୪ ମାସରେ ୨୪ ଟନ୍ ସୁନା କିଣିଛି ରିଜର୍ଭ ବ୍ୟାଙ୍କ: ୨୦୨୩ର ସମୁଦାୟ କ୍ରୟ ତୁଳନାରେ ଦେଢ଼ଗୁଣା ଅଧିକ

ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦୨୪ର ପ୍ରଥମ ୪ ମାସରେ ୨୪ ଟନ୍ ସୁନା କିଣିଛି। ରିଜର୍ଭ ବ୍ୟାଙ୍କ ୨୦୨୩ରେ କିଣିଥିବା ସମୁଦାୟ ସୁନା ତୁଳନାରେ ୨୦୨୪ ପ୍ରଥମ ୪ ମାସର ସୁନା କ୍ରୟ ଦେଢ଼ଗୁଣା ଅଧିକ। ୨୦୨୩‌ ମସିହାରେ ରିଜର୍ଭ ବ୍ୟାଙ୍କ ୧୬ ଟନ୍‌ ସୁନା କିଣିଥିଲା। ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ତଥ୍ୟରୁ ଜଣାଯାଇଛି ଯେ ଏହା ନିକଟରେ ଗତ ଡିସେମ୍ବର ଶେଷ ସୁଦ୍ଧା ୮୦୩.୬ ଟନ୍‌ ସୁନା ରହିଥିଲା। କିନ୍ତୁ ୨୦୨୪ ଏପ୍ରିଲ ୨୬ ସୁଦ୍ଧା ଏହା ୮୨୭.୬୯ ଟନରେ ପହଞ୍ଚିଛି।

ବିଶ୍ବରେ ସଂପ୍ରତି ଭୂରାଜନୈତିକ ଅସ୍ଥିରତା ଲାଗି ରହିଛି। ଏଥିପାଇଁ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ସୁନାକୁ ଏକ ଅପେକ୍ଷାକୃତ ଅଧିକ ସୁରକ୍ଷିତ ନିବେଶ ଭାବେ ବିବେଚନା କରି ଏହି ଧାତୁକୁ ଅଧିକ ମାତ୍ରାରେ କିଣିବାରେ ଲାଗିଛନ୍ତି। ଏହି ଦୌଡ଼ରେ ଭାରତୀୟ ରିଜର୍ଭ ବ୍ୟାଙ୍କ ମଧ୍ୟ ସାମିଲ ହୋଇଛି। ଭାରତୀୟମାନେ ସୁନାକୁ ଅଧିକ ମାତ୍ରାରେ ବ୍ୟବହାର କରିଥାନ୍ତି। ଏଥିପାଇଁ ଭାରତକୁ ପ୍ରତିବର୍ଷ ବିପୁଳ ମାତ୍ରାରେ ସୁନା ଆମଦାନି କରିବାକୁ ପଡ଼ିଥାଏ। କିନ୍ତୁ ପୂର୍ବରୁ ରିଜର୍ଭ ବ୍ୟାଙ୍କ ସୁନା କିଣିବା ସେତେଟା ଦେଖାଯାଇ ନଥାଏ। ୧୯୯୧ରେ ଆର୍ଥିକ ସଂକଟ ସମୟରେ ରିଜର୍ଭ ବ୍ୟାଙ୍କ ଦେଶର ସୁନା ବିଦେଶରେ ବନ୍ଧକ ରଖିଥିବାରୁ ସମାଲୋଚନାର ଶରବ୍ୟ ହୋଇଥିଲା। ତେବେ ରିଜର୍ଭ ବ୍ୟାଙ୍କ ୨୦୧୭ ଡିସେମ୍ବର ଠାରୁ ବଜାରରୁ ସୁନା କିଣିବା ଆରମ୍ଭ କରିଛି। ୨୦୨୨ରେ ସୁନା କିଣିବା ଲାଗି ଅଧିକ ସକ୍ରିୟତା ଦେଖାଇଥିଲା। ୨୦୨୩ରେ ଉକ୍ତ ସକ୍ରିୟତା କିଛିଟା ହ୍ରାସ ପାଇଥିବାବେଳେ ୨୦୨୪ରେ ଏହା ପୁଣି ବୃଦ୍ଧି ପାଇଛି। ୨୦୨୩ ଡିସେମ୍ବର ଶେଷ ବେଳକୁ ଭାରତୀୟ ରିଜର୍ଭ ବ୍ୟାଙ୍କର ମୋଟ ବିଦେଶୀ ମୁଦ୍ରା ଭଣ୍ଡାରରେ ସୁନାର ଅଂଶ ୭.୭୫ ପ୍ରତିଶତ ରହିଥିଲା। କିନ୍ତୁ ଚଳିତବର୍ଷ ଏପ୍ରିଲ ଶେଷ ବେଳକୁ ଏହା ୮.୭ ପ୍ରତିଶତକୁ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର