ବେବି କେୟାର ସେଣ୍ଟରରେ ଅଗ୍ନିକାଣ୍ଡ, ୭ ନବଜାତ ଶିଶୁଙ୍କର ମୃତ୍ୟୁ, ୫ ଗୁରୁତର

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର ଶାହାଦରାର ବିବେକ ବିହାର ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରେ ଏକ ବେବି କେୟାର ସେଣ୍ଟରରେ ଅଗ୍ନିକାଣ୍ଡ ଘଟିଛି। ୧୨ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ୧୨ ନବଜାତ ଶିଶୁଙ୍କ ମଧ୍ୟରୁ ୬ ଜଣଙ୍କର ଅଗ୍ନିକାଣ୍ଡରେ ମୃତ୍ୟୁ ଘଟିଛି। ଜଣେ ନବଜାତ ଶିଶୁର ମୃତ୍ୟୁ ପୂର୍ବରୁ ହୋଇସାରିଥିଲା। ଫଳରେ ଏହି ଘଟଣାରେ ୭ଜଣ ନବଜାତ ଶିଶୁଙ୍କର ମୃତ୍ୟୁ ଘଟିଛି। ସେହିପରି ପାଞ୍ଚ ଜଣ ନବଜାତ ଶିଶୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ଅଧିକାରୀ କହିଛନ୍ତି ଯେ ବିଲଡିଂରୁ ୧୨ ନବଜାତ ଶିଶୁଙ୍କୁ ଉଦ୍ଧାର କରାଯାଇଥିଲା କିନ୍ତୁ ଡାକ୍ତରଖାନାରେ ଚିକିତ୍ସା ସମୟରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା। ଜଣେ ଶିଶୁକୁ ମୃତ ଅବସ୍ଥାରେ ନିଆଯାଇଥିଲା। ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ।

ସୂଚନାନୁସାରେ, ଶନିବାର ରାତି ପ୍ରାୟ ୧୧ଟା ୩୨ ସମୟରେ ଦିଲ୍ଲୀର ଶାହାଦରା ଅଞ୍ଚଳର ବିବେକ ବିହାରର ଆଇଆଇଟି ବ୍ଲକ ବି ଠାରେ ଥିବା ବେବି କେୟାର ସେଣ୍ଟରରେ ଅଗ୍ନିକାଣ୍ଡ ଘଟିଥିଲା। ସୂଚନା ପାଇବା ମାତ୍ରେ ୧୬ ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା। ଅଗ୍ନିଶମ ବିଭାଗର ସୂଚନା ଅନୁଯାୟୀ ବେବି କେୟାର ସେଣ୍ଟରରେ ଶିଶୁ ଓ କର୍ମଚାରୀ ଉପସ୍ଥିତ ଥିଲେ।

ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି କର୍ମଚାରୀ ଏବଂ ବିଲ୍ଡିଂରେ ଫସି ରହିଥିବା ନବଜାତ ଶିଶୁକୁ ଉଦ୍ଧାର କରିବା ଆରମ୍ଭ କରିଥିଲେ। ବିଳମ୍ବିତ ରାତି ସୁଦ୍ଧା ସମସ୍ତଙ୍କୁ ଉଦ୍ଧାର କରାଯାଇଥିଲା। ଏକ ନବଜାତ ଶିଶୁର ମୃତଦେହ ମିଳିଥିଲା।

ଅଗ୍ନିଶମ ବିଭାଗର ନିର୍ଦ୍ଦେଶକ ଅତୁଲ ଗର୍ଗ କହିଛନ୍ତି ଯେ ତଳ ମହଲା ସମେତ ତିନି ମହଲା କୋଠାଟି ସମ୍ପୂର୍ଣ୍ଣ ନିଆଁରେ ପୋଡି ହୋଇଯାଇଥିଲା। ବିଲଡିଂ ବାହାରେ ପାର୍କିଂ ହୋଇଥିବା ଏକ ଭ୍ୟାନ୍ ମଧ୍ୟ ସମ୍ପୂର୍ଣ୍ଣ ଜଳି ଯାଇଥିଲା। ଘଟଣାସ୍ଥଳରେ ଉତ୍ତେଜନା ମଧ୍ୟରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ତୁରନ୍ତ ନିଆଁ ଲିଭାଇବା ଆରମ୍ଭ କରିଥିଲେ।

ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ବେବି କେୟାର ସେଣ୍ଟରରେ ନିଆଁ ଲାଗିବା ଘଟଣା ହୃଦୟ ବିଦାରକ। ଏହି ଦୁର୍ଘଟଣାରେ ଯେଉଁମାନେ ସେମାନଙ୍କର ନିରୀହ ପିଲାମାନଙ୍କୁ ହରାଇଛନ୍ତି ସେମାନଙ୍କ ସହିତ ଆମେ ସମସ୍ତେ ଛିଡା ହୋଇଛୁ । ସରକାରୀ ଓ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ଆହତମାନଙ୍କୁ ଚିକିତ୍ସା ଯୋଗାଇବାରେ ନିୟୋଜିତ ଅଛନ୍ତି। ଘଟଣାର କାରଣ ଅନୁସନ୍ଧାନ କରାଯାଉଛି ଏବଂ ଏହି ଅବହେଳା ପାଇଁ ଯିଏ ଦାୟୀ ତାଙ୍କୁ ସୁରକ୍ଷା ଦିଆଯିବ ନାହିଁ।

ସମ୍ବନ୍ଧିତ ଖବର