ଜାତୀୟ ଯୋଗାସନ ପ୍ରତିଯୋଗିତାରେ ରେକର୍ଡ ରଚିଲା ଓଡ଼ିଶା

୨୨ ଜଣିଆ ଟିମ୍‌ରେ ଥିଲେ କଟକର ୧୭ ପ୍ରତିଯୋଗୀ

କଟକ: ଜାତୀୟ ଯୋଗାସନ ପ୍ରତିଯୋଗିତାରେ ରେକର୍ଡ ରଚିଛି ଓଡ଼ିଶା। କର୍ଣ୍ଣାଟକର ହାମ୍ପିରେ ହଟ୍‌ ଯୋଗ ଫେଡେରେସନ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାରେ ଓଡିଶାକୁ ମିଳିଛି ଦ୍ୱିତୀୟ ସ୍ଥାନ। ବିଭିନ୍ନ ବୟସ ବର୍ଗର ୨୨ ଜଣ ଖେଳାଳି ଭାଗ ନେଇଥିବା‌ବେଳେ ୧୯ ଜଣ ୧୧ ଟି ସ୍ଵର୍ଣ୍ଣ, ୨ଟି ରୌପ୍ୟ ଓ ୬ଟି ବ୍ରୋଞ୍ଜ ମେଡାଲ ଜିତିବାରେ ସଫଳ ହୋଇଛନ୍ତି। ସେପ୍ଟେମ୍ବର ୨ ରୁ ୪ ତାରିଖ ପର୍ଯ୍ୟନ୍ତ କର୍ଣ୍ଣାଟକ ହାମ୍ପି ଠାରେ ଖେଳାଯାଇଥିବା ଏହି ମେଗା ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ସମେତ ୧୨ଟି ରାଜ୍ୟର ୫ଶହରୁ ଉର୍ଦ୍ଧ୍ଵ ଖେଳାଳି ଅଂଶଗ୍ରହଣ କରିଥିଲେ। ଓଡ଼ିଶାର ବାଲେଶ୍ବରରୁ ୧ ଜଣ, ମୟୁରଭଞ୍ଜରୁ ୧ ଜଣ ରହିଥିବା ବେଳେ କଟକ ବାରବାଟୀ ଯୋଗ ଆସୋସିଏସନରୁ ୨୦ ଜଣ ପ୍ରତିଯୋଗୀ ଏଥିରେ ଭାଗ ନେଇଥିଲେ। ତେବେ ଏହି ପ୍ରତିଯୋଗିତା ଆରମ୍ଭର ହିଁ ଆହ୍ବାନପୂର୍ଣ୍ଣ ହୋଇଥିଲା। ପ୍ରତିଟି ମ୍ୟାଚରେ ଓଡିଶାର ଖେଳାଳି ମାନେ ବେଶ ଉଚ୍ଚକୋଟିର ପ୍ରଦର୍ଶନ କରିଥିଲେ। ଓଡ଼ିଶା ଟିମ୍‌ ମ୍ୟାନେଜର ସୁବାଶିଷ ଦେଙ୍କ ନେତୃତ୍ବରେ ୨୨ ଜଣ ପ୍ରତିଯୋଗୀ ଏଥିରେ ସାମିଲ ହୋଇଥିଲେ।

ଗର୍ବ ଅନୁଭବ ହେଉଛି
ବାରବାଟୀ ଯୋଗ ଆସୋସିଏସନର ୧୭ ଜଣ ପ୍ରତିଯୋଗୀ ସେଠ‌ାରେ ଅଂଶଗ୍ରହଣ କରି ସଫଳତା ହାସଲ କରିଛନ୍ତି। ଜଣେ ‌କୋଚ୍‌ ଭାବେ ଏଥିପାଇଁ ଗର୍ବ ଅନୁଭବ କରୁଛି। ଆଗାମୀ ଦିନରେ କୃତି ଖେଳାଳିଙ୍କୁ ସାଉଥ ଏସିଆନ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି ବାରବାଟୀ ଯୋଗ ଆସୋସିଏସନ କୋଚ ଦେବାଶିଷ ହଳଧର।

ଆଗାମୀ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ହେବି
ମତ୍ସ୍ୟାସନ, ପୂର୍ଣ୍ଣ ଧର୍ନୁ ଆସନ, ଏକହସ୍ତ ଗୋଖଲି ନଟରାଜ ଆସନ, ମାରୁଧାଆସନ ପ୍ରଦର୍ଶନ କରିଥିଲି। ଏହି ସମସ୍ତ ଆସନ ପାଇଁ ୫ ମିନିଟ୍‌ ସମୟ ଦିଆଯାଇଥିଲା। ବହୁତ ଖୁସି ଲାଗୁଛି ସୂର୍ଣ୍ଣ ପଦକ ଜିତି ଥିବାରୁ। ଅଗାମୀ ଦିନରେ ଅର୍ନ୍ତଜାତୀୟ ସ୍ତର‌ର ପ୍ରତିଯୋଗିତାରେ ଭାଗ ନେବା ଲକ୍ଷ୍ୟ ରଖିଛି ବୋଲି କହିଛନ୍ତି ବାରବାଟୀ ଯୋଗ ଆସୋସିଏସନର ସରସ୍ବତୀ ସାମଲ।

 

ପରିଶ୍ରମ ସଫଳ ହୋଇଛି
ପଦହସ୍ତାସନ, ଉଷ୍ଟ୍ରାଆସନ, ଶୀର୍ଷାସନ, ପଦ୍ମାଭୀରୁଷିକାସନ ପ୍ରଦର୍ଶନ କରିଥିଲି। ଏହି ପ୍ରତିଯୋଗିତା ପାଇଁ ଦିନକୁ ୩ ଘଣ୍ଟା ପ୍ରସ୍ତୁତି କରିଥାଏ। ଆଗାମୀ ଦିନରେ ଅନ୍ତର୍ଜାତୀୟସ୍ତରର ପ୍ରତିଯୋଗିତାରେ ଭାଗ ନେବାକୁ ପ୍ରସ୍ତୁତ ହେଉଛି ବୋଲି କହିଛନ୍ତି ବାଲେଶ୍ୱରର ସାଇ ପ୍ରକାଶ।

ଅଭ୍ୟାସ ଜାରି ରଖିବି
ଓମକାରାସନ, ପଦ୍ମାମୟୂରାସନ, ଆକ୍ରମଣଧନୁରାସନ ସମେତ ୧୫ଟି ଯୋଗାସନ ପ୍ରଦର୍ଶନ କରିଥିଲି। ପ୍ରଥମ ଥର ଏପରି ଏକ ଜାତୀୟ ପ୍ରତିଯୋଗିତାରେ ଭାଗ ନେଇ ସ୍ବର୍ଣ୍ଣ ପଦକ ହାସଲ କରି ବହୁତ ଖୁସି ଅନୁଭବ କରୁଛି। ଏପରି ଯୋଗ ଅଭ୍ୟାସ ସର୍ବଦା ଜାରି ରଖିବି ବୋଲି କହିଛନ୍ତି ମୟୁରଭଞ୍ଜର ପ୍ରକାଶ ବେହରା।

ଅନ୍ତର୍ଜାତୀୟସ୍ତରର ପ୍ରତିଯୋଗିତା ପାଇଁ ଅଭ୍ୟାସ ଆରମ୍ଭ କରିବି
ଅର୍ଦ୍ଧମତ୍ସେନ୍ଦ୍ର ଆସନ, ବିପରୀତ ପଦ୍ମାବୃଷିକାସନ, ବିପରିତ ବ୍ୟଗ୍ର ଦୁଇ ପାଦାସନ ପ୍ରଦର୍ଶନ କରିଛି। ଦୁଇଟି ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ହାସଲ କରି ବହୁ ଖୁସି ଅଛି। ପ୍ରତ୍ୟେକ ଦିନ ୪ ଘଣ୍ଟା ଅଭ୍ୟାସ କରିଥାଏ। ଶ୍ରେୟ ମୋ ବାପା ମା’ ଓ କୋଚଙ୍କୁ ଦେବି। ଆଗାମୀ ଦିନରେ ଅନ୍ତର୍ଜାତୀୟସ୍ତରର ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ଏବେଠୁ ଆରମ୍ଭ କରିଥିବା କହିଛନ୍ତି ବାରବାଟୀ ଯୋଗ ଆସୋସିଏସନ୍‌ର ଛାତ୍ର ସ୍ମାରକ ଦେ।

କୋଚ୍‌ଙ୍କୁ ସମସ୍ତ ଶ୍ରେୟ ଦେବି
ଦୁଇଟି ପଦକ ହାସଲ କରିପାରିଛି। ଆଜିକୁ ୫ ବର୍ଷ ହେବ ବାରବାଟୀ ଯୋଗ ଆସୋସିଏସନରେ ଅଭ୍ୟାସ କରିଆସୁଛି। ମୋ କୋଚଙ୍କୁ ସମସ୍ତ ଶ୍ରେୟ ଦେବି। ଆଗାମୀ ଦିନରେ ଅନ୍ତର୍ଜାତୀୟସ୍ତରର ପ୍ରତିଯୋଗିତାରେ ଭାଗ ନେବା ଲକ୍ଷ୍ୟ ରଖିଛି ବୋଲି କହିଛନ୍ତି ବାରବାଟୀ ଯୋଗ ଆସୋସିଏସନର ଛାତ୍ର ଶୁଭମ ବେହେରା।

ସମ୍ବନ୍ଧିତ ଖବର