ସ୍ବାମୀଙ୍କ ବିରୋଧରେ ବାମ ହାତରେ ସୁଇସାଇଡ ନୋଟ ଲେଖି ଜୀବନ ହାରିଲେ ସ୍ତ୍ରୀ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଇନ୍ଦୋର ସହରର ଜଣେ ମହିଳା ନିଜ ହାତରେ ସୁଇସାଇଡ ନୋଟ ଲେଖି ଜୀବନ ହାରି ଦେଇଛନ୍ତି।

ପୁଲିସ ସୂତ୍ରରୁ ପ୍ରକାଶ, ସିଲଭର ସ୍ପ୍ରିଙ୍ଗ ସେସାଇଟିରେ ରହୁଥିବା ୪୦ବର୍ଷର କବିତା ପାଟିଲ ଦଉଡ଼ି ଦେଇ ଜୀବନ ହାରି ଦେଇଛନ୍ତି। କବିତାଙ୍କ ମୃତଦେହକୁ ଘରୁ ଉଦ୍ଧାର କରିବା ସମୟରେ ତାଙ୍କ  ବାମହାତରେ କିଛିଲେଖା ଥିବା ‌ଦେଖିବାକୁ ମିଳିଥିଲା। ଏଥିରେ କବିତା ପଙ୍କଜ ପଟେଲ ଓ ସ୍ବାମୀଙ୍କ ପ୍ରେମିକ‌ାଙ୍କୁ ତାଙ୍କ ମୃତ୍ୟୁର କାରଣ ବୋଲି ଦର୍ଶାଇଛନ୍ତି।

କବିତା ତାଙ୍କ ବାମ ହାତରେ ମରାଠୀ ଓ ହିନ୍ଦୀ ଭାଷାରେ ଲେଖିଛନ୍ତି, ‘ମୋର ସ୍ବାମୀ ଓ ନମ୍ରତାଙ୍କ ମଧ୍ୟରେ ଖରାପ ସମ୍ପର୍କ ଅଛି। ମୁଁ ବିରୋଧ କରିବାରୁ  ପଙ୍କଜ ମୋ‌ତେ ଅନେକ ସମୟରେ ମାଡ଼ ମାରିଥାଆନ୍ତି। ଦୁହେଁ ମିଶି ମୋତେ ଅନେକ ନିର୍ଯାତନା ଦେଇଛନ୍ତି। ଦିନକୁ ଦିନ ପଙ୍କଜଙ୍କ ନିର୍ଯାତନା ମୋ ପ୍ରତି ବଢ଼ିବାକୁ ଲାଗିଥିଲା। ଏମିତି କି ନମ୍ରତା ବି ମୋତେ ଫୋନ କରି ପଙ୍କଜ ଠାରୁ ଦୂରେଇ ରହିବାକୁ ଧମକ ଦେଇଥିଲା। ଶେଷରେ ବାଧ୍ୟ ହୋଇ ମୁଁ ଜୀବନ ହାରିବାକୁ ନିଷ୍ପତ୍ତି ନେଇଛି।’

ଏହି ଘଟଣାକୁ କେନ୍ଦ୍ର କରି ପୁଲିସ ଯାଞ୍ଚ ଆରମ୍ଭ କରିଥିଲା। କବିତାଙ୍କ ସ୍ବାମୀ ପଙ୍କଜ ପଟେଜ ଓ ତାଙ୍କ ପ୍ରେମିକାଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ପୁଲିସ ସାମ୍ନାରେ ଦୁହେଁ ନିଜ ଦୋଷ ସ୍ବୀକାର କରିବା ପରେ ପୁଲିସ ପଙ୍କଜ ଓ ନମ୍ରତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର