ଜବରଦଖଲରେ ପ୍ରସ୍ତାବିତ ଅଟୋନଗର: ବେଂଚ ମାର୍କ ଭେଲ୍ୟୁ ୫୩କୋଟି ବାନ୍ଧିପାରୁନି ପୌରପାଳିକା

ଜୟପୁର: ପ୍ରସ୍ତାବିତ ଅଟୋନଗରର ଅଧିକାଂଶ ଅଞ୍ଚଳ ଏବେ ଜବରଦଖଲକାରୀଙ୍କ କବଜାରେ। କଚ୍ଚା ଏବଂ ପକ୍କା ଘର ଠାରୁ ଆରମ୍ଭ କରି ବଡ଼ ବଡ଼ କୋଠା ଗଡ଼ି ଉଠିଛି ପ୍ରସ୍ତାବିତ ଅଞ୍ଚକରେ। ପ୍ରକଳ୍ପ ପାଇଁ ରାଜସ୍ବ ବିଭାଗର ୯ଏକର ୭୮୫ସେଣ୍ଟ ଜମି ଚିହ୍ନଟ କରାଯାଇଥିଲା। ବେଂଚମାର୍କ ଭେଲ୍ୟୁ  ପ୍ରମିୟମ ବାବଦରେ ପ୍ରାୟ ୫୩ କୋଟି ୭୧ଲକ୍ଷ ଟଙ୍କା ଦଖଲ କଲେ ପ୍ରସଙ୍ଗ ଆଗକୁ ବଳିବ ବୋଲି ଜଣାପଡିବା ପରେ ଅସହାୟ ହୋଇପଡିଥିଲା ପୌରସଂସ୍ଥା। ରାଜ୍ୟ ସରକାର ଏଦିଗରେ ଦୃଷ୍ଟି ଦେଲେ ଏହି ଅଂଚଳର ଜବରଦଖଲ ମୁକ୍ତ ହେବା ସହ ଅଟୋନଗର ପ୍ରକଳ୍ପ କେବଳ ପ୍ରସ୍ତାବରେ ନ ରହି କାର୍ଯ୍ୟକାରୀ ହୋଇ ପାରିଥାନ୍ତା।

ତେବେ ବେଂଚମାର୍କ ଭେଲ୍ୟୁକୁ ବାନ୍ଦି ନ ପାରିବାରୁ ଏହି ପ୍ରକଳ୍ପ ଲଟକି ରହିଛି। ହାଟପଦା ନିକଟସ୍ଥ ଲକ୍ଷ୍ମଣପୁର ମୌଜାରେ ୫ଟି ପ୍ଲଟରେ ୯ଏକର ୭୮୫​​​ସେଣ୍ଟ ଚିହ୍ନଟ ହୋଇଥିଲା। ସହରରେ ମୁଖ୍ୟକେନାଲର ଉଭୟ ପାର୍ଶ୍ବରେ  କେନାଲ ଜମିକୁ ଜବରଦଖଲ କରି ଯେନତେନ୍ ଭାବେ ରହିଥିବା ଏବଂ ଗେଟ୍ ଗୁଡା ଛକରୁ ଗାନ୍ଧୀଛକ, ଢ଼େପଗୁଡା, ପୁରୁଣା ଶ୍ରୀକ୍ରୀଷ୍ଣା ଟକିଜ୍ ଯାଏଁ ରହିଛି ଶତାଧିକ ଗ୍ୟାରେଜ। ପୌରପାଳିକା ପକ୍ଷରୁ ଏମାନଙ୍କୁ ସମ୍ମିଳିତ କରି ଅଟୋନଗର ଓ ଡଙ୍ଗାଗୁଡାରେ ୫ଏକର ଜମିରେ ଟ୍ରକ ଟର୍ମିନାଲ କରିବାକୁ ଯୋଜନା କରିଥିଲେ। ଏହା ପରେ ରାଜସ୍ବ ବିଭାଗବି ତତ୍ପରତା ପ୍ରକାଶ କରି ଜମି ମାପଚୁପ କରିଥିଲେ। ଏହା ପରେ ଅଟୋନଗରର ବେଂଚମାର୍କ ଭେଲ୍ୟୁ ବାହାର କରିଥିଲେ।

ତେବେ ଏହି ଜମିର ଅଧିକାଂଶ ଅଂଚଳକୁ ବହୁ ଜବରଦଖଲକାରୀ ଦଖଲ କରି ନିଜ ଠାରୁ ଅନ୍ୟମାନଙ୍କୁ ବିକ୍ରୀ କରିଦେଇଛନ୍ତି ଜମି। ତା ସହ ଏହି ଜମିକୁ ମୁଖ୍ୟରାସ୍ତାରୁ ସିଧାସଳଖ ରାସ୍ତା ନଥିବା ବି ପ୍ରମୁଖ ପ୍ରତିବନ୍ଧକ ସାଜିଥିବା କହିଛନ୍ତି ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ। ତା ବାଦେ ବି ଏହି ଅଟୋନଗର ପାଇଁ ବେଂଚମାର୍କ ଭେଲ୍ୟୁ ଜମା କରିବାକୁ ରାଜ୍ୟସରକାରଙ୍କ ସହରାଂଚଳ ଓ ଗୃହ ଉନ୍ନୟନ ବିଭାଗକୁ ଅବଗତ କରାଯାଇଥିବା କହିଛନ୍ତି ପୌର କାର୍ଯ୍ୟନିର୍ବାହୀ ଅଧିକାରୀ। ସେଭଳି ଡଙ୍ଗାଗୁଡାରେ ୫ଏକର ଜମିରୁ କିଛିକାଂଶ ଜବରଦଖଲରେ ରହିଛି। ଏହା ବାଦେ ବି ରାସ୍ତା ଆଦି ରହିଥିବାରୁ ଟ୍ରକ ଟର୍ମିନାଲ କରିବାର ପ୍ରସ୍ତାବ ବି ରହିଥିଲା। ତେବେ ଜବରଦଖଲ ମୁକ୍ତ କରାଗଲେ ଏଠାରେ ଟ୍ରକ ଟର୍ମିନାଲ କରାଯିବ ବୋଲି କହିଛନ୍ତି ପୌରକାର୍ଯ୍ୟନିର୍ବାହୀ ଅଧିକାରୀ। ଅଟୋନଗର ଓ ଟ୍ରକ ଟର୍ମିନାଲ  ହୋଇଗଲେ ସହରରେ ଉପୁଜୁଥିବା କୃତ୍ରିମ ଟ୍ରାଫିକ ସମସ୍ୟା ଦୁର ହୋଇପାରିବ ବୋଲି କହିଛନ୍ତି ନିର୍ବାହୀ ଅଧିକାରୀ। ତେବେ ଉଭୟ ପ୍ରସ୍ତାବ କେବେ କାର୍ଯ୍ୟକାରୀ ହେବ ନା ନାହିଁ ତାହା ସମୟ ହିଁ କହିବ।  ​

 

ସମ୍ବନ୍ଧିତ ଖବର