ବାଧ୍ୟବାଧକତାରେ ମତଦାନ! ରଘୁନାଥପାଲି ନିର୍ବାଚନମଣ୍ଡଳୀର ସମୀକରଣ 

ରାଉରକେଲା: ମତଦାନ ସରିବା ପରେ କେଉଁ ଆସନରେ କିଏ ବାଜି ମାରିବ ସେନେଇ ଚର୍ଚ୍ଚା ଜୋର୍‌ ଧରିଲାଣି। ତେବେ ରଘୁନାଥପାଲି ନିର୍ବାଚନମଣ୍ଡଳୀକୁ ନେଇ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଯେଉଁଭଳି ଚର୍ଚ୍ଚା ଲାଗି ରହିଥିଲା, ମତଦାନ ପରେ ବି ସେହିଭଳି ଚର୍ଚ୍ଚା ଜାରି ରହିଛି। ଏହି ଆସନରେ କିଏ ବାଜିମାତ୍‌ କରିବ, ତାକୁ ନେଇ ଜନସାଧାରଣ ଭିନ୍ନଭିନ୍ନ ତର୍କ ଦେଉଛନ୍ତି। ତିନି ପ୍ରମୁଖ ଦଳ ନୂଆ ମୁହଁକୁ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ। ଭୋଟର୍‌ଙ୍କ ପାଖରେ ନିଜ ପସନ୍ଦର ପ୍ରାର୍ଥୀ ବାଛିବା ପାଇଁ ଉପଯୁକ୍ତ ବିକଳ୍ପର ଅଭାବ ଥିବାରୁ, ଏହା ଏକପ୍ରକାର ବାଧ୍ୟବାଧ୍ୟକତାର ମତଦାନ ପାଲଟିଛି।
ଏଥର ନିର୍ବାଚନରେ ବିଜେପିରୁ ଦୂର୍ଗା ଚରଣ ତନ୍ତୀ, ବିଜେଡିରୁ ଅର୍ଚ୍ଚନା ରେଖା ବେହେରା ଓ କଂଗ୍ରେସରୁ ଗୋପାଳ ଦାସ ମଇଦାନକୁ ଓହ୍ଲାଇଥିଲେ। କିନ୍ତୁ ଏଠାରେ କଂଗ୍ରେସ ଏକ ପ୍ରକାର ହାତ ଟେକିଦେବାରୁ ବିଜେପି ଓ ବିଜେଡି ପ୍ରାର୍ଥୀଙ୍କ ମଧ୍ୟରେ ଦ୍ବିମୁଖୀ ଲଢ଼େଇ ଦେଖିବାକୁ ମିଳିଥିଲା। ଆରମ୍ଭରୁ ଶେଷଯାଏ କଂଗ୍ରେସ ଲଢ଼େଇରେ ନଥିବା କହିଲେ ଭୁଲ ହେବନାହିଁ। ତୃତୀୟଥର ପାଇଁ ନିର୍ବାଚଚିତ ହେବାପରେ ନିର୍ବାଚନମଣ୍ଡଳୀରୁ ଏକପ୍ରକାର ଉଭାନ ହୋଇଯାଇଥିବା ସୁବ୍ରତ ତରାଇଙ୍କ ପତ୍ନୀ ଅର୍ଚ୍ଚନାରେଖାଙ୍କୁ ବିଜେଡି ଶେଷ ମୂହୁର୍ତ୍ତରେ ପ୍ରାର୍ଥୀ କରିଥିଲା। ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହେବାର ମାତ୍ର ୪ ଦିନ ପୂର୍ବରୁ, ଅର୍ଥାତ୍‌ ଏପ୍ରିଲ ୨୨ରେ ଦଳ ଅର୍ଚ୍ଚନାଙ୍କ ନାଁରେ ମୋହର ମାରିଥିଲା। ସୁବ୍ରତଙ୍କ ପ୍ରତି ଥିବା ଜନଅସନ୍ତୋଷ ସାଂଗକୁ କୌଣସି ରାଜନୈତିକ ଅଭିଜ୍ଞତା ନଥିବା ତାଙ୍କ ପତ୍ନୀ ଅର୍ଚ୍ଚନାରେଖାଙ୍କୁ ପ୍ରାର୍ଥୀ ଭାବେ ଲଦିଦେବା ବିଜେଡି ପ୍ରତି ବି ନକରାତ୍ମକ ଜନମତ ସୃଷ୍ଟି କରିଥିଲା। ଅବଶ୍ୟ, ସୁବ୍ରତ ନିଜ ଅଭିଜ୍ଞତାରୁ ଲୋକଙ୍କୁ ବୁଝାଇବାକୁ ପ୍ରାଣପଣେ ପ୍ରୟାସ କରିଥିଲେ। ବିଶେଷକରି ବସ୍ତି ଭୋଟ୍‌ ଉପରେ ଫୋକ୍‌ସ କରିଥିଲେ। ହେଲେ କେତେ ମାତ୍ରାରେ ବସ୍ତି ଭୋଟ୍‌କୁ ନିଜ ପକ୍ଷକୁ ଆଣିପାରିଛନ୍ତି, ତାହା ଜୁନ ୪ରେ ହିଁ ସ୍ପଷ୍ଟ ହେବ। କିନ୍ତୁ ପୂର୍ବରୁ ସୁବ୍ରତଙ୍କୁ ଯେଭଳି ବସ୍ତିବାସିନ୍ଦାଙ୍କ ସମର୍ଥନ ମିଳୁଥିଲା, ତାହା ଏଥର ଦେଖିବାକୁ ମିଳିନଥିଲା। ସର୍ବୋପରି, ନିର୍ବାଚନମଣ୍ଡଳୀରୁ ବିଜେଡି ଟିକଟ୍ ଆଶାୟୀ ଥିବା ପ୍ରଫୁଲ୍ଲ ସୁନ୍ୟାନୀ ଓ ପ୍ରଶାନ୍ତ ସେଠୀଙ୍କ ସମର୍ଥକମାନେ ଏଥର ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେଇଛନ୍ତି କି ନାହିଁ ତାହା ସ୍ପଷ୍ଟ ହେଉ ନାହିଁ। କାରଣ ଦଳୀୟ ପ୍ରାର୍ଥୀ ମଧ୍ୟ ଏହି ଦୁଇ ନେତାଙ୍କ ସହଯୋଗ ଲୋଡ଼ିଲେ ନାହିଁ। ସେହିଭଳି ବହୁସଂଖ୍ୟକ ବିଜୁ ଯୁବ ଓ ଛାତ୍ର ନେତା ଦଳ ଛାଡ଼ି ବିଜେପିରେ ସାମିଲ ହେବା ଏକ ଭିନ୍ନ ବାର୍ତ୍ତା ଦେଇଥିଲା।
କେବଳ ବିଜେଡି ପ୍ରାର୍ଥୀ ନୁହନ୍ତି, ବିଜେପି ପ୍ରାର୍ଥୀ ଦୁର୍ଗା ଚରଣ ତନ୍ତୀଙ୍କ କ୍ଷେତ୍ରରେ ମଧ୍ୟ ଏକାଧିକ ବିଚ୍ୟୁତି ପରିଲକ୍ଷିତ ହୋଇଥିଲା। ବିଜେଡି ପ୍ରାର୍ଥୀ ଘୋଷଣାର ୨୦ ଦିନ ପୂର୍ବରୁ ବିଜେପି ଶ୍ରୀ ତନ୍ତୀଙ୍କୁ ଟିକଟ ଦେଇ ସାରିଥିଲା। ଫଳରେ ତାଙ୍କ ନିକଟରେ ପ୍ରଚାରରେ ଆଗୁଆ ରହିବାର ସୁଯୋଗ ଥିଲା। କିନ୍ତୁ ସେ ତାର ଲାଭ ଉଠାଇପାରି ନଥିଲେ। ଶ୍ରୀ ତନ୍ତୀ ଲୋକସଭା ପ୍ରାର୍ଥୀ ଜୁଏଲ ଓରାମଙ୍କ ନାଁରେ ପାର୍‌ ହେବାର ଯେଉଁ ସ୍ବପ୍ନ ଦେଖିଥିଲେ, ତାହା ବୁମେରାଂ ପାଲଟିଛି। ଅବଶ୍ୟ, ଶ୍ରୀ ଓରାମ କିଛିଦିନ ଶ୍ରୀ ତନ୍ତୀଙ୍କ ସହ ପ୍ରଚାରରେ ବାହାରିଥିଲେ, କିନ୍ତୁ ଜଣେ ନବାଗତଙ୍କ ପାଇଁ ଯେଭଳି ବରିଷ୍ଠ ନେତା ସମୟ ଦେବାକଥା ତାହା ଆଶାନୁରୂପ ନଥିଲା। ଏମିତିକି ରଘୁନାଥପାଲି ନିର୍ବାଚନମଣ୍ଡଳୀରେ ପ୍ରଭାବ ରଖିଥିବା ଦିଲୀପ ରାୟ ମଧ୍ୟ ଶ୍ରୀ ତନ୍ତୀଙ୍କ ହାତ ଛାଡ଼ିଦେଇଥିଲେ। ଶ୍ରୀ ରାୟ ହାତଗଣତି କିଛି ସଭାରେ ଯୋଗ ଦେଇଥିଲେ ସତ, କିନ୍ତୁ ତାହା ପର୍ଯ୍ୟାପ୍ତ ନଥିଲା। ଶ୍ରୀ ତନ୍ତୀ ଲାଠିକଟା, ଫର୍ଟିଲାଇଜର ଅଞ୍ଚଳରେ ଅଧିକ ମନୋନିବେଶ କରିଥିବାରୁ ଉକ୍ତ ଅଞ୍ଚଳରୁ ଅଧିକ ଭୋଟ୍‌ ପାଇବା ସମ୍ଭାବନା ଅଧିକ। ସେକ୍ଟର ଅଞ୍ଚଳବାସୀ ପ୍ରାୟତଃ ବିଜେପିକୁ ଅଧିକ ସଂଖ୍ୟାରେ ଭୋଟ୍‌ ଦେଉଥିବାବେଳେ ଏଥର ମଧ୍ୟ ଏହାର ପୁନରାବୃତ୍ତି ହେବବୋଲି କୁହାଯାଉଛି। ଯଦି ଶ୍ରୀ ତନ୍ତୀ ବିଜୟୀ ହୁଅନ୍ତି, ତା’ହେଲେ ତାହା ତାଙ୍କର ବା ଦଳର ଲୋକପ୍ରିୟତା ପାଇଁ କମ୍‌, ବିଜେଡି ବିଧାୟକ ସୁବ୍ରତଙ୍କ ନିଷ୍କ୍ରିୟତା ଯୋଗୁ ସୃଷ୍ଟି ହୋଇଥିବା ପୁଞ୍ଜିଭୂତ ଅସନ୍ତୋଷ ପାଇଁ ଅଧିକ ବୋଲି ବିଚାର କରାଯିବ। ଅପରପକ୍ଷରେ ଅର୍ଚ୍ଚନାରେଖା ଯଦି ଜିତନ୍ତି, ତା’ହେଲେ ବିଜେପିର ଦୁର୍ବଳ ପ୍ରାର୍ଥୀ ଓ ସଂଗଠନ କାରଣରୁ ତାହା ସମ୍ଭବ ହେବ। କଂଗ୍ରେସ୍‌ ଏହି ନିର୍ବାଚନମଣ୍ଡଳୀରେ ସଂପୂର୍ଣ୍ଣ ଅପ୍ରାସଂଗିକ ହୋଇଯିବ ​ବୋଲି ନିର୍ବାଚନ ବିଶ୍ଲେଷକଙ୍କ ମତ।
ସମ୍ବନ୍ଧିତ ଖବର