ବିପଦରେ ବନ୍ୟପ୍ରାଣୀ: ବଜ୍ରକାପ୍ତା, ଶୁଆ ପରେ ଏବେ ହାତୀଦାନ୍ତ ଉଦ୍ଧାର

-​୧୧ ଅଭିଯୁକ୍ତ ଜେଲ୍ ଗଲେ

ରାଉରକେଲା: ସୁନ୍ଦରଗଡ଼ରେ ହାତୀଦାନ୍ତ ଚୋରା ରାକେଟ୍‌ ଗ୍ୟାଙ୍ଗ୍‌ର ୧୧ ଜଣକୁ ଗିରଫ କରିଛି ରାଉରକେଲା ବନଖଣ୍ଡର ସ୍ବତନ୍ତ୍ର ଟିମ୍‌। ଏମାନଙ୍କ ନିକଟରୁ ୩ କେଜି ଓଜର ଦୁଇଟି ହାତୀଦାନ୍ତ ଜବତ ହୋଇଛି। ଏଥିସହ ଦୁଇଟି ବାଇକ୍‌ ଓ ୧୧ ଟି ମୋବାଇଲ ଫୋନ୍‌ ମଧ୍ୟ ବନବିଭାଗ ଟିମ୍‌ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଲହୁଣିପଡ଼ା ବ୍ଳକ କେ. ବଲାଙ୍ଗ ଥାନା ଅନ୍ତର୍ଗତ ବଡଗାଁର ରାମେଶ୍ବର ନାୟକ (୫୧), ଭାଲିଆଡିହିର ବିରଜା ମୁଣ୍ଡା (୪୦), ଖିରେଇଟାଙ୍ଗିରିର ଖଗେଶ୍ବର ମହାନ୍ତ (୪୦), କେନ୍ଦୁଝର ଜିଲ୍ଲା ଚକାଗ୍ରାମର ପ୍ରକାଶଚନ୍ଦ୍ର ମହାକୁଡ଼ (୩୯), ଖରିଆବାହାଲ ଗ୍ରାମର ସୁଗୁଡ଼ା ହେମ୍ବ୍ରମ୍‌(୩୪), ସୁନ୍ଦରଗଡ଼ ଧୁଙ୍ଗାରପଡ଼ାର ରାମଚନ୍ଦ୍ର ପାତ୍ର (୬୧), କେନ୍ଦୁଝର ରଙ୍କି ଗାଁର ସତ୍ୟାନନ୍ଦ ପାତ୍ର (୫୧), ମନୋହରପୁର ଗାଁର ପ୍ରୀତିକାନ୍ତ ମହନ୍ତ (୨୭), ରଞ୍ଜନ ମହନ୍ତ (୪୮), ଗମ୍ଭାରିଆର ଯଶୋବନ୍ତ ଓରଫ ଦୁଷ୍ମନ୍ତ ପାତ୍ର (୫୮), ନାକୁଡ଼ାର ବିଦ୍ୟାଧର ପାତ୍ର (୪୮)। ଜବତ ହାତୀଦାନ୍ତ ଦୁଇଟି କେଉଁଠୁ ଆସିଲା ? ରାଜ୍ୟ ଭିତରେ ନା ରାଜ୍ୟ ବାହାରକୁ ଚାଲାଣ ହେଉଥିଲା? ଗ୍ୟାଙ୍ଗର ୧୧ ଅଭିଯୁକ୍ତଙ୍କ ବ୍ୟତୀତ ଅନ୍ୟ କେଉଁମାନେ ଅଛନ୍ତି, ବନବିଭାଗ ପକ୍ଷରୁ ଗଠିତ ସ୍ବତନ୍ତ୍ର ଟିମ୍‌ ତା’ର ତଦନ୍ତ କରୁଛି। ଗୁରୁବାର ରାଉରକେଲା ବନଖଣ୍ଡ ପକ୍ଷରୁ ପାନପୋଷସ୍ଥ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଦୁଷ୍ମନ୍ତ ପାତ୍ରଙ୍କ ଜବତ ମୋବାଇଲରେ ହାତୀଦାନ୍ତ, ବଜ୍ରକାପ୍ତାଙ୍କ ସହ ବିଭିନ୍ନ ପଶୁପକ୍ଷୀଙ୍କ ଫଟୋ ରହିଛି। ଏଣୁ ଦୁଷ୍ମନ୍ତ ଏମିତି କାରବାର ଚଳାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଲହୁଣିପଡା ଭାଲିଆଡିହିର ବିରଜା ମୁଣ୍ଡା ଗତ ୨୦୨୨ ଡି‌ସେମ୍ବରରୁ ଦୁଇଟି ହାତୀଦାନ୍ତ ନିଜ ଘରେ ରଖିଥିଲା। ଏହାକୁ ଚଢ଼ା ଦରରେ ବିକିବାକୁ ଚାହୁଁଥିଲେ ହେଁ ଦଲାଲ ବା ଗ୍ରାହକ ମିଳୁ ନଥିଲେ। ଗତ କିଛି ଦିନ ତଳେ ସେ ତା’ର ଅନ୍ୟ କିଛି ସହଯୋଗୀ ଜରିଆରେ କେନ୍ଦୁଝରର ଦୁଷ୍ମନ୍ତ ପାତ୍ରଙ୍କ ସହ ଯୋଗାଯୋଗ କରିଥିଲା। ଦୁଷ୍ମନ୍ତ ମତମୁତାବକ ଦାମ୍‌ରେ ହାତୀଦାନ୍ତ କିଣିବାକୁ ରାଜି ହୋଇଥିଲା। ଦୁଷ୍ମନ୍ତ ରାଜି ହେବାପରେ ବିରଜା ଓ ତା’ର ଅନ୍ୟ ସହଯୋଗୀମାନେ ରାମେଶ୍ବରଙ୍କ ଘରେ ହାତୀଦାନ୍ତ ଦୁଇଟିକୁ ରଖି ପୂଜାପାଠ ଚଳାଇଥିଲେ। ଏ ସଂପର୍କରେ ସୂଚନା ପାଇ ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀଙ୍କ ନିର୍ଦ୍ଦେଶକ୍ରମେ ସ୍ବତନ୍ତ୍ର ଟିମ୍‌ ଗଠନ ହୋଇଥିଲା। ଅତିରିକ୍ତ ବନ୍ୟସଂରକ୍ଷକ ସୌମ୍ୟରଞ୍ଜନ ଗୋଚ୍ଛାୟତଙ୍କ ନେତୃତ୍ବରେ ପାନପୋଷ ରେଞ୍ଜର ଜ୍ଞାନେନ୍ଦ୍ର ଲିମା, ବାଙ୍କି ରେଞ୍ଜର ସେତୁରଞ୍ଜନୀ ଗମାଙ୍ଗ, ବନପାଳ ରୀତାଞ୍ଜଳି ଶତପଥୀ, ପ୍ରଦୀପ କୁମାର ସାହୁ, ଅଳିଅଳ ବେହେରା ପ୍ରମୁଖ ଟିମ୍‌ରେ ରହିଥିଲେ। ଗତ ୨୨ରେ ଗିରଫ ୯ ଅଭିଯୁକ୍ତ ରାମଶ୍ବେର ନାୟକଙ୍କ ଘରେ ଏକାଠି ହୋଇ ଦୁଷ୍ମନ୍ତଙ୍କ ହାତୀଦାନ୍ତ ଦୁଇଟି ବିକିବା ସଂପର୍କରେ ବିଚାରବିମର୍ଶ କରୁଥିଲେ। ବନବିଭାଗ ସ୍ବତନ୍ତ୍ର ଟିମ୍‌ ଚଢ଼ଉ କରି ଘଟଣାସ୍ଥଳରୁ ୨ ହାତୀଦାନ୍ତ ଜବତ କରିବା ସହ ୯ ଜଣକୁ ଗିରଫ କରିଥିଲେ। ସେମାନଙ୍କ ସୂଚନା ଆଧାରରେ ମାଷ୍ଟରମାଇଣ୍ଡ କେନ୍ଦୁଝର ଜିଲ୍ଲାର ଦୁଷ୍ମନ୍ତ ପାତ୍ରକୁ ଗିରଫ କରାଯାଇଥିଲା। ସୁନ୍ଦରଗଡ଼ ଜିଲ୍ଲାରେ କେବଳ ହାତୀଦାନ୍ତ ନୁହେଁ, ଶୁଆ ଶାବକ, ବଜ୍ରକପ୍ତା, ଏଣ୍ଡୁଅ ଆଦି ଗ୍ୟାଙ୍ଗ ସକ୍ରିୟ ଅଛନ୍ତି। ବିଗତ ଦିନରେ ରାଉରକେଲା ବନଖଣ୍ଡ ସ୍ବତନ୍ତ୍ରଟିମ୍‌ ଶୁଆ ଶାବକ, ବଜ୍ରକପ୍ତା ଓ ଏଣ୍ଡୁଅ ଜବତ କରିଛି। ବେଆଇନ‌ ବନ୍ୟଜନ୍ତୁ ଚାଲାଣ ଗ୍ୟାଙ୍ଗର ୧୦ରୁ ଅଧିକ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର