୨୧୮ ଏଲ୍‌ପିଜି ଗ୍ରାହକଙ୍କ ଡାଟା ହ୍ୟାକ୍: ଗ୍ରାହକଙ୍କ ଅଜାଣତରେ ବଦଳିଗଲା ଡିଷ୍ଟ୍ରିବ୍ୟୁଟର୍‌, ଥାନାରେ ଅଭିଯୋଗ ପରେ ବି ପୁଲିସ୍ ଚୁପ୍

କଟକ: ଘରୋଇ ଗ୍ୟାସ୍ ବ୍ୟବହାରକାରୀଙ୍କ ଅଜାଣତରେ ବଦଳି ଯାଉଛି ସେମାନେ ଅନୁବଂଧିତ ହୋଇଥିବା ଡିଷ୍ଟ୍ରିବୁଟର ଏଜେନ୍ସି। ଅର୍ଥାତ କଂପ୍ୟୁଟର ତଥ୍ୟ ହ୍ୟାକ୍ କରି ଏଭଳି କେଳେଙ୍କାରୀ କରାଯାଉଛି। ସମସ୍ୟାରେ ପଡିବା ପରେ ଗ୍ରାହକ ଏ ସଂପର୍କରେ ଜାଣୁଥିବା ବେଳେ ସମସ୍ୟାର ସମାଧାନ ବଦଳରେ ତାଙ୍କୁ ଅଧିକ ହଇରାଣ ହେବାକୁ ପଡୁଛି। ଏଲପିଜି ଗ୍ୟାସ୍ ସିଲିଣ୍ଡର ଯୋଗାଣରେ ଏଭଳି କେଳେଙ୍କାରୀ ଏବେ ସାମନାକୁ ଆସିଛି। ଏହା ଏକପ୍ରକାର ଠକେଇ ବୋଲି ଗ୍ରାହକମାନେ ଅଭିଯୋଗ କରିବା ସହିତ ତୁରନ୍ତ ଏହାର ତଦନ୍ତ ଦାବି କରିଛନ୍ତି। ସୂଚନା ଅନୁଯାୟୀ ଗ୍ରାହକଙ୍କ ସୁବିଧା ପାଇଁ ପେଟ୍ରୋଲିୟମ ମନ୍ତ୍ରଣାଳୟ ଏଲପିଜି ବ୍ୟବହାରକାରୀଙ୍କ ପାଇଁ ପୋର୍ଟାବିଲିଟି ସୁବିଧା କରିଛି। ଜ‌ଣେ ଇଣ୍ଡିଆନ ଅଏଲ ଗ୍ରାହକ ଚାହିଁଲେ ଭାରତ ପେଟ୍ରୋଲିୟମ, ଭାରତ ପେଟ୍ରୋଲିୟମ ଗ୍ରାହକ ଚାହିଁଲେ ଅନ୍ୟ ଏଜେନ୍ସିକୁ ସହଜରେ ଚୟନ କରିପାରିବ। ଏଥିପାଇଁ ଏଜେନ୍ସିକୁ ଦୌଡିବାକୁ ପଡିବ ନାହିଁ। ଅନଲ‌ାଇନରେ ଏ ସୁବିଧା ଉପଲବ୍ଧ ରହିଛି। ଏହି ପୋର୍ଟାବିଲିଟି ସୁବିଧାରେ ଜଣେ ଗ୍ରାହକ ଅନଲାଇନ‌ରେ ତା’ର ଡିଷ୍ଟ୍ରିବୁଟର ବା ବିତରଣ ସଂସ୍ଥ‌ା ବଦଳାଇ ପାରିବ। ତେବେ ଏଥିପାଇଁ ଗ୍ରାହକ ନିଜେ ଲଗ ଇନ କରିବା ପରେ ଗ୍ରାହକର ‌‌ପଞ୍ଜୀକୃତ ମୋବାଇଲକୁ ଓଟିପି ଆସିବ। ଓଟିପି ଯାଞ୍ଚ ପରେ ଏ ନେଇ ପ୍ରକ୍ରିୟା ଆରମ୍ଭ ହେବ। କିନ୍ତୁ‌ ଗ୍ରାହକଙ୍କ ସୁବିଧା ପାଇଁ ଥିବା ଏହି ପୋର୍ଟାବିଲିଟର ସୁବିଧାକୁ ବ୍ୟବହାର କରି ଏବେ ଠକେଇ ଆରମ୍ଭ ହୋଇଛି। ଅନଲାଇନରେ ଗ୍ରାହକଙ୍କ ଡାଟା ହାକ୍ କ‌ରି ଏକ ଗ୍ୟାସ ଏଜେନ୍ସି ବା ଡିଷ୍ଟ୍ରିବ୍ୟୁଟର ଅନ୍ୟ ଜଣେ ଡିଷ୍ଟ୍ରିବ୍ୟୁଟର ୨୧୮ ଜଣ ଗ୍ରାହକଙ୍କୁ ନେଇଯାଇଥିବା ଭଳି ଏକ ଚାଞ୍ଚଲ୍ୟକର ଅଭିଯୋଗ ସାମ୍ନାକୁ ଆସିଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ଗ୍ରାହକଙ୍କ ଅଜାଣତରେ ଏହି ପୋର୍ଟାବିଲିଟି କରାଯାଇଛି।

ଏ ନେଇ ସେମାନଙ୍କୁ କୗଣସି ସୂଚନା ବି ଦିଆଯାଇନାହିଁ କି ଓଟିପି ଆସି ନଥିବା ଗ୍ରାହକମାନେ ଅଭିଯୋଗ କରିଛନ୍ତି। ଏ ନେଇ କଟକ ଖପୁରିଆ ସ୍ଥିତ ଶ୍ରୀ ଭାରତ ଗ୍ୟାସ ପକ୍ଷରୁ ମଧୁପାଟଣା ଥାନାରେ ଲିଖିତ ଅଭିଯୋଗ ହୋଇଛି। ତେଲେଙ୍ଗାପେଣ୍ଠ ଅଞ୍ଚଳର ଏକ ଏଜେନ୍ସି ଏଭଳି କାରସାଦି କରିଥିବା ଅଭିଯୋଗ ହୋଇଛି। ଏ ନେଇ ଗ୍ୟାସ ବିତରକ ବାଣୀ ନିର୍ମାଲ୍ୟ ଦାସ ଥାନାରେ ଅଭିଯୋଗ କରିଥିଲେ ହେଁ ଏହି ଗୁରୁତର ପ୍ରସଙ୍ଗକୁ ପୁଲିସ ହାଲକା ଭାବେ ନେଇଛି। ଏପରିକି ଗତ ୨୨ ସେପ୍ଟେମ୍ବରରୁ ଅଭିଯୋଗ ହୋଇଥିଲେ ବି ପୁଲିସ ଏହାକୁ ପଞ୍ଜୀକୃତ କରିନାହିଁ। ଭାରତ ଗ୍ୟାସର ଅନଲାଇନ ପୋର୍ଟାଲ ‘ଇ କନେକ୍ଟ ବିପିସିଏଲ’ ଗ୍ରାହକ ତଥ୍ୟକୁ ହାକ୍ କରି ନିଆଯାଇଛି। ଗ୍ରାହକ ଓ ବିପିସିଏଲ ଅଧିକାରୀଙ୍କ ଅଜଣାତରେ ଏଭଳି କରାଯାଇଛି। ନିଜ ଗ୍ରାହକ ସଂଖ୍ୟା ବଢାଇବା ପାଇଁ ଗ୍ରାହକଙ୍କୁ ନଜଣାଇ ସେମାନେ ବିତରକ ସଂସ୍ଥା ବଦଳାଯିବା ଯୋଗୁଁ ଗ୍ରାହକମାନେ ‌ଏବେ ସମସ୍ୟାରେ ପଡିଛନ୍ତି। ସେମାନେ ଗ୍ୟାସ୍ ବୁକିଂ କରିବା ପରେ ଅନ୍ୟ ଏକ ବିତରକ ସଂସ୍ଥା ଗ୍ୟାସ ଦେଉଥିବା ଜାଣିବା ପରେ ଗ୍ରାହକମାନେ ମଧ୍ୟ ଅଭିଯୋଗ କରିଛନ୍ତି। ଏ ନେଇ ସେମାନେ ଶ୍ରୀ ଭାରତ ଗ୍ୟାସକୁ ଲିଖିତ ଭାବେ ଜଣାଇଛନ୍ତି। ତେବେ ଏହାକୁ ନେଇ ସଂପୃକ୍ତ ଏଜେନ୍ସି ବିରୋଧରେ ସାଇବର ଠକେଇ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ଭାରତ ଗ୍ୟାସ ପକ୍ଷରୁ ଦାବି ହୋଇଛି। ଗ୍ରାହକଙ୍କ ତଥ୍ୟା ହାକ୍ କରିଥିବା ଅଭିଯୋଗରେ ତାଙ୍କ ନାମ‌ରେ ଅପରାଧିକ ମାମଲା ରୁଜୁ କରି ବିତରଣ ଲାଇସେନସ ବାତିଲ କରିବାକୁ ଗ୍ରାହକମାନେ ଦାବି କରିଛନ୍ତି। ନିଜର ବ୍ୟବସାୟିକ ଅଭିବୃଦ୍ଧି ପାଇଁ ଗ୍ରାହକଙ୍କ ବ୍ୟକ୍ତିଗତ ତଥ୍ୟକୁ ହାକ୍ କରିଥିବା ଓ ସେମାନଙ୍କ ଅଜଣାତରେ ହୋଇଥିବାରୁ ସାଇବର ପୁଲିସ ଏହାର ତଦନ୍ତ କରିବାକୁ ମଧ୍ୟ ଗ୍ରାହକମ‌ାନେ ମତ ରଖିଛନ୍ତି।

ସମ୍ବନ୍ଧିତ ଖବର