ବିଦ୍ୟୁତ ଶୁଳ୍କ ଦିନରେ କମ୍, ରାତିରେ ଅଧିକ ହେବ; ୨୦୨୪ ଏପ୍ରିଲ୍‌ରୁ ଲାଗୁ ହେବ

ନୂଆଦିଲ୍ଲୀ : ବିଦ୍ୟୁତ ଶୁଳ୍କ ବ୍ୟବସ୍ଥା‌ରେ ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ ଅଣାଯାଇଛି। ସେହି ବ୍ୟବସ୍ଥାରେ ଦିନ ବେଳା ଶୁଳ୍କ ୨୦% କମ୍ ରହିବ ଓ ରାତିରେ ଶୁଳ୍କ ୨୦% ଅଧିକ ହେବ। ଏଥିପାଇଁ ବିଦ୍ୟୁତ (ଉପଭୋକ୍ତା ଅଧିକାର) ନିୟମାବଳୀ ୨୦୨୦ରେ ଆବଶ୍ୟକ ସଂଶୋଧନ କରାଯାଇଛି। ଏହି ବ୍ୟବସ୍ଥା ପର୍ଯ୍ୟାୟକ୍ରମେ ଲାଗୁ କରାଯିବ। ପ୍ର‌ାରମ୍ଭିକ ପର୍ଯ୍ୟାୟରେ ୨୦୨୪ ଏପ୍ରିଲ୍‌ରୁ ବାଣିଜ୍ୟିକ ଓ ଶିଳ୍ପ ଗ୍ରାହକମାନଙ୍କ ଲାଗି ଏହି ବ୍ୟବସ୍ଥା ଲାଗୁ ହେବ। ଏହାର ଗୋଟିଏ ବର୍ଷ ପରେ ଚାଷୀମାନଙ୍କୁ ବାଦ ଦେଇ ଅନ୍ୟ ସବୁ ଉପଭୋକ୍ତାଙ୍କ ପାଇଁ ତାହା ଲାଗୁ ହେବ। ଶକ୍ତି ମନ୍ତ୍ରାଳୟ ସୂଚନା ଅନୁସାରେ ସାରା ଦିନ ପାଇଁ ବିଦ୍ୟୁତ ଶୁଳ୍କ ସମାନ ରହିବ ନାହିଁ। ଭିନ୍ନ ଭିନ୍ନ ସମୟ ପାଇଁ ଅଲଗା ଅଲଗା ଶୁଳ୍କ ରହିବ।

ରାଜ୍ୟଗୁଡ଼ିକର ବିଦ୍ୟୁତ ଆୟୋ‌ଗ ଦିନବେଳାର ୮ ଘଣ୍ଟାକୁ ସୌର ସମୟ (‌ସୋଲାର ଆୱାର) ଭାବେ ନିର୍ଧାରଣ କରିବେ। ସେହି ସମୟରେ ବିଦ୍ୟୁତ ଶୁଳ୍କ ସ୍ବାଭାବିକ ଦରଠାରୁ ୧୦-୨୦% କମ୍ ରହିବ। ଅନ୍ୟପକ୍ଷରେ ଚାହିଦା‌ ଅଧିକ ଥିବା ସମୟ ବା ପିକ୍ ଆୱାରରେ ଶୁଳ୍କ ୧୦-୨୦% ଅଧିକ ରହିବ। ସ୍ମାର୍ଟ ମିଟର ସଂଯୋଗ ହେବାର ତୁରନ୍ତ ପରେ ‘ଦିନ ବେଳା ସମୟ ଶୁଳ୍କ ବ୍ୟବସ୍ଥା’ ତୁରନ୍ତ ଲାଗୁ ହେବ। ସ୍ମାର୍ଟ ମିଟରିଂ ବ୍ୟବସ୍ଥାରେ ପରିବର୍ତ୍ତନ କରି ଜରିମାନା ପରିମାଣକୁ ହ୍ରାସ ମଧ୍ୟ କରାଯାଇଛି। କେନ୍ଦ୍ର ଶକ୍ତି ମନ୍ତ୍ରୀ ଆର୍‌ କେ ସିଂହ କହିଛନ୍ତି ଯେ ଏହି ବ୍ୟବସ୍ଥାରେ ଗ୍ରାହକମ‌ାନେ ଅଧିକ ସଚେତନ ହୋଇ ନିଜ ବିଦ୍ୟୁତ ବିଲ୍ କମ୍ କରିପାରିବେ। ଲୋକମାନେ ଶୁଳ୍କ କମ୍ ଥିବା ସମୟରେ ବିଦ୍ୟୁତକୁ ଅଧିକ ବ୍ୟବହାର କରିପାରିବେ ଏବଂ ଅଧିକ ଥିବା ସମୟରେ ଯୋଜନା ପ୍ରସ୍ତୁତ କରି ବିଦ୍ୟୁତ ବ୍ୟବହାର କମାଇପାରିବେ। ଏହି ବ୍ୟବସ୍ଥା ଅଧିକ ଅକ୍ଷୟ ଶକ୍ତି ଉତ୍ପାଦନକୁ ପ୍ରୋତ୍ସାହନ ଦେବ। ଗ୍ରିଡ୍‌ରେ ଅଧିକ ଅକ୍ଷୟ ଶକ୍ତି ପହଞ୍ଚିପାରିବ। ଏହା ସହିତ ‌ସରକାର ଅଙ୍ଗାରକାମ୍ଳ ନିର୍ଗମନ ଲାଗି ଧାର୍ଯ୍ୟ କରିଥିବା ଲକ୍ଷ୍ୟ ମଧ୍ୟ ହ‌ାସଲ କରିପାରିବେ।

ସମ୍ବନ୍ଧିତ ଖବର