କଟକ ଜିଲ୍ଲା ମୁକ ବଧିର ସଂଘ ସଦସ୍ୟଙ୍କ ନିଆରା ପ୍ରୟାସ

ତିଆରି କରୁଛନ୍ତି ୧୫ ଫୁଟ୍‌ ଉଚ୍ଚ ଗଣେଶ ମୂର୍ତ୍ତି

କଟକ: ଭିନ୍ନକ୍ଷମ ହୋଇ ମଧ୍ୟ ସକ୍ଷମଙ୍କ ଠାରୁ ଅଧିକ କରି ଦେଖାଇ ପାରିଛନ୍ତି କଟକ ଜିଲ୍ଲା ମୁକ ବଧିର ସଂଘର ସଦସ୍ୟ। କଥା କହି ପାରୁନଥିବା ଓ ଶୁଣି ପାରୁନଥିବା ବେଳେ ଗଣେଶ ପୂଜା ପାଇଁ ତିଆରି କରୁଛନ୍ତି ୧୫ ଫୁଟ ଉଚ୍ଚତାର ମୂର୍ତ୍ତି। ଏପରିକି ମୂର୍ତ୍ତି ତିଆରି କରିବା ପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ ମଧ୍ୟ ନିଜେ ସଂଗ୍ରହ କରି ମୂର୍ତ୍ତି ତିଆରି କରିବା ଠାରୁ ବିସର୍ଜନ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ନିଜେ ତୁଲାଇଥାନ୍ତି ଏହି ସଂଘର ସଦସ୍ୟ ମାନେ। ମୁଖ୍ୟତଃ ୩ ଜଣ ସଦସ୍ୟ ଏହି ମୂର୍ତ୍ତି ତିଆରି କରୁଥିବାବେଳେ ଅନ୍ୟ ସଦସ୍ୟ ମାନେ ଏଥିରେ ସହଯୋଗ କରୁଛନ୍ତି। କଟକ ତୁଳସୀପୁର ଲୋୟର ପୁଲିସ କଲୋନି ଠାରେ ଥିବା କଟକ ଜିଲ୍ଲା ମୁକ ବଧିର ସଂଘର ସଦସ୍ୟ ମାନେ ୧୫ ଫୁଟ ଉଚ୍ଚତାର ଗଣେଶ ମୂର୍ତ୍ତି ତିଆରି କରି ଏବେ ବେଶ ଚର୍ଚ୍ଚାରେ। ସଂଘର ରତନ ସେନ, ବାଲୁଙ୍କେଶ୍ବର ବେହେରା, ନୀଳକଣ୍ଠ ଦାସ ଓ ଦିଲ୍ଲୀପ ସାହୁ ମୂର୍ତ୍ତି ନିର୍ମାଣରେ ଲାଗି ପଡିଛନ୍ତି।

୩୫ ବର୍ଷ ତଳେ ଏହି ସଂଘ ଗଠନ ହୋଇଥିବାବେଳେ ପ୍ରଥମେ ଗଣେଶ ମୂର୍ତ୍ତି କିଣି ଏଠାରେ ପୂଜାର୍ଚ୍ଚନା କରାଯାଉଥିଲା। ହେଲେ ଏହି ସଂଘରେ ସଦସ୍ୟ ମାନେ ଆଇଟିଆଇ କଲେଜରେ ଅଧ୍ୟୟନ କରୁଥିବାବେଳେ କଲେଜରୁ ହିଁ ଭିନ୍ନ କୌଶଳ ଶିକ୍ଷାଲାଭ କରି ମୂର୍ତ୍ତି କିଣି ପୂଜା କରିବା ବଦଳରେ ୨୫ ବର୍ଷ ହେବ ନିଜ ହାତରେ ତିଆରି କରୁଛନ୍ତି ଗଣେଶ ମୂର୍ତ୍ତି। ପ୍ରଥମେ ଗଣେଶଙ୍କ ଭିନ୍ନ ଭିନ୍ନ ଆକୃତିର ଫଟୋ କିଣିବା ପରେ ଯେଉଁ ଆକୃତି ସହଜ ଉପାୟରେ ହୋଇପାରିବ ସେହି ମୂର୍ତ୍ତି ତିଆରି କରୁଥିଲେ। ହେଲେ ପରେ ଇଣ୍ଟରନେଟରୁ ଫଟୋ ଚୟନ କରି ଅଳ୍ପ ଉଚ୍ଚତାର ମୂର୍ତ୍ତି ତିଆରି କରି ଆସୁଥିଲେ। କୋଭିଡ଼ ଯୋଗୁଁ ଦୁଇବର୍ଷ ମୂର୍ତ୍ତି ତିଆରି କରି ପାରି ନଥିବାରୁ ଚଳିତବର୍ଷ ଗଣେଶ ପୂଜା ପାଇଁ ତିଆରି କରିଛନ୍ତି ୧୫ ଫୁଟ ଉଚ୍ଚତାର ଗଣେଶ ମୂର୍ତ୍ତି। ୯ ଦିନ ହେବ ମୂର୍ତ୍ତି ତିଆରି ଆରମ୍ଭ କରିଥିବାବେଳେ ସକାଳୁ ରାତି ପର୍ଯ୍ୟନ୍ତ ଏହି ମୂର୍ତ୍ତି କାମ ପାଇଁ ଲାଗିଛନ୍ତି ସଂଘର ସଦସ୍ୟ। ସଂଘର ସଦସ୍ୟ ମାନେ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ପାଲଟିଥିବା ସଂଘର ଉପାଧ୍ୟକ୍ଷ ଅଭି ମହାନ୍ତି କହିଛନ୍ତି। କଟକ ଜିଲ୍ଲାର ୪୫୦ ସଦସ୍ୟ ଏହି ସଂଘରେ ଜଡ଼ିତ ରହିଥିବା ବେଳେ ସରକାର ଏହି ପିଲାଙ୍କ ପ୍ରତି ଗୁରୁତ୍ବ ଦେବା ଆବଶ୍ୟକ ବୋଲି‌ କହିଛନ୍ତି ସଘଂର ଅଧ୍ୟକ୍ଷ ସଞ୍ଜୟ ଦାସ।

 

ବହୁତ ଖୁସି ଅନୁଭବ ହେଉଛି
ମୁଁ ଆଇଟିଆଇରେ ପାଠ ପଢ଼ିବା ସମୟରେ ହିଁ ସେଠାରେ ଭିନ୍ନ ଭିନ୍ନ କୌଶଳ ଶିଖିବାକୁ ପାଇଛି। ପାଠ ପଢ଼ା ସହ ଏପରି ମୂର୍ତ୍ତି ତିଆରି କାମ କରିବା ଆରମ୍ଭ କରିଥିଲି। ଏବେ ନିଜେ ଅନ୍ୟ ଏକ ସ୍ଥାନରେ କାମ କରିବା ସହ ସଂଘରେ ପୂଜା ପାଇଁ ମୂର୍ତ୍ତି ତିଆରି କରୁଥିବାରୁ ବହୁତ ଖୁସି ଅନୁଭବ କରୁଥିବା କହିଛନ୍ତି ସଂଘ ସଦସ୍ୟ ରତନ ସେନ।

ଚଳିତବର୍ଷର ସବୁଠୁ ବଡ଼ ମୂର୍ତ୍ତି
ବହୁ ଖୁସି ଲାଗୁଛି ଯେ ଏପରି ଏକ ମୂର୍ତ୍ତି ଆମେ ତିଆରି କରିପାରିଛୁ। ଚଳିତବର୍ଷ ସବୁଠୁ ବଡ଼ ମୂର୍ତ୍ତି ରହିଛି। ସ୍କୁଲରେ ପାଠ ପଢ଼ିବା ଓ ପରେ ଆଇଟିଆଇରେ ପଢ଼ିବାବେଳେ ବିଭିନ୍ନ ପ୍ରକାରର କାମ ଶିଖିଛୁ। ଆଗାମୀ ଦିନରେ ମଧ୍ୟ ଆହୁରି ଭଲ ମୂର୍ତ୍ତି ତିଆରି କରିବୁ ‌ବୋଲି କହିଛନ୍ତି ସଂଘ ସଦସ୍ୟ ବାଲୁଙ୍କେଶ୍ବର ବେହେରା।

ହାତ ତିଆରି ମୂର୍ତ୍ତି ସଂଘର ଶୋଭା ବଢ଼ାଉଛି
ନିଜେ ତିଆରି କରି ପୂଜା କରିବାର ଅଲଗା ଖୁସି ରହିଛି। ନିଜ ହାତ ତିଆରି ମୂର୍ତ୍ତି ଆମ ସଂଘର ଶୋଭାକୁ ଅଧିକ ବଢ଼ାଇଛି। ଆଗାମୀ ଦିନରେ ମଧ୍ୟ ଏପରି କାମ ଜାରି ରଖିବୁ ବୋଲି କହିଛନ୍ତି ସଂଘ, କୋଷାଧ୍ୟକ୍ଷ ଦିଲ୍ଲୀପ ସାହୁ।

ସମ୍ବନ୍ଧିତ ଖବର