ବକୁଳ ଫାଉଣ୍ଡେସନ୍‌ର ଅଭିନବ ପ୍ରୟାସ: ପଠନ ଆଗ୍ରହ ସୃଷ୍ଟି ଲକ୍ଷ୍ୟରେ ବହି ବାଇକ୍‌

ଭୁବନେଶ୍ୱର: କଥାରେ ଅଛି ଛୋଟ ଛୋଟ ବିନ୍ଦୁରେ ସାଗର ସୃଷ୍ଟି ହୁଏ। ସେହିଭଳି ବିନା କୌଣସି ସରକାରୀ ଓ ବେସରକାରୀ ସହାୟତାରେ ସାଧାରଣ ଲୋକଙ୍କ ଛୋଟ ଛୋଟ ଦାନରେ ମଧ୍ୟ ବିରାଟ କାର୍ଯ୍ୟ କରିହୁଏ। ଏହି ଆ‌ଦର୍ଶକୁ ଅନୁସରଣ କରି ସାଧାରଣ ଲୋକଙ୍କ ସହାୟତାରେ ଅନ୍ୟ ଲୋକଙ୍କୁ ସାହାଯ୍ୟ କରିବାର ଲକ୍ଷ୍ୟ ନେଇ ୨୦୦୭ ମସିହାରେ ଆରମ୍ଭ ହୋଇଥିଲା ବକୁଳ ଫାଉଣ୍ଡେସନ। ଅନୁଷ୍ଠାନଟି ଏବେ ରାଜ୍ୟ ଓ ଜାତୀୟସ୍ତରରେ ନିଜପାଇଁ ଏକ ସମ୍ମାନଜନକ ପରିଚୟ ଗଢ଼ି ପାରିଛି। ସେହିଭଳି ସାଧାରଣ ଲୋକଙ୍କ ସାହାଯ୍ୟରେ ୨୦୦୯ ମସିହାଠାରୁ ବକୁଳ ପକ୍ଷରୁ ଆରମ୍ଭ ହୋଇଛି ‘ଦାନ ଉତ୍ସବ’। ଏହି ଉତ୍ସବରେ ସାଧାରଣ ଲୋକମାନଙ୍କ ଠାରୁ ସଂଗ୍ରହ କରା ଯାଇଥିବା ପୁରୁଣା ପୋଷାକ, ବହି ଓ ଖେଳଣା ଆଦି ଅନ୍ୟମାନଙ୍କୁ ପ୍ରଦାନ କରାଯାଏ।

ପ୍ରତିବର୍ଷ ଅକ୍ଟୋବର ୨ ତାରିଖରୁ ୯ ତାରିଖ ମଧ୍ୟରେ ଏହି ଉତ୍ସବ ପାଳନ କରାଯାଏ। ଚଳିତ ବର୍ଷ ଏହି ଉତ୍ସବ ଅବସରରେ ଲୋକଙ୍କ ଭିତରେ ବହି ପଢ଼ିବାର ଆଗ୍ରହ ସୃଷ୍ଟି କରିବାଲାଗି ଏକ ତିନି ଚକିଆ ‘ବହି ବାଇକ’ ଉଦ୍‌ଘାଟିତ ହୋଇଯାଇଛି। ଏହାକୁ ସହରର ବିଭିନ୍ନ ସ୍ଥାନ, ବିଶେଷକରି ବସ୍ତି ଅଞ୍ଚଳକୁ ନିଆଯିବ। ଏହାର ଉଦ୍‌ଘାଟନୀ ଉତ୍ସବରେ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବ ଅଶ୍ୱଥୀ ଏସ, ଫାଉଣ୍ଡେସନର ପ୍ରତିଷ୍ଠାତା ସୁଜିତ ମହାପାତ୍ର ଓ ବାଇକର ନିର୍ମାତା ଆଲୋକ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ। ବିଭିନ୍ନ କାରଣରୁ ପିଲାମାନେ ବହି ପଢ଼ିବା ପାଇଁ ଲାଇବ୍ରେରିକୁ ଆସି ପାରୁନାହାନ୍ତି। ଫଳରେ ସେମାନେ ପାଠ୍ୟପୁସ୍ତକ ବ୍ୟତୀତ ଅନ୍ୟ ବହି ପଢ଼ି ପାରୁନାହାନ୍ତି।

ଏହି ବହି ବାଇକ ସେମାନଙ୍କ ମାନସିକ ବିକାଶରେ ସହାୟକ ହେବ ବୋଲି ପ୍ରତିଷ୍ଠାତା ଶ୍ରୀ ମହାପାତ୍ର କହିଛନ୍ତି। ଏହି ବାଇକକୁ ତାଙ୍କ ଅନୁଷ୍ଠାନର ଜଣେ ସଦସ୍ୟ ତଥା ଆଇଟି ଇଞ୍ଜିନିୟର ଆଲୋକ କୁମାର ସ୍ୱାଇଁ ସମ୍ପୂର୍ଣ୍ଣ ଭାବେ ନିଜ ଖର୍ଚ୍ଚରେ ତାଙ୍କ ମା’ ସ୍ବର୍ଗତ ସାଧନା ସ୍ୱାଇଁଙ୍କ ସ୍ମୃତିରେ ତିଆରି କରିଛନ୍ତି। ପ୍ରାୟ ୨୦୦ ଖଣ୍ଡ ବିଭିନ୍ନ ବର୍ଗର ବହିକୁ ନେଇ ଏହି ବହି ବାଇକ୍‌ ରାଜଧାନୀର ୫୦ରୁ ଉର୍ଦ୍ଧ୍ୱ ବସ୍ତି ଓ ବିଭିନ୍ନ ସର୍ବ ସାଧାରଣ ସ୍ଥାନରେ ପହଞ୍ଚିବ। ପ୍ରତିସ୍ଥାନରେ ୨ ଘଣ୍ଟା ରହିବ ବୋଲି ସେ କହିଛନ୍ତି। ପ୍ରଥମ ଦିନରେ ଏହି ବାଇକ ଫାଉଣ୍ଡେସନ କାର୍ଯ୍ୟାଳୟରୁ ବାହା ଶାନ୍ତିବିହାର ବସ୍ତି ଯାଏଁ ଚାଲିଥିଲା। ସୂଚନାଯୋଗ୍ୟ ଯେ ଏହି ଦାନ ଉତ୍ସବରେ ସତ୍ୟନଗରର କ୍ୟାଫେ ୧୬ ସହାୟତା କରୁଛି। ଅକ୍ଟୋବର ୧ରୁ ୧୦ ତାରିଖଯାଏଁ କ୍ୟାଫେ ୧୬ର ସମସ୍ତ ଆୟ ଏଭଳି ଆହୁରି ବହି ବାଇକ୍‌ ଆରମ୍ଭ କରିବାରେ ବିନିଯୋଗ ହେବ।

ସମ୍ବନ୍ଧିତ ଖବର