ଭୁଜାଲି ଦେଖାଇ ୨ ଭରି ସୁନା ହାର, ମୋବାଇଲ୍‌ ଓ ୫ ହଜାର ଟଙ୍କା ଲୁଟ୍‌

ଭୁବନେଶ୍ୱର : ୟୁନିଟ୍‌-୨ ଅଞ୍ଚଳରେ ଜଣେ ଯୁବକଙ୍କୁ ଭୁଜାଲି ଦେଖାଇ ତାଙ୍କ ପତ୍ନୀଙ୍କଠାରୁ ୨ ଭରି ଓଜନର ସୁନା ହାର, ମୋବାଇଲ୍‌ ଫୋନ୍‌ ଓ ୫ହଜାର ଟଙ୍କା ଛଡ଼ାଇ ନେଇଥିବା କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଛି। ଏନେଇ ମହମ୍ମଦ ଶାହାଦୁଲ୍ଲା ନାମକ ଜଣେ ଯୁବକ ଥାନାରେ ଅଭିଯୋଗ କରିଛନ୍ତି।

ସେ ଅଭିଯୋଗ ରେ ଦର୍ଶାଇଛନ୍ତି ଯେ, ସୋମବାର ସନ୍ଧ୍ୟାରେ ଶାହାଦୁଲ୍ଲା ଓ ତାଙ୍କ ପତ୍ନୀ ମାକେର୍ଟ ବିଲ୍ଡିଂରୁ କିଣାକିଣି କରି ଘରକୁ ଫେରୁଥିଲେ। ସେ ୟୁନିଟ୍‌-୨ ପ୍ରାଥମିକ ବିଦ୍ୟାଳୟ ଦେଇ ସବ୍‌ଷ୍ଟେସନ୍‌ ଆଡ଼କୁ ଯାଉଥିବା ସମୟରେ ୩ଜଣ ଯୁବକ ଏକ କଳା ପଲର୍ସରରେ ଆସି ତାଙ୍କ ବାଇକ୍‌ ସାମ୍ନାରେ ଅଟକି ଯାଇଥିଲେ। ଏହାପରେ ହଠାତ୍‌ ଜଣେ ଯୁବକ ଏକ ଭୁଜାଲି ବାହାର କରି ତାଙ୍କ ବେକରେ ଲଗାଇ ଥିଲେ। ଏହାପରେ ତାଙ୍କ ପତ୍ନୀଙ୍କ ବେକରୁ ସୁନା ହାର, ଭ୍ୟାନିଟ୍‌ ବ୍ୟାଗ୍‌, ମୋବାଇଲ୍‌ ଫୋନ୍‌ ଓ ୫ ହଜାର ଟଙ୍କା ଛଡ଼ାଇ ନେଇଥିଲେ। ଏନେଇ ଥାନାରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର