ରଇସିଙ୍କ ଅନ୍ତିମ ସଂସ୍କାରରେ ଉପରାଷ୍ଟ୍ରପତି ଧନଖଡ଼

ତେହରାନ: ଗତ ୧୯ ତାରିଖ ସନ୍ଧ୍ୟାରେ ଏକ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ଅନ୍ତିମ ସଂସ୍କାର ଆଜି ସଂପନ୍ନ ହୋଇଛି। ଇରାନର ଦ୍ବିତୀୟ ବୃହତ୍ତମ ସହର ମଶାଦରେ ରଇସିଙ୍କ ଅନ୍ତିମ ସଂସ୍କାର କରାଯାଇଛି। ଏହି କାର୍ଯ୍ୟକ୍ରମରେ ବିଶ୍ୱର ପ୍ରାୟ ୬୮ଟି ରାଷ୍ଟ୍ରର ନେତା ଓ କୂଟନୀତିଜ୍ଞମାନେ ଉପସ୍ଥିତ ଥିଲେ। ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ରଇସିଙ୍କ ଶେଷକୃତ୍ୟରେ ସାମିଲ ହୋଇଥିଲେ।। ଏଥିରେ କତାର ଅମିର ତମିମ୍ ବିନ୍ ହମାଦ୍ ଅଲ୍ ଥାନି, ଇରାକ ପ୍ରଧାନମନ୍ତ୍ରୀ ମହମ୍ମଦ ସିଆ ଅଲ୍ ସୁଦାନି ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ମଧ୍ୟ ଉପସ୍ଥିତ ଥିଲେ। ତାଲିବାନର ଉପପ୍ରଧାନମନ୍ତ୍ରୀ ମୁଲ୍ଲା ବରାଦର, ହମାସ୍‌ର ମୁଖ୍ୟ ନେତା ଇସମାଇଲ ହାନି ଏବଂ ହୁଥି ବିଦ୍ରୋହୀଙ୍କ ପ୍ରତିନିଧିମାନେ ରଇସିଙ୍କୁ ଅନ୍ତିମ ବିଦାୟ ଦେବା ପାଇଁ ପହଞ୍ଚିଥିଲେ। ଇରାନର ଅନ୍ତରୀଣ ରାଷ୍ଟ୍ରପତି ମହମ୍ମଦ ମୁଖାବର, ଅନ୍ତରୀଣ ବୈଦେଶିକ ମନ୍ତ୍ରୀ ଅଲ୍ଲୀ ବାଘେରି ଏବଂ ଅନ୍ୟ କେତେକ ଅଧିକାରୀ ଏହି ବିଦେଶୀ ନେତା ଓ ଅଧିକାରୀମାନଙ୍କୁ ସ୍ୱାଗତ କରିଥିଲେ।

ହଜାର ହଜାର ଶୋକାକୁଳ ଜନତା ମଧ୍ୟ ରଇସିଙ୍କ ଶେଷଯାତ୍ରାରେ ସାମିଲ ହୋଇ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଅନ୍ତିମ ସଂସ୍କାର ସମାରୋହ ପାଇଁ ତେହରାନ ସମେତ ସମସ୍ତ ପ୍ରମୁଖ ସହରରେ ରଇସିଙ୍କ ବିଶାଳ ପୋଷ୍ଟର୍‌ ଲଗାଯାଇଥିଲା ଏବଂ ଜନସାଧାରଣ ସେମାନଙ୍କ ପ୍ରିୟ ନେତାଙ୍କ ଫଟୋକୁ ଚୁମ୍ବନ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଇରାନ-ଆଜରବାଇଜାନ ସୀମା ନିକଟରେ ରଇସିଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏବଂ ଏଥିରେ ରଇସିଙ୍କ ସମେତ ୯ ଜଣଙ୍କ ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର