ଟ୍ରାଫିକ୍‌ ନିୟନ୍ତ୍ରଣ ବେଳେ ଜନ ଆକ୍ରୋଶ : ଥାନା ଅଧିକାରୀଙ୍କୁ ନିସ୍ତୁକ ମାଡ଼

ଜଗତସିଂହପୁର/ଟାଉନ : ଟ୍ରାଫିକ ନିୟନ୍ତ୍ରଣ କରିବାକୁ ଯାଇ ଲୋକଙ୍କଠାରୁ ନିସ୍ତୁକ ମାଡ଼ ଖାଇଛନ୍ତି ଥାନା ଆଇଆଇସି। ତାଙ୍କ ସହ ଯାଇଥିବା ୧୦ରୁ ଅଧିକ ପୁଲିସ୍‌ କର୍ମଚାରୀ ବି ଆକ୍ରମଣରୁ ବର୍ତ୍ତି ନାହାନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ବିରିଡ଼ି ଥାନା ଅଞ୍ଚଳରେ। ଆଜି ରାତି ପ୍ରାୟ ୮ଟା ବେଳେ ବିରିଡ଼ି ଥାନା ଅଧିକାରୀ ଭରତ କୁମାର ବେହେରାଙ୍କୁ କେତେକ ଯୁବକ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରି ଲହୁଲୁହାଣ କରିଛନ୍ତି। ତାଙ୍କ ଗାଡ଼ିକୁ ସେମାନେ ପୋଡ଼ି ଦେବା ପାଇଁ ମଧ୍ୟ ଉଦ୍ୟମ କରିଛନ୍ତି। ସ୍ଥାନୀୟ ଅଞ୍ଚଳର ଅନ୍ୟ ଲୋକଙ୍କ ସହାୟତାରେ ଥାନା ଆଇଆଇସି ଯୁବକଙ୍କ କବଳରୁ ବର୍ତ୍ତିଛନ୍ତି।

ସୂଚନା ଅନୁଯାୟୀ, ଆଜି ବାଇଶି ମୌଜା ସିଦ୍ଧେଶ୍ୱର ପୀଠରେ ଚାଲିଥିବା ଯଜ୍ଞର ପୂର୍ଣ୍ଣାହୁତି ଥିଲା। ସେଥିପାଇଁ ପୀଠରେ ପ୍ରବଳ ଭିଡ଼ ହୋଇଥିଲା। ଏହି ସମୟରେ ଥାନା ଅଧିକାରୀ ଶ୍ରୀ ବେହେରା ପାଟ୍ରୋଲିଂରେ ଆସିଥିଲେ। ଯଜ୍ଞ ପାଇଁ ରାସ୍ତା ଉପରେ ଗାଡ଼ି ଥିବାରୁ ଶ୍ରୀ ବେହେରା ଜିପ୍‌କୁ ବହୁ ଦୂରରେ ରଖି ଚାଲିଚାଲି ଉକ୍ତ ଯଜ୍ଞ ସ୍ଥଳ ପର୍ଯ୍ୟନ୍ତ ଆସିଥିଲେ। ରାସ୍ତା ଉପରେ ଥିବା ଗାଡ଼ି ଗୁଡ଼ିକୁ ହଟାଇବା ପାଇଁ ସେ ନିକଟରେ ଥିବା ଲୋକଙ୍କୁ କହିଥିଲେ। ଏହାସହ ସେଠାରେ ସାଇକେଲ ଓ ଗାଡ଼ି ପାର୍କିଂ ପାଇଁ ଅନୁମତି ନେଇଥିବା ଯୁବକଙ୍କୁ ଗାଳିଗୁଲଜ କରିଥିଲେ। ସାଦା ପୋଷକରେ ଥିବା ଶ୍ରୀ ବେହେରାଙ୍କୁ ଯୁବକମାନେ ଖାତିର ନ କରି ତାଙ୍କ ସହିତ ଯୁକ୍ତି ତର୍କ କରିଥିଲେ। ଏହାକୁ ନେଇ ଉତ୍ତେଜନା ସୃଷ୍ଟି ହେବା ସହ ଯୁବକମାନେ ସଂଗଠିତ ହୋଇ ଶ୍ରୀ ବେହେରାଙ୍କୁ କାବୁ କରି ନେଇ ନିର୍ଧୁମ ଛେଚିଥିଲେ। ଶ୍ରୀ ବେହେରା ଓ ଅନ୍ୟ ପୁଲିସ କର୍ମଚାରୀ ଜୀବନ ବଞ୍ଚାଇ ସିଦ୍ଧେଶ୍ୱର ପୀଠ ଭିତରକୁ ପଶି ଯାଇଥିଲେ। ସେଠାରେ ଥିବା ଲୋକେ ତାଙ୍କୁ ସୁରକ୍ଷା ଦେଇଥିଲେ। ଏ ସଂପର୍କରେ ଖବର ପାଇ ଜଗତସିଂହପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ମାଡ଼ ମାରିଥିବା ଯୁବକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ସମ୍ବନ୍ଧିତ ଖବର