ଓଏସ୍‌ଓୟୁ ନାମଲେଖା ବନ୍ଦ ପ୍ରସଙ୍ଗ: ମାନବଶୃଙ୍ଖଳ ଜରିଆରେ ଦାବି ଉପସ୍ଥାପନ

ସମ୍ବଲପୁର: ସମ୍ବଲପୁରସ୍ଥିତ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଓଏସଓୟୁ)ର ସ୍ୱାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମ ଉପରେ ରୋକ ଲାଗିବା ପରଠୁ ସମ୍ବଲପୁରରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପୂର୍ବନିଷ୍ପତ୍ତି ମୁତାବକ ଓଏସଓୟୁ ବଂଚାଅ ଅଭିଯାନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମାନବଶୃଙ୍ଖଳ କରାଯାଇଛି। ଅନୁଷ୍ଠିତ ମାନବଶୃଙ୍ଖଳରେ ସହରର ବିଭିନ୍ନ ସଂଗଠନ ସାମିଲ ହୋଇ ଦାବି ଉପସ୍ଥାପନ କରିଛନ୍ତି। ଶିକ୍ଷକ-ଅଣଶିକ୍ଷକ ପଦବି ସୃଷ୍ଟି କରି ନିଯୁକ୍ତି ଦେବା ଏବଂ ଓଏସଓୟୁ କୋଠା ନିର୍ମାଣ କାମ ସଂପୂର୍ଣ୍ଣ କରିବାକୁ ଦାବି କରିଛନ୍ତି। ଏହାସହ ପୁନଃ ନାମଲେଖା କେମିତି ହୋଇପାରିବ ସେ ଦିଗରେ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ ବୋଲି ଦାବି କରାଯାଇଛି।

ଓଏସଓୟୁ ବଂଚାଅ ଅଭିଯାନର ଡାକରାରେ ମାନବଶୃଙ୍ଖଳ କାର୍ଯ୍ୟକ୍ରମରେ ବିଭିନ୍ନ ସଂଗଠନ କର୍ମକର୍ତ୍ତା ସାମିଲ ହୋଇଥିଲେ। ସରକାର ଜାଣିଶୁଣି ସମ୍ବଲପୁର ଓଏସଓୟୁକୁ ଅବହେଳା କରିଥିବା ଅଭିଯୋଗ କରିଥିଲେ। ଅଭିଯାନ ପକ୍ଷରୁ କୁହାଯାଇଛି ଯେ, ୨୦୧୫ ମସିହାରେ ସମ୍ବଲପୁର ଜିଏମ୍‌ୟୁ କ୍ୟାମ୍ପସରେ ଓଡିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଆରମ୍ଭ ହୋଇଥିଲା। ପ୍ରଥମେ ୬ଟି ଡିପ୍ଲୋମା କୋର୍ସରେ ପାଠ୍ୟକ୍ରମ ଥିଲା। ୨୦୧୭ ମସିହାରେ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମକୁ ୫ ବର୍ଷ (୨୦୨୨ ମସିହା)ଯାଏଁ ଅନୁମତି ମିଳିଥିଲା। ଅନୁମତି ମିଳିବା ପରେ ସାରା ଓଡ଼ିଶାରୁ ପିଲା ଏଠି ନାମ ଲେଖାଇ ଉପକୃତ ହୋଇପାରୁଥିଲେ। ୭୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ଏ ପର୍ଯ୍ୟନ୍ତ ଓଏସଓୟୁରେ ନାମ ଲେଖାଇ ସାରିଲେଣି। ଛାତ୍ରଛାତ୍ରୀଙ୍କ ଆଗ୍ରହ ବଢିବା ସହ ଗ୍ରାମାଞ୍ଚଳର ବହୁ ଛାତ୍ରଛାତ୍ରୀ କମ ଖର୍ଚ୍ଚ ପାଠ ପଢିବାର ସୁଯୋଗ ବି ପାଇଥିଲେ। କିନ୍ତୁ ରାଜ୍ୟ ସରକାର ଗତ ୫ ବର୍ଷ ଭିତରେ ଅନୁଷ୍ଠାନ ପାଇଁ ଶିକ୍ଷକ ଦେଲେ ନାହିଁ। ଏପରିକି ଅଣଶିକ୍ଷକ ବି କାହାକୁ ଦିଆଗଲା ନାହିଁ।

ପଦବି ସୃଷ୍ଟି ଏ ପର୍ଯ୍ୟନ୍ତ ହୋଇ ନାହିଁ। ଫଳରେ ଏ ଭିତରେ ନାକ୍‌ ମାନ୍ୟତାରୁ ଓଏସଓୟୁ ବଂଚିତ ହୋଇଛି। ଆଉ ଓଏସ୍‌ଓୟୁ ନାକ୍‌ ମାନ୍ୟତା ପାଇନଥିବାରୁ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମକୁ ୨୦୨୩-୨୪ ଶିକ୍ଷା ବର୍ଷରେ ଅନୁମତି ମିଳିନି। ଯାହାକୁ ନେଇ ଅଭିଯାନ ପକ୍ଷରୁ ଆର୍‌ଡିସିଙ୍କ ଜରିଆରେ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା। କିନ୍ତୁ ୧୫ ଦିନ ବିତି ଯାଇଥିଲେ ବି ଦାବି ପୂରଣ ଦୂରର କଥା, ଏ ପର୍ଯ୍ୟନ୍ତ ସରକାର ଚୁପ ରହିଛନ୍ତି। ଏଣୁ ମାନବଶୃଙ୍ଖଳ କରାଯାଇ ଦାବି ଉପସ୍ଥାପନ କରାଯାଇଥିବା ଅଭିଯାନ ପକ୍ଷରୁ କହାଯାଇଛି। କାର୍ଯ୍ୟକ୍ରମରେ ଅଭିଯାନର ଏନଏସସିବି କଲେଜର ପୂର୍ବତନ ସଭାପତି ପରବେଜ୍ ଅଲି ଖାନ, ନାଗରିକ କଲ୍ୟାଣ ସମିତି ସଭାପତି ମହେନ୍ଦ୍ର ମିଶ୍ର, ଜାଗରଣ ସଭାପତି ସୁଧୀର ବହିଦାର, ଲଳିତ ବେବର୍ତ୍ତା, ମଧୁ ମଦକ, ନନ୍ଦକିଶୋର ମିଶ୍ର, ବାବଲୁ ବାଗ, ଅଜିତ ପାତ୍ର, କୁନ୍ଦନ ପ୍ରଧାନ ପ୍ରମୁଖଙ୍କ ସହ ସହରର ୫୦ରୁ ଅଧିକ ସଂଗଠନ କର୍ମକର୍ତ୍ତା ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର