ଟିସିଏସ୍‌ରେ ଚାକିରି ପାଇଁ ୧୦୦ କୋଟିର ଲାଞ୍ଚ କାରବାର

ନୂଆଦିଲ୍ଲୀ : ଦେଶର ସବୁଠୁ ବଡ଼ ଆଇଟି କଂପାନି ଟାଟା କନ୍‌ସଲଟାନ୍ସି ସର୍ଭିସେସ୍‌ (ଟିସିଏସ୍‌)ରେ ଚାକିରି ପାଇଁ ଲାଞ୍ଚ କାରବାର ହୋଇଥିବା ଘଟଣା ସାମ୍ନାକୁ ଆସିଛି। ପ୍ରାୟ ୧୦୦ କୋଟି ଟଙ୍କାର ଲାଞ୍ଚ କାରବାରର ଅଭିଯୋଗ ହୋଇଛି। ଏହି ଘଟଣାରେ କଂପାନି କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେଥିରେ ଲିପ୍ତ ଥିବା ୪ ବରିଷ୍ଠ ଅଧିକାରୀଙ୍କୁ ବିଦା କରିଛନ୍ତି।

ଜଣେ ହ୍ବସିଲ୍‌ବ୍ଲୋୟର ଟିସିଏସ୍‌ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ଯେ କଂପାନିର ସମ୍ବଳ ପରିଚାଳନା ଗ୍ରୁପ୍‌ର ବିଶ୍ବ ମୁଖ୍ୟ ଇ ଏସ୍‌ ଚକ୍ରବର୍ତ୍ତୀ ମାନବ ସମ୍ବଳ ଯୋଗାଉଥିବା ସଂସ୍ଥାଗୁଡ଼ିକଠାରୁ ବହୁ ବର୍ଷ ଧରି କମିସନ ନେଉଛନ୍ତି। ଏହା ଜଣାପଡ଼ିବା ପରେ କଂପାନିର ମୁଖ୍ୟ ସୂଚନା ସୁରକ୍ଷା ଅଧିକାରୀଙ୍କ ନେତୃତ୍ବରେ ତାହାର ତଦନ୍ତ ହୋଇଥିଲା। ଏହା ପରେ ଚକ୍ରବର୍ତ୍ତୀଙ୍କୁ ଛୁଟିରେ ପଠାଇ ଦିଆଯାଇଥିବା ବେଳେ ସେହି ବିଭାଗର ଚାରି ଜଣ ବରିଷ୍ଠ ଅଧିକାରୀଙ୍କୁ ବିଦା କରାଯାଇଛି ଓ ଅନ୍ୟ ତିନି ଜଣ କର୍ମଚାରୀଙ୍କୁ କାମ କରିବାକୁ ବାରଣ କରାଯାଇଛି। କେତେ ବର୍ଷ ଧରି ଏହି ଲାଞ୍ଚ କାରବାର ଚାଲିଥିଲା ତାହା ଜଣାପଡ଼ିନାହିଁ। ଗତ ତିନି ବର୍ଷ ଭିତରେ କଂପାନି ୩,୦୦,୦୦୦ରୁ ଅଧିକ କର୍ମଚାରୀଙ୍କୁ ନିଯୁକ୍ତି ଦେଇଛି। ଲାଞ୍ଚ କାରବାରର ନେତୃତ୍ବ ନେଇଥିବା ଚକ୍ରବର୍ତ୍ତୀ ୧୯୯୭ରେ ଟିସିଏସ୍‌ରେ ଯୋଗ ଦେଇଥିଲେ। ତାଙ୍କୁ ଏବେ ଅଫିସ ଆସିବାକୁ ମନା କରାଯାଇଛି।

ସମ୍ବନ୍ଧିତ ଖବର