ସମୁଦ୍ରରେ ଛାତ୍ର ଭାସିଯିବା ଘଟଣା:ମୁଣ୍ଡରୁ ଦୋଷ ଖସାଇଲେ ପୌର ଓ ସ୍କୁଲ୍ କର୍ତ୍ତୃପକ୍ଷ

ପାରାଦୀପ:  ସକାଳେ ପାରାଦୀପ ସମୁଦ୍ର କୂଳରେ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ସ୍କୁଲ ଛାତ୍ରଛାତ୍ରୀଙ୍କ ଭିତରୁ ତିନିଜଣ ୯ମ ଶ୍ରେଣୀ ଛାତ୍ର ସମୁଦ୍ରରେ ଭାସି ଯାଇଥିଲେ। ସେମାନଙ୍କ ଭିତରୁ ଦୁଇଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବା ବେଳେ ତୃତୀୟ ଛାତ୍ର ଅଂଶୁମାନ ଦାସଙ୍କର ବର୍ତ୍ତମାନ ସୁଦ୍ଧା ପତ୍ତା ମିଳିନାହିଁ। ପୁଅ ନିଖୋଜ ଖବର ପାଇବା ପରେ ଘରେ ଚୂଲି ଜଳୁନାହିଁ। ଏକମାତ୍ର ପୁଅ ଅଂଶୁମାନର ସନ୍ଧାନ ମିଳୁ ନ ଥିବାରୁ ବାପା ଅଜୟ ଦାସଙ୍କ ସମେତ ପୁରା ପରିବାର ଧୈର୍ଯ୍ୟହରା ହୋଇ ପଡ଼ିଛନ୍ତି। ହେଲେ, ଅାଜିର ଏହି ଅଘଟଣ ପାଇଁ ପ୍ରକୃତରେ ଦାୟୀ କିଏ, ତାହା ସମସ୍ତଙ୍କମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସ୍ବଚ୍ଛତା କାର୍ଯ୍ୟକ୍ରମର ଅାୟୋଜକ ଅନୁଷ୍ଠାନ ଠାରୁ ଅାରମ୍ଭ କରି ପୁଲିସ ପ୍ରଶାସନ ଓ ସ୍କୁଲ କର୍ତ୍ତୃପକ୍ଷ; ସମସ୍ତେ ନିଜ ଦାୟିତ୍ବ ଖସାଇ ଦେଇଛନ୍ତି। ଅଂଶୁମାନ ମିଳିବା ତ’ ପରର କଥା, ଉକ୍ତ ଛାତ୍ରଙ୍କୁ ସେଠାକୁ ନେଇଥିବା ଓ ପଠାଇଥିବା କତ୍ତୃର୍ପକ୍ଷଙ୍କ ଦାୟିତ୍ବହୀନ ମନ୍ତବ୍ୟ ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇଛି।
ଆଜି ସକାଳେ ପାରାଦୀପ ପୌରପାଳିକା ପକ୍ଷରୁ ସମୁଦ୍ର କୂଳରେ ଏହି ସ୍ବଚ୍ଛତା କାର୍ଯ୍ୟକ୍ରମର ଅାୟୋଜନ କରାଯାଇଥିଲା। ଏତେ ବଡ଼ କାର୍ଯ୍ୟକ୍ରମ ଅାୟୋଜନ କରିବା ପୂର୍ବରୁ ଅନୁଷ୍ଠାନ ପକ୍ଷରୁ ସ୍ଥାନୀୟ ଥାନାରୁ ଏଥିପାଇଁ ଅନୁମତି ଅାଣିବା ଅାବଶ୍ୟକ ଥିଲା। କାର୍ଯ୍ୟକ୍ରମ ପାଇଁ ପୌର କତ୍ତୃର୍ପକ୍ଷ ଅନୁମତି ଅାଣିଛନ୍ତି କି ନାହିଁ, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ପାରିନାହିଁ। ‌ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ଫୋନ୍ ଉଠାଉ ନ ଥିବା ବେଳେ ପୌର ନିର୍ବାହୀ ଅଧିକାରୀ ଦିଲ୍ଲୀପ ମହାନ୍ତି ଫୋନ୍ ‘ସୁଇଚ୍ ଅଫ୍’ କରି ରଖିଛନ୍ତି। ସେ ପଟେ, ଅତିରିକ୍ତ ଅାରକ୍ଷୀ ଅଧୀକ୍ଷକ ବିଷ୍ଣୁଚରଣ ମିଶ୍ର ଏ ନେଇ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନାହାନ୍ତି। ଫଳରେ କାର୍ଯ୍ୟକ୍ରମ ପାଇଁ ଅନୁମତି ନିଆଯିବା ପ୍ରସଙ୍ଗ ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି। ଏହା ଉପରେ ତଦନ୍ତ କରାଯିବା ଜରୁରି ହୋଇପଡ଼ିଛି। ସେପଟେ, ଏହି କାର୍ଯ୍ୟକ୍ରମରେ ସ୍କୁଲ ଛାତ୍ରଛାତ୍ରୀଙ୍କ ଯୋଗ ଦେବା ଘଟଣା ଅାଉ ଏକ ପ୍ରଶ୍ନ ସୃଷ୍ଟି କରିଛି। କେନ୍ଦ୍ରୀୟ ବିଦ୍ୟାଳୟରୁ ମାତ୍ର ଦୁଇଜଣ ଛାତ୍ର ଅାସିବାକୁ କୁହାଯାଇଥିଲା, ଯେୁଁଥିରେ ଏହି ତିନିଜଣ ଛାତ୍ର ନ ଥିଲେବୋଲଇ ପୌରପାଳିକା କହୁଛି। ସେ ପଟେଏ କେନ୍ଦ୍ରୀୟ ବିଦ୍ୟାଳୟ କତ୍ତୃର୍ପକ୍ଷ ମଧ୍ୟ ଏହି ତିନିଜଣ ଛାତ୍ରଙ୍କୁ ସ୍କୁଲ ପକ୍ଷରୁ ପଠାଇ ନାହାନ୍ତି ବୋଲି ସଫେଇ ଦେଇଛନ୍ତି। ଏହା ସମସ୍ତ ଘଟଣାକୁ ଅଧିକ ଅଡ଼ୁଅା ମଧ୍ୟକୁ ଠେଲି ଦେଇଛି। ସମୁଦ୍ର ଅସ୍ଥିର ଥିବା ବେଳେ ତା’ କୂଳରେ ଚାଲିଥିବା କାର୍ଯ୍ୟକ୍ରମରେ ସ୍କୁଲ ଛାତ୍ରଛାତ୍ରୀ ଯୋଗ ଦେବା, ସେମାନଙ୍କ ଭିତରୁ ତିନିଜଣ ଛାତ୍ର ସମୁଦ୍ରରେ ଗାଧୋଇବା ଓ ତିନିହେଁ ସମୁଦ୍ରରେ ଭାସିଯିବା‌ ଘଟଣା ଯେତିକି ଗୁରୁତର, ସେମାନଙ୍କୁ ସେଠାକୁ ନେଇ ନ ଥିବା ଓ ପଠାଇ ନ ଥିବା କହି ଦାୟିତ୍ବ ଖସାଇ ଦେବା ଅଭିଭାବକମାନଙ୍କ ପାଇଁ ଅଧିକ ଚିନ୍ତାଜନକ ହୋଇପଡ଼ିଛି।

ସମ୍ବନ୍ଧିତ ଖବର