ଦୀପ ତଳ ଅନ୍ଧାର; ସମସ୍ତେ ଯାଉଛନ୍ତି କାହାରି ନିଘା ନାହିଁ, ବାରିପଦା ସହରର ପ୍ରମୁଖ ରାସ୍ତାର ଦୂରାବସ୍ଥା

ମରାମତି ନହେଲେ ଆନ୍ଦୋଳନ ଚେତାବନୀ

ବାରିପଦା: ବାରିପଦା ପୌରପରିଷଦର ୱାର୍ଡ଼ ନମ୍ବର ୭ର ଦୁର୍ଗା ହୋଟେଲ ଛକରୁ ଉଦଳା ରାସ୍ତାକୁ ସଂଯୋଗ କରୁଥିବା ରାସ୍ତା ଏକ ପ୍ରମୁଖ ଯାତାୟତ ମାର୍ଗ। ଏହି ରାସ୍ତାଦେଇ ଦୈନିକ ଶତାଧିକ ଟ୍ରାକ୍ଟର, ଟ୍ରକ, କାର, ସ୍କୁଲ ବସ, ମୋଟର ସାଇକେଲ, ସାଇକେଲ ଆଦି ସହିତ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ତହସିଲଦାରଙ୍କ ଭଳି ବଡ଼ ବଡ଼ ଅଧିକାରୀଙ୍କ ଗାଡ଼ି ଯାତାୟତ କରୁଛି। ମାତ୍ର ଏହି ରାସ୍ତାର ଅଵସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି । ପୌରପରିଷଦର ଏହି ରାସ୍ତାର କିଛି ଭାଗ କଂକ୍ରିଟ ଓ କିଛି ଭାଗ ପିଚୁରେ ନିର୍ମାଣ ହୋଇଛି । ଦୈନିକ ଶହ ଶହ ସଂଖ୍ୟାରେ ଭାରୀ ଓ ହାଲୁକା ଯାନ ଚଳାଚଳ କରୁଥିବା କାରଣରୁ ଦୁଇ ବର୍ଷ ହେବ ରାସ୍ତାଟି  ଶୋଚନୀୟ ଅବସ୍ଥାକୁ ଆସିଯାଇଛି । ଫଳରେ ବିଭିନ୍ନ ସମୟରେ ଛୋଟ ବଡ଼ ଦୁର୍ଘଟଣା ଘଟିବାରେ ଲାଗିଛି ।
ରାସ୍ତାର ଉଭୟ ପାର୍ଶ୍ଵରେ ଥିବା ଘରଗୁଡ଼ିକରୁ ଜନସାଧାରଣ ରାସ୍ତାକୁ ବାହାରିବା ପାଇଁ ଭୟ କରୁଛନ୍ତି । ପୁଣି ଉକ୍ତ ରାସ୍ତା ସହିତ ୱାର୍ଡ଼ର କେତେକ ଗଳି ରାସ୍ତା ମଧ୍ୟ ଯୋଡ଼ି ହୋଇ ରହିଛି । ଏହା ଖରାପ ହୋଇଯାଇଥିବାରୁ ଗାଡ଼ିମୋଟର ଚଳାଚଳ ସାଙ୍ଗକୁ ପଥାଚାରୀଙ୍କ ନିମନ୍ତେ ବିପଦର କାରଣ ପାଲଟିଯାଇଛି । ପୌରପ୍ରଶାସନ ଏଦିଗରେ ନିଘା ନାହିଁ କି ପଘା ନାହିଁ ନୀତିକୁ ଆପଣେଇ ନେଇଥିବାରୁ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି ।
ବାରିପଦା ପୌରପରିଷଦର ବିଭିନ୍ନ ୱାର୍ଡ଼ର ମୁଖ୍ୟ ରାସ୍ତାଠାରୁ ଆରମ୍ଭ କରି ଗଳିକନ୍ଦିର ସମସ୍ତ ରାସ୍ତା ନିର୍ମାଣ ପ୍ରତି ପୌରପ୍ରଶାସନ ଗୁରୁତ୍ୱ ଦେଉଥିବା ବେଳେ ୭ ନମ୍ବର ୱାର୍ଡ଼ ପ୍ରତି ବୈମାତୃକ ମନୋଭାବ ପୋଷଣ ନୀତିକୁ ନେଇ ୱାର୍ଡ଼ବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏଥି ସହିତ ପୌରପ୍ରଶାସନ ପକ୍ଷରୁ ତୁରନ୍ତ ଉକ୍ତ ରାସ୍ତା ନିର୍ମାଣ ନିମନ୍ତେ ଦାବି କରିଛନ୍ତି ଅରୁଣ କୁମାର ମହାରଣା, ରମେଶ ଚନ୍ଦ୍ର ଚୌଧୁରୀ, ଅଶୋକ ଗ୍ରଭା, ସନ୍ତୋଷ ବରଜ, ଜୟନ୍ତ ନାୟକ ପ୍ରମୁଖ ସ୍ଥାନୀୟ ବାସିନ୍ଦା। ଏନେଇ କୌଣସି ପଦକ୍ଷେପ ଗ୍ରହଣ କରା ନ ଗଲେ ଆଗାମୀ ଦିନରେ ୱାର୍ଡ଼ବାସୀ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି ।
ସମ୍ବନ୍ଧିତ ଖବର