ଓଲଟିଲା ବରଯାତ୍ରୀ ବସ୍: ୩୦ରୁ ଅଧିକ ଆହତ, ୩ଜଣଙ୍କ ଅବସ୍ଥା ସଂକଟାପନ୍ନ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଶୋଭା ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଏକ ବରଯାତ୍ରୀ ବସ୍ ଓଲଟି ପଡ଼ିବାରୁ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ବସ୍ ହେଲପରଙ୍କ ସମେତ ତିନି ଜଣଙ୍କ ଅବସ୍ଥା ସଂକାଟପନ୍ନ ରହିଛି । ସେମାନଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଅନ୍ୟ ଆହତମାନଙ୍କୁ ବାଲିକୁଦା ଓ ଜଗତସିଂହପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରେ ୬ ଜଣ ମହିଳା ଓ ୪ ଜଣ ଶିଶୁ ରହିଛନ୍ତି।ଦୁର୍ଘଟଣା ପରେ ବସ୍ ହେଲପର ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି। ଗୁରୁତର ଆହତ ହେଲେ ବସ୍ ହେଲପର ମଙ୍ଗରାଜ ସ୍ବାଇଁ ଓ ମାନସ କାଣ୍ଡି। ଅନ୍ୟ ଜଣଙ୍କର ପରିଚୟ ମିଳିପାରି ନାହିଁ।

ମିଳିଥିବା ସୂଚନା ଅନୁସାରେ, ବରଯାତ୍ରୀ ବସ ବାବାମଣି ବାଲିକୁଦା ଧନୁରବେଲାରୀରୁ ବରଯାତ୍ରୀ ନେଇ ବାଲିକୁଦା ବୁଧିସାହିକୁ ଆସିଥିଲା। ସେଠାରୁ ବରାଯାତ୍ରୀମାନେ ଖିଆପିଆ ସାରି ବିଳମ୍ବିତ ରାତିରେ ଫେରୁଥିବା ସମୟରେ ଶୋଭା ନିକଟରେ ନଦୀବନ୍ଧ ଉପରୁ ବସଟି ଭାରସାମ୍ୟ ହରାଇ ବିଲ ଭିତରକୁ ଓଲଟି ପଡିଥିଲା। ଖବର ପାଇ ପୁଲିସ, ଦମକଳ ବାହିନୀ, ୫ରୁ ଅଧିକ ୧୦୮ ଆମ୍ବୁଲାନ୍ସ, ସ୍ଥାନୀୟ ଲୋକ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ବାଲିକୁଦା ମେଡିକାଲକୁ ପଠାଇଥିଲେ। ସେମାନଙ୍କ ମଧ୍ୟରୁ ଗୁରୁତର ଥିବା ପ୍ରାୟ ୭ ଜଣଙ୍କୁ ଜଗତସିଂହପୁର ମେଡିକାଲକୁ ପଠା ଯାଇଥିଲା।

ବରଯାତ୍ରୀମାନଙ୍କ କହିବା ଅନୁସାରେ, ବସ ଡ୍ରାଇଭର ମଦ୍ୟପାନ କରିଥିବାରୁ ଏଭଳି ଦୁର୍ଘଟଣା ଘଟିଲା। ଆହତ ବରଯାତ୍ରୀ ଜନାର୍ଦ୍ଦନ କାଣ୍ଡିଙ୍କ କହିବା ଅନୁସାରେ, ଧନୁରବେଲାରୀ ଗ୍ରାମର ଗୋବିନ୍ଦ କାଣ୍ଡିଙ୍କ ପୁଅ ମଳୟ କାଣ୍ଡିଙ୍କ ବାଲିକୁଦା ସ୍ଥିତ ବୁଧିସାହିରେ ବିବାହ କାର୍ଯ୍ୟରେ ଯୋଗଦେବା ନିମନ୍ତେ ୫୦ରୁ ଅଧିକ ଲୋକ ଯାଇଥିଲେ।

ସମ୍ବନ୍ଧିତ ଖବର