୪୦ଟି ପଦରେ ୨୨୩ ନିଯୁକ୍ତି: ଦିଲ୍ଳୀ ମହିଳା ଆୟୋଗର ୨୨୩ କର୍ମଚାରୀଙ୍କୁ ଚାକିରିରୁ ହଟାଇଲେ ଭି.କେ ସକ୍ସେନା

ନୂଆଦିଲ୍ଲୀ: ଦିଲ୍ଲୀର ଉପ ରାଜ୍ୟପାଳ ଭି.କେ ସକ୍ସେନା ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ‌ସେ ରାଜଧାନୀ ମହିଳା ଆୟୋଗର ୨୨୩ କର୍ମଚାରୀଙ୍କୁ ଚାକିରିରୁ ହଟାଇ ଦେଇଛନ୍ତି। ଅଭିଯୋଗ ହୋଇଛି ଯେ ତତ୍‌କାଳୀନ  ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ‌ା ଥିବା ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ସାଂସଦ ସ୍ବାତୀ ମାଲିୱାଲ୍‌ ନିୟମର ଉଲ୍ଲଂଘନ କରି ଏହି ନିଯୁକ୍ତି ଦେଇଥିଲେ। ମହିଳା ଆୟୋଗ‌ରେ ସମୁଦାୟ ୪୦ଟି ପଦ ଖାଲି ଥିବା ବେଳେ ୨୨୩ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଥିଲା।

ଉପ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶରେ କୁହାଯାଇଛି ଯେ ଉପ ରାଜ୍ୟପାଳଙ୍କ ବିନା ଅନୁମତିରେ ୨୨୩ଟି ନୂତନ ପଦବୀ ସୃଷ୍ଟି କରାଯାଇଛି। ଚୁକ୍ତିରେ କର୍ମଚାରୀ ନିଯୁକ୍ତି କରିବାର ଆୟୋଗର ଅଧିକାର ନାହିଁ ବୋଲି ଏହି ନିର୍ଦ୍ଦେଶରେ ଦର୍ଶାଯାଇଛି। ଏହି ଆଦେଶରେ ଆହୁରି ମଧ୍ୟ କୁହାଯାଇଛି ଯେ ଅର୍ଥ ବିଭାଗର ଅନୁମୋଦନ ବିନା ସେମାନେ କୌଣସି ପଦକ୍ଷେପ ନେବା ଉଚିତ ନୁହେଁ।

ଏକ ଅନୁସନ୍ଧାନରୁ ଏହା ଜଣାପଡ଼ିଛି ଯେ ଏହି ନିଯୁକ୍ତିଗୁଡିକ ଧାର୍ଯ୍ୟ ପ୍ରକ୍ରିୟା ଅନୁଯାୟୀ କରାଯାଇ ନାହିଁ। ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ ଡିସିଡବ୍ଲୁ କର୍ମଚାରୀଙ୍କ ପାଇଁ ଦରମା ବୃଦ୍ଧି ଯଥାର୍ଥତା ବିନା ହୋଇଛି। ଯାହାକି ଧାର୍ଯ୍ୟ ପ୍ରକ୍ରିୟା ଏବଂ ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରିଛି।

ଆପ୍ ସାଂସଦ ଭାବରେ ରାଜ୍ୟସଭାରେ ପ୍ରବେଶ କରିବା ପୂର୍ବରୁ ସ୍ବାତୀ ନଅ ବର୍ଷ ପାଇଁ ଦିଲ୍ଲୀ ମହିଳା ଆୟୋଗର ନେତୃତ୍ୱ ନେଇଥିଲେ। ପ୍ୟାନେଲର ଅଧ୍ୟକ୍ଷ୍ୟାଙ୍କ ପଦ ବର୍ତ୍ତମାନ ଖାଲି ଅଛି। ଏହି ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଛି ଯେ ନିଯୁକ୍ତି ସମ୍ପର୍କରେ ଅର୍ଥ ବିଭାଗର ଅନୁମୋଦନ ପାଇବାକୁ ସ୍ବାତୀଙ୍କୁ ବାରମ୍ବାର ପରାମର୍ଶ ଦିଆଯାଇଥିଲା।
ସେ ଏପର୍ଯ୍ୟନ୍ତ ଅଭିଯୋଗର ଜବାବ ଦେଇନାହାଁନ୍ତି।

ସମ୍ବନ୍ଧିତ ଖବର