ଦରମା ବଢ଼ାଇଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ସରକାରଙ୍କଠାରୁ ୧୮ ହଜାର କୋଟି ଟଙ୍କାରେ କିଣିବାର ଦୁଇ ବର୍ଷ ପରେ ଟାଟା ଗ୍ରୁପ୍‌ ଏୟାର ଇଣ୍ଡିଆ କର୍ମଚାରୀଙ୍କ ଦରମା ବଢ଼ାଇଛି। କର୍ମଚାରୀଙ୍କ ଦରମା ୫୦୦୦ ଟଙ୍କାରୁ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ବଢ଼ିଛି। ଏପ୍ରିଲ୍‌ ପହିଲାରୁ ଦରମାରେ ବୃଦ୍ଧିକୁ ଲାଗୁ କରାଯାଇଛି। ପାଇଲଟ୍‌ମାନଙ୍କ ପାଇଁ ୪୨ ହଜାର ଟଙ୍କାରୁ ଆରମ୍ଭ କରି ୧.୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତର ବୋନସ୍ ଘୋଷଣା କରାଯାଇଛି।

ଫାଷ୍ଟ୍ ଅଫିସର ଓ କ୍ୟାପ୍‌ଟେନ୍‌ମାନଙ୍କୁ ବାର୍ଷିକ ୬୦ ହଜାର ଟଙ୍କା ବୋନସ୍ ପ୍ରଦାନ କରାଯିବ। କମାଣ୍ଡର ଓ ବରିଷ୍ଠ କମାଣ୍ଡରମାନଙ୍କୁ ଯଥାକ୍ରମେ ୧.୩୨ ଲକ୍ଷ ଟଙ୍କା ଓ ୧.୮୦ ଲକ୍ଷ ଟଙ୍କାର ବୋନସ୍ ଦିଆଯିବ। କନି‌ଷ୍ଠ ଫାଷ୍ଟ ଅଫିସରଙ୍କ ଦରମାରେ କୌଣସି ବୃଦ୍ଧି କରାଯାଇନାହିଁ। କମ୍ପାନି ପକ୍ଷରୁ ଲକ୍ଷ୍ୟଭିତ୍ତିକ ପ୍ରଦର୍ଶନ ବୋନସ୍ ମଧ୍ୟ ଘୋଷଣା କରାଯାଇଛି। କମ୍ପାନି ଓ ବ୍ୟକ୍ତିଗତ ପ୍ରଦର୍ଶନ ଆଧାରରେ ସେହି ବୋନସ୍ ପ୍ରଦାନ କରାଯିବ। ଏଆଇ ବ୍ୟବହାର କରି କମ୍ପାନି ବ୍ୟକ୍ତିଗତ ପ୍ରଦର୍ଶନର ସ୍ତର ଆକଳନ କରିବ। ଉଲ୍ଲେଖଯୋଗ୍ୟ, କିଛିଦିନ ତଳେ ସର୍ଭିସ୍‌ ନିୟମରେ ଅସନ୍ତୁଷ୍ଟ ହୋଇ ଏୟାର ଇଣ୍ଡିଆର ପାଇଲଟ୍‌ମାନେ ଧର୍ମଘଟ କରିଥିଲେ।

ସମ୍ବନ୍ଧିତ ଖବର