ଗଛରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ଘଟଣା, ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ପୁଲିସ

ବଲାଙ୍ଗୀର: ଚଳିତ ମାସ ୧୫ ତାରିଖ ତୁରେକେଳା ଥାନା ମହୁଳପାଟି ଗାଁ ପାଖ ଜଙ୍ଗଲରୁ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଜଣେ ଅଚିହ୍ନା ବୃଦ୍ଧଙ୍କ ମୃତଦେହ ପୁଲିସ ଉଦ୍ଧାର କରିଥିଲା । ପ୍ରାଥମିକ ତଦନ୍ତରୁ ଏବଂ ସାଇଣ୍ଟିଫିକ ଟିମର ତଦନ୍ତ ପରେ ଏହା ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପୁଲିସ ସନ୍ଦେହ କରିଥିଲା । ପ୍ରଥମେ ମୃତକ ବୃଦ୍ଧଙ୍କ ପରିଚୟ ମିଳିନଥିବା ବେଳେ ପୁଲିସ ମୃତକଙ୍କ ପରିଚୟ ଖୋଜିଥିଲା ।

ତେବେ ମୃତକଙ୍କ ପରିଚୟ ମିଳିବା ସହ ତାକୁ ହତ୍ୟା କରିଥିବା ଦୁଇ ଜଣଙ୍କୁ ଗିରଫ କରିଛି ତୁରେକେଳା ପୁଲିସ । ମୃତକ ବୃଦ୍ଧ ଜଣକ ହେଲେ ବେଳପଡା ଥାନା ଶୁନାମୁଦି ଗାଁର ଶିଶୁ ସୁନାନୀ । ବୃଦ୍ଧ ନିଜ ଶ୍ୱଶୁର ଘର ଲାଠୋର ଥାନା ବୁଢାଛପର ଗାଁରେ ଦୀର୍ଘ ବର୍ଷରୁ ରହୁଥିଲେ । ତେବେ ସେହି ବୁଢାଛପର ଗାଁର ଲଳିତ ହଂସ ଏବଂ ପାଖ ଗାଁର ମଦନ ବାଗ ଘରେ ଏକ କାମ ଅଛି କହି ଶିଶୁ ସୁନାନୀଙ୍କୁ ଏକ ମୋଟରସାଇକେଲରେ ନେଇ ଯାଇଥିଲେ ।

ପରେ ସେମାନେ ମଦ ପିଇ ହତ୍ୟା କରି ଆତ୍ମହତ୍ୟା ରୂପ ଦେଇଥିବା ପୁଲିସ ଏସ୍ଡିପିଓ ଡ଼ ହୃଷିକେଶ ମେହେର ସୂଚନା ଦେଇଛନ୍ତି । ପୂର୍ବ ଶତ୍ରୁତା ପାଇଁ ଏଭଳି ହତ୍ୟା କାଣ୍ଡ ହୋଇଥିବା ପୁଲିସ ତଦନ୍ତରୁ ଜାଣିପାରିଛି । ତେବେ ତୁରେକେଳା ପୁଲିସ ଗିରଫ ଦୁଇ ଜଣଙ୍କୁ ଘଟଣାସ୍ଥଳ ନେଇ କ୍ରାଇମ ରିକ୍ରିଏସନ କରିଥିବା ଦେଖିବାକୁ ମିଲିଛି ।

ସମ୍ବନ୍ଧିତ ଖବର