କାମରେ ଆସୁନି ସୁନାମୁହିଁ ଭେଣ୍ଡିଂ ଜୋନ୍‌: ପାଣିରେ ପଡ଼ିଛି ଲକ୍ଷାଧିକ ଟଙ୍କା

ଖଣ୍ଡପଡ଼ା: ସରକାରୀ ଅଧିକାରୀଙ୍କ ଦୂରଦର୍ଶିତା ଅଭାବରୁ କିଭଳି ଲକ୍ଷ ଲକ୍ଷ ଟଙ୍କା ବର୍‌ବାଦ ହୁଏ ତାହା ଖଣ୍ଡପଡ଼ା ଏନ୍‌ଏସିରେ ଦେଖିବାକୁ ମିଳିଛି। ସହରାଞ୍ଚଳ ଅଧୀନ ସୁନାମୁହିଁ ଭେଣ୍ଡିଂ ଜୋନ୍‌ରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ପ୍ରାୟ ୬ ମାସ ତଳେ ୧୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବିନିମୟରେ ସୁନାମୁହିଁ ପାର୍କ ନିକଟରେ ଏହି ପ୍ରକଳ୍ପ ନିର୍ମାଣ ସରିଯାଇଛି। ମାତ୍ର ଜନବସତିଠାରୁ ଦୂରରେ ଏଭଳି ଜାଗାରେ ବ୍ୟବସାୟ ନ ହେବା ଆଶଙ୍କା ପ୍ରକାଶ ପାଇଥିବା ବେଳେ ଆଜି ପର୍ଯ୍ୟନ୍ତ ଏହା କାମରେ ଲାଗୁନଥିବା ସୂଚନା ମିଳିଛି। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲକ୍ଷ ନେଇ ଏନ୍‌ଏସି ପକ୍ଷରୁ ଆକଳନ ମୁତାବକ ପ୍ରାୟ ୧୫ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇ ସୁନାମୁହିଁ ପର୍ଯ୍ୟଟନସ୍ଥଳୀ ସମ୍ମୁଖରେ ଏହି ଆମ୍ବ ଆକୃତି ଭେଣ୍ଡିଂ ଜୋନ୍‌ ନିର୍ମାଣ କରାଯାଇଥିଲା। ଏହି ଭେଣ୍ଡିଂ ଜୋନ୍‌ରେ ପ୍ରାୟ ୭ ଫୁଟ ଉଚ୍ଚତା ଏବଂ ୧୦ ଫୁଟ ଗୋଲେଇ ବିଶିଷ୍ଟ ୬ଟି ଆମ୍ବ ଆକୃତି ଫାଇବର୍‌ ଦୋକାନ ଗୃହ ନିର୍ମାଣ କରାଯାଇଥିବା ବେଳେ ପ୍ରତ୍ୟେକ ଦୋକାନ ସମ୍ମୁଖରେ ୪ଟି ଲେଖାଏଁ ସମୁଦାୟ ୨୪ଟି ଆମ୍ବ ଆକୃତି ଚୌକି ମଧ୍ୟ ନିର୍ମାଣ କରାଯାଇଛି।

ଫଳରେ ଏଠାକୁ ବିଭିନ୍ନ ସ୍ଥାନରୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କ ଏହି ଭେଣ୍ଡିଂ ଜୋନ୍‌ଟି ବେଶ୍‌ ଆକର୍ଷିତ କରିଥାନ୍ତା। ତେବେ ଯେଉଁ ଆକାରର ଗୃହଗୁଡ଼ିକ ନିର୍ମାଣ ହୋଇଛି ବ୍ୟବସାୟ ପ୍ରତିଷ୍ଠାନଟିଏ ଚାଲିବା ସମ୍ଭବ ନୁହେଁ ବୋଲି ସ୍ଥାନୀୟ ବ୍ୟବସାୟୀ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ବିଦ୍ୟୁତ, ପାନୀୟ ଜଳ ଭଳି ମୌଳିକ ସୁବିଧା ନଥିବା ବେଳେ ଜନବସତିଠାରୁ ମଧ୍ୟ ବହୁ ଦୂରରେ ଅବସ୍ଥିତ। ଫଳରେ ବ୍ୟବସାୟ କରିବା ନେଇ ଆଶା ଆଶଙ୍କାରେ ରହିଛନ୍ତି ସହରାଞ୍ଚଳବାସୀ। ସେହିପରି ଏନ୍‌ଏସି ମଧ୍ୟରେ ଅନେକ ଖାଲି ତଥା ବ୍ୟବସାୟ ଅନୁକୂଳ ଜାଗା ଥିବା ସତ୍ତ୍ବେ କାହା ସ୍ୱାର୍ଥରେ ଜନବସତିଠାରୁ ଦୂରରେ ଏହି ଭେଣ୍ଡିଂ ଜୋନ୍‌ ନିର୍ମାଣ କରାଗଲା ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଏକାଧିକ ଜନପ୍ରତିନିଧି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ଘଟଣାର ବିଧିବଦ୍ଧ ତଦନ୍ତ କରାଯିବା ସହ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି।

ସମ୍ବନ୍ଧିତ ଖବର