ଶିକ୍ଷା ବିଭାଗର ଅବହେଳା ଯୋଗୁ ଫେରିଗଲା ୪୩ ଲକ୍ଷ

ଷ୍ଟାର ସ୍କିମ ଯୋଗୁଁ ଉପକୃତ ହୋଇଥାନ୍ତେ ୧୧ଟି ବ୍ଲକର ୫୧ ଜଣ ଡ୍ରପଆଉଟ ଛାତ୍ର

ରାୟଗଡା: ୨୦୨୧ ମସିହାରେ କେନ୍ଦ୍ର ସରକାରଙ୍କ ଷ୍ଟାର ସ୍କିମ ମାଧ୍ୟମରେ ଡ୍ରପଆଉଟ ପିଲାମାନଙ୍କୁ ପାଠ ପଢାଇ ଥଇଥାନ କରିବା ନିମନ୍ତେ ଶିକ୍ଷା ବିଭାଗକୁ ନିର୍ଦେଶ ଆସିଥିଲା। ଏନେଇ ରାୟଗଡା ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ୧୧ଟି ବ୍ଲକରୁ ଡ୍ରପଆଉଟ ଛାତ୍ରଙ୍କୁ ଖୋଜି ବାହାର କରିବା କାର୍ଯ୍ୟ ଆରମ୍ଭ କରାଗଲା। ୧୧ଟି ବ୍ଲକରୁ ମୋଟ ୫୧ ଜଣ ଆଦିବାସୀ ଛାତ୍ରଙ୍କୁ ଏହି ଯୋଜନାରେ ସାମିଲ କରିବା ନିମନ୍ତେ ଚିହ୍ନଟ କରାଯାଇଥିଲା। ସେଥିମଧ୍ୟରୁ ବିଷମକଟକ ବ୍ଲକରୁ ୫ ଜଣ, ଗୁଡାରୀରୁ ଜଣେ, କାଶୀପୁର ବ୍ଲକରୁ ୪ ଜଣ, କୋଲନରା ବ୍ଲକରୁ ୧୪ ଜଣ, ମୁନିଗୁଡା ବ୍ଲକରୁ ୧୦ ଜଣ, ରାୟଗଡା ବ୍ଲକରୁ ୧୪ ଜଣ, ରାୟଗଡା ପୌର ପରିଷଦରୁ ୩ ଜଣଙ୍କୁ ଖୋଜି ବାହାର କରାଯାଇଥିଲା। ଅନ୍ୟ ବ୍ଲକ ଗୁଡିକରେ ଡ୍ରପଆଉଟ ପିଲା ନଥିବା କୁହାଯାଇଥିଲା।

ପ୍ରକାଶ ଥାଉ କି, କେବଳ ୧୪ ରୁ ୧୬ ବର୍ଷ ଛାତ୍ରମାନଙ୍କୁ ହିଁ ଡ୍ରପଆଉଟ ତାଲିକାରେ ଗ୍ରହଣ କରାଯାଇଥିଲା। ଏହି ୫୧ ଜଣ ଛାତ୍ରଙ୍କୁ ରାୟଗଡା ସ୍ଥିତ ଜିସିଡି ହାଇସ୍କୁଲ ଠାରେ ରହିବା ଓ ପାଠ ପଡିବା ନିମନ୍ତେ ସ୍ଥିର କରା ଯାଇଥିଲା। ଏମାନଙ୍କର ରହିବା, ଖାଇବା ଏବଂ ଷ୍ଟାଫର ଦରମା ବାବଦକୁ କେନ୍ଦ୍ର ସରକାର ୪୩ ଲକ୍ଷ ଟଙ୍କା ଅନୁଦାନ ପଠାଇ ଥିଲେ। ଠିକ ସମୟରେ ଏହି ଯୋଜନା ଆରମ୍ଭ ନହେବା କାରଣରୁ ୪୩ ଲକ୍ଷ ଟଙ୍କା ଫେରି ଯାଇଥିବା ଶିକ୍ଷା ବିଭାଗ କହିଛି। ତେବେ ଏହି ଯୋଜନାର ଉଦେଶ୍ୟ ଥିଲା ଆଦିବାସୀ ଛାତ୍ରମାନେ ମୁଖ୍ୟ ସ୍ରୋତରେ ସାମିଲ ହେବେ ଏବଂ ପୁଣି ଶିକ୍ଷା ଲାଭ କରି ଆଗକୁ ବଢିବେ। କିନ୍ତୁ ସରକାରଙ୍କର ଏହି ଯୋଜନା କେବଳ ଯୋଜନାରେ ସୀମିତ ରହିବା ସହ ଡ୍ରପଆଉଟ ପିଲାଙ୍କ ଭବିଷ୍ୟତ ମଧ୍ୟ ନଷ୍ଟ ହେଲା ବୋଲି କୁହାଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସୂଚନା ଅନୁଯାୟୀ ଷ୍ଟାର ସ୍କିମ ମଧ୍ୟମରେ ୨୦୨୧-୨୨ରେ ଡ୍ରପଆଉଟ ପିଲାଙ୍କୁ ପାଠ ପଢା ନିମନ୍ତେ ଶିକ୍ଷା ବିଭାଗର ଜିରୋ ଆକାଉଣ୍ଟ ଖାତାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଷ୍ଟାର ଯୋଜନାରେ ୪୩ ଲକ୍ଷ ଟଙ୍କା ଆସିଥିଲା।

୨୦୨୨-୨୩ରେ ପିଲାଙ୍କୁ ଖୋଜି ବାହାରର କରିବା ପରେ ୨୦୨୩-୨୪ରେ ପିଲାଙ୍କ ଶିକ୍ଷା ବର୍ଷ ଆରମ୍ଭ ହୋଇଥାନ୍ତା। କିନ୍ତୁ ଠିକ ସମୟରେ ଏହା କାର୍ଯ୍ୟକାରୀ ହୋଇ ପାରିନଥିବାରୁ ଟଙ୍କା ଫେରସ୍ତ ହୋଯାଇଥିଲା। ଯାହା ଜିଲ୍ଲା ଶିକ୍ଷା ବିଭାଗର ଅବହେଳା ଯୋଗୁଁ ହିଁ ଏହି ଯୋଜନା ଫେଲ ମାରିଥିବା କୁହାଯାଇଛି। ପରେ ରାୟଗଡା ଜିଲ୍ଲା ସମଗ୍ର ଶିକ୍ଷା ବିଭାଗ ପକ୍ଷରୁ ଏହି ଯୋଜନା ସମ୍ପୂର୍ଣ୍ଣ ବନ୍ଦ ହୋଇଥିବା ନେଇ ଚଳିତବର୍ଷ ଜୁନ ୮ ଓ ୯ ତାରିଖରେ ଓସେପା ବୈଠକରେ ନିଷ୍ପତ୍ତି ହେବା ନେଇ କୁହାଯିବା ପରେ ଏନେଇ ଏକ ଚିଠି ଷ୍ଟେଟ ପ୍ରୋଜେକ୍ଟ ଡ଼ାଇରେକ୍ଟର ଓସେପା ତରଫରୁ ଦିଆଯାଇଥିଲା। ସେହିପରି ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ମଧ୍ୟ ଜୁଲାଇ ୧୯ ତାରିଖରେ ଜିସିଡି ହାଇସ୍କୁଲକୁ ଚିଠି ମାଧ୍ୟମରେ ଷ୍ଟାର ଯୋଜନା ବନ୍ଦ କରି ଦିଆଯାଇଥିବା କୁହାଯାଇଥିଲା। ଜିଲ୍ଲା ଶିକ୍ଷା ବିଭାଗର ଅବହେଳାରୁ ଆଜି ପର୍ଯ୍ୟନ୍ତ ଏହି ସ୍କିମ ଆରମ୍ଭ ହୋଇପାରିଲା ନାହିଁ। ଯାହା ଫଳରେ ୧୧ଟି ବ୍ଲକରେ ଥିବା ଡ୍ରପଆଉଟ ପିଲାମାନେ ଏହି ଯୋଜନାର ଲାଭ ପାଇ ବାରୁ ବଞ୍ଚିତ ହେଲେ। ଯୋଜନା ଫେଲ ମାରିବା ପରେ ବର୍ତ୍ତମାନ ଶିକ୍ଷା ବିଭାଗ କହୁଛି ଜିଲ୍ଲାରେ ଡ୍ରପଆଉଟ ପିଲା ନାହାଁନ୍ତି।

ସମ୍ବନ୍ଧିତ ଖବର