ବିଟ୍‌କଏନ କର୍ମଶାଳା ବେଳେ ପୁଲିସର ଚଢ଼ଉ, ୨ ଅଟକ

ଭୁବନେଶ୍ୱର : ବିଟ୍‌କଏନ୍‌ରେ ପୁଞ୍ଜିନିବେଶ ପାଇଁ ଲୋକଙ୍କୁ ପ୍ରବର୍ତାଇବା ଅଭିଯୋଗରେ ସହିଦନଗର ଥାନା ପୁଲିସ ୨ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ସେମାନେ ହେଲେ, ପ୍ରଫୁଲ୍ଲ ବେହେରା ଓ ଗୁଜୁରାଟର ରିତେଶ ପଟେଲ। ବିଟ୍‌-କଏନ୍‌ରେ ପୁଞ୍ଜିନିବେଶ ଓ ଏହାର ଫାଇଦା ସଂପର୍କରେ ବାଣୀବିହାରସ୍ଥିତ ଏକ ହୋଟେଲରେ ଆଜି ଏକ କର୍ମଶାଳା ଚାଲିଥିବା ବେଳେ ପୁଲିସ ସେଠାରେ ଚଢ଼ଉ କରି ଏହି ୨ଜଣଙ୍କୁ ଧରିଥିଲା।

ମିଳିଥିବା ସୂଚନା ଅନୁଯାୟୀ, ଭାରତ ସରକାର ଓ ରିଜର୍ଭ ବ୍ୟାଙ୍କ ଭାରତରେ ବିଟ୍‌କଏନ୍‌ କାରବାରକୁ ବେଆଇନ ଘୋଷଣା କରିଛନ୍ତି। କିନ୍ତୁ ଏହି ଅଭିଯୁକ୍ତଦ୍ୱୟ ଆଜି ଏ ସଂପର୍କିତ ଏକ କର୍ମଶାଳା ଆୟୋଜନ କରି ଲୋକମାନଙ୍କୁ ଏଥିରେ ପୁଞ୍ଜି ବିନିଯୋଗ କରିବାକୁ ପ୍ରବର୍ତାଉଥିଲେ। ଅନ୍‌ଲାଇନ୍‌ ମାଧ୍ୟମରେ ଘରେ ବସି କିପରି ଲକ୍ଷ ଲକ୍ଷ ଟଙ୍କା ଲାଭ ମିଳିବ, ସେ ବିଷୟରେ ଲୋକଙ୍କୁ ବୁଝାଇଥିଲେ। ତେବେ କୌଣସି ସୂତ୍ରରୁ ଏ ସଂପର୍କରେ ଖବର ପାଇ ସହିଦନଗର ଥାନା ଆଇଆଇସି ଏସିପି କିଶୋର ମୁଣ୍ଡ ସଦଳବଳେ ଉକ୍ତ ହୋଟେଲ୍‌ରେ ଚଢ଼ଉ କରିଥିଲେ। ସେଠାରୁ ପ୍ରଫୁଲ୍ଲ ଓ ରିତେଶକୁ ଧରି ପୁଲିସ ଥାନାକୁ ଆଣିଥିଲା। ତେବେ ଏହି କର୍ମଶାଳାରେ ଯୋଗ ଦେଇଥିବା ଅଧିକାଂଶ ଲୋକ ବିଟ୍‌-କଏନ୍‌ କାରବାର ବ୍ୟାନ୍‌ ସଂପର୍କରେ ବିଷୟରେ ଜାଣି ନଥିବା କହିଛନ୍ତି। ପୁଲିସ ଏ ସଂପର୍କରେ ଅଭିଯୁକ୍ତଦ୍ୱୟଙ୍କୁ ପଚରାଉଚରା କରିବା ସହ ବିଭିନ୍ନ ଦିଗ ଉପରେ ତଦନ୍ତ ଚଳାଇଛି।

ଉଲ୍ଲେଖଯୋଗ୍ୟ, ଗତ କିଛି ଦିନ ତଳେ ବିଟ୍‌-କଏନ୍‌ ନାଁରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ନୟାପଲ୍ଲୀ ଥାନା ପୁଲିସ୍‌ ୨ଜଣ ଦଲାଲଙ୍କୁ ଗିରଫ କରି ସେମାନଙ୍କଠାରୁ ୫୦ ହଜାର ଟଙ୍କା ଓ ୫ ଟି ମୋବାଇଲ୍‌ ଜବତ କରିଥିଲା।

ବିଟ୍‌କଏନ୍‌ କ’ଣ?

ବିଟ୍‌କଏନ୍‌ ଏକପ୍ରକାରର ଅଦୃଶ୍ୟ ମୁଦ୍ରା। କମ୍ପ୍ୟୁଟର୍‌ କୋଡ୍‌ ଆକାରରେ ଏହା ରହିଥାଏ। ବିଟ୍‌କଏନ୍‌ ଏକ୍ସଚେଞ୍ଜଗୁଡ଼ିକ ଜରିଆରେ ଏହା କାରବାର ହୋଇଥାଏ। ସ୍ୱତନ୍ତ୍ର ‘ଡିଜିଟାଲ୍‌ ୱାଲେଟ୍‌’ରେ ଏହାକୁ ମହଜୁଦ୍‌ ରଖାଯାଏ। ଭାରତୀୟ ରିଜର୍ଭ ବ୍ୟାଙ୍କ ବିଟକଏନ୍‌ ଉପରେ ନିଷେଧାଦେଶ ଜାରି କରିଛନ୍ତି। ଭାରତରେ ବିଟ୍‌କଏନ୍‌ ବେଆଇନ। ଏହା ସତ୍ତ୍ୱେ ଅନେକ ଲୋକ ଏହାକୁ ବ୍ୟବହାର କରୁଛନ୍ତି। ଯେହେତୁ ଏହା ଉପରେ କୌଣସି ପ୍ରକାର ଟିକସ ଦେବାକୁ ପଡ଼ୁନାହିଁ, ସେଥିପାଇଁ କଳାଧନ ରଖିଥିବା ଲୋକମାନଙ୍କ ପାଇଁ ଏହା ବେଆଇନ କାମ କରିବାର ବଡ଼ ମାଧ୍ୟମ ପାଲଟିଛି। ରିଅଲଇଷ୍ଟେଟ୍‌ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର କାମରେ ବିଟ୍‌କଏନ୍‌କୁ ବ୍ୟବହାର କରାଯାଏ। ବିଶ୍ୱର ଅନେକ ରାଷ୍ଟ୍ର ବିଟ୍‌କଏନ୍‌ ଏବେ ଚିନ୍ତାର କାରଣ ପାଲଟିଛି।

ସମ୍ବନ୍ଧିତ ଖବର