ ମ୍ୟାନ୍‌’ ଉନ୍ମୋଚନ କରିଥିଲେ। ଏଥିରେ ସେ ତାଙ୍କ ଜୀବନଶୈଳୀ ରୂପନ୍ତରୀକରଣରେ ସମ୍ମୁଖୀନ ହୋଇଥିବା ଆହ୍ବାନଗୁଡ଼ିକର ବିସ୍ତୃତ ବିବରଣୀ ଦେଇଛନ୍ତି।

ବିଦ୍ୟୁତ୍‌, ଇଣ୍ଟରନେଟ୍‌, ଯନ୍ତ୍ରପାତି ବିନା ସେ ଯେଉଁଭଳି ଜୀବନଯାପନ କରୁଛନ୍ତି ତାହା ସହଜ ନୁହେଁ ଏବଂ ତାଙ୍କ ଉଦାହରଣକୁ ଅନୁସରଣ କରିବା ମଧ୍ୟ କଷ୍ଟକର ବୋଲି ସେ ସ୍ବୀକାର କରନ୍ତି। ତେବେ ତାଙ୍କର ଏହି ଜୀବନଶୈଳୀ ଲୋକଙ୍କୁ ଅର୍ଥ ଓ ଶିଳ୍ପାୟନ ଉପରେ କମ୍‌ ନିର୍ଭରଶୀଳ କରାଇବାକୁ ପ୍ରେରଣା ଦେଉଛି ଯାହା ଶାଶ୍ବତ ଶାନ୍ତିର ପଥ ଉନ୍ମୋଚନ କରିବ ବୋଲି ସେ ଆଶାବାଦୀ ଅଛନ୍ତି।

ସମ୍ବନ୍ଧିତ ଖବର