ହିମାଚଳ ପ୍ରଦେଶ: ବେଆଇନ୍‌ ନିର୍ମାଣ ଉଚ୍ଛେଦ ଅଭିଯାନ ବେଳେ ସହକାରୀ ଟାଉନ୍‌ ପ୍ଲାନର୍‌ଙ୍କୁ ହତ୍ୟା କଲେ ହୋଟେଲ ମାଲିକ

ଶିମଳା: ହିମାଚଳ ପ୍ରଦେଶ ଅନ୍ତର୍ଗତ କଶୌଲି ଠାରେ ଜଣେ ଗେଷ୍ଟ୍‍ହାଉସ୍‌ ମାଲିକ ମଙ୍ଗଳବାର ଦିନ ଜଣେ ସହକାରୀ ଟାଉନ୍‌ ପ୍ଲାନର୍‌ଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି। ପାହାଡ଼ ଘେରା ସେ ସହରରୁ ବେଆଇନ୍‌ କୋଠାବାଡ଼ି ଉଚ୍ଛେଦ କରିବା ପାଇଁ ସୁପ୍ରିମ୍‌ କୋର୍ଟ ଦେଇଥିବା ଆଦେଶକୁ କାର୍ଯ୍ୟକାରୀ କରିବାକୁ ଅଡ଼ି ବସିବାରୁ ସେ ଗେଷ୍ଟ୍‍ହାଉସ୍‌ ମାଲିକଙ୍କ ରୋଷର ସରବ୍ୟ ହୋଇଥିଲେ।

ପିଡବ୍ଲୁଡିର ଏକ ଟିମ୍‌ ମାଣ୍ଡୋ ମତକାଣ୍ଡା ଠାରେ ଥିବା ନାରାୟଣୀ ଗେଷ୍ଟ୍‍ହାଉସ୍‌ର ଗୋଟାଏ ଆଡୁ ଭାଙ୍ଗିବା ଆରମ୍ଭ କଲା ବେଳେ ମାଲିକ ୫୧ ବର୍ଷିୟ ବିଜୟ ସିଂହ ତିନି ରାଉଣ୍ଡ ଗୁଳି ଚଳାଇବାରୁ ସହକାରୀ ଟାଉନ୍‌ ପ୍ଲାନର୍‌ ଶୈଳବାଳାଙ୍କର ମୃତ୍ୟୁ ହେବା ସହ ଅନ୍ୟ ଜଣେ ଅଧିକାରୀ ସାଙ୍ଘାତିକ ଆହତ ହୋଇଛନ୍ତି। ଗୁଳିକାଣ୍ଡ ଘଟଣା ପରେ ଶ୍ରୀ ସିଂହ ନିକଟସ୍ଥ ଜଙ୍ଗଲ ମଧ୍ୟକୁ ପଳାଇ ଯାଇଛନ୍ତି। ତାଙ୍କର ଗିରଫଦାରୀ ପାଇଁ ସୂଚନା ଦେବା ବ୍ୟକ୍ତିଙ୍କୁ ଏକ ଲକ୍ଷ ଟଙ୍କା ପୁରସ୍କାର ମିଳିବ ବୋଲି ସୋଲାନ ପୁଲିସ ଘୋଷଣା କରିଛି।

ଧରମପୁର ନିକଟ ମାଣ୍ଡୋ ମାତକାଣ୍ଡାରେ ଥିବା ଗେଷ୍ଟ୍‍ହାଉସ୍‌ର ବେଆଇନ୍‌ ଅଂଶ ଭାଙ୍ଗିବା ପାଇଁ ଶୈଳବାଳା ଏବଂ ଅନ୍ୟାନ୍ୟ ଅଧିକାରୀମାନେ ପହଞ୍ଚିବା ପରେ ଅସୁବିଧା ଆରମ୍ଭ ହୋଇଥିଲା। ସିଂହ ଏବଂ ତାଙ୍କର ମାଆ ୭୦ ବର୍ଷୀୟ ନାରାୟଣୀ ଦେବୀ ଅଧିକାରୀମାନଙ୍କୁ ପ୍ରତିରୋଧ କରିବା ସହ ଶୈଳବାଳାଙ୍କ ସହ ଯୁକ୍ତିତର୍କ କରିଥିଲେ। ଟିମ୍‌ ଉଭୟଙ୍କ କଥା ନ ଶୁଣିବାରୁ ସେମାନେ ଗୁଳି ଚଳାଇଥିଲେ।

କଶୌଲି ଠାରେ ଥିବା କେତେଗୁଡ଼ିଏ ହୋଟେଲ୍‌ର ବେଆଇନ୍‌ ନିର୍ମାଣକୁ ଭାଙ୍ଗିବା ପାଇଁ ଏପ୍ରିଲ୍‌ ୧୭ ତାରିଖ ଦିନ ହିମାଚଳ ପ୍ରଦେଶ ସରକାରଙ୍କୁ ସୁପ୍ରିମ୍‌ କୋର୍ଟ ନିର୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର