ରଘୁନନ୍ଦନଙ୍କ ଘରେ ବୈଠକ, ନବୀନ ନିବାସରେ ଟିକେଟ ଦାବି

ଭୁବନେଶ୍ବରରେ ବାଲିକୁଦା-ଏରସମା ରାଜନୀତି

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର କେବଳ ବାଲିକୁଦା-ଏରସମା ବିଧାନସଭା ଆସନ ପାଇଁ ବିଜେଡିର ଟିକେଟ ଘୋଷଣା ହୋଇପାରି ନାହିଁ। ଯଦିଓ ବିଧାୟକ ରଘୁନନ୍ଦନ ଦାସ ପ୍ରମୁଖ ଦାବିଦାର ଭାବେ ସାମନାରେ ଅଛନ୍ତି। କିନ୍ତୁ ଆଶାୟୀଙ୍କ ତାଲିକା ଖୁବ ଲମ୍ବା ଥିବାରୁ କୌଣସି ପ୍ରକାର କ୍ଷତିକୁ ଏଡ଼ାଇବା ପାଇଁ ଦଳର ନେତୃବୃନ୍ଦ ନିଷ୍ପତ୍ତି ଝୁଲାଇ ରଖିଛନ୍ତି। କିନ୍ତୁ ଅଞ୍ଚଳରେ କର୍ମୀଙ୍କ ମହଲରେ ଦ୍ବନ୍ଦ୍ବ ଆଉ ଆଶଙ୍କା ବଢୁଥିବାରୁ ଆଜି ବିଧାୟକ ରଘୁନନ୍ଦନ ଦାସ ଭୁବନେଶ୍ବରସ୍ଥିତ କ୍ବାର୍ଟରରେ ଅଞ୍ଚଳର ସରପଞ୍ଚ, ସମିତି ସଭ୍ୟ, ବ୍ଲକ ଅଧ୍ୟକ୍ଷ, ଯୁବ, ଛାତ୍ର, ମହିଳା ଏକାଠି ହୋଇଛନ୍ତି। ରଘୁ ନନ୍ଦନଙ୍କୁ ପ୍ରାର୍ଥୀ ଘୋଷଣାରେ ଆଉ ବିଳମ୍ବ ନ ହେଉ ବୋଲି ଦାବି କରି ସେମାନେ ପରେ ନବୀନ ନିବାସ ଯାଇ ଲିଖିତ ଭାବେ ଜଣାଇଛନ୍ତି। ଏସଂପର୍କରେ ରଘୁନନ୍ଦନ ଦାସ କହିଛନ୍ତି ଯେ ଟିକେଟ ବିଳମ୍ବିତ ହେଉଥିବାରୁ କର୍ମୀଙ୍କ ମଧ୍ୟରେ ଆଶଙ୍କା ରହିବା ସ୍ବାଭାବିକ। ତାଙ୍କର ଯେତିକି ଆଶଙ୍କା ରହୁନି ତା ଠାରୁ ଅଧିକ କର୍ମୀ, ଶୁଭେଚ୍ଛ, ସମର୍ଥକ, ବନ୍ଧୁମାନଙ୍କର ରହୁଛି। ତାଙ୍କର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଦୃଢ଼ ବିଶ୍ବାସ ରହିଛି। ସେ ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନିଅନ୍ତି। ଦଳରେ ଅନ୍ୟ ଦାବିଦାର ରହିବା ସ୍ବାଭାବିକ ପ୍ରକ୍ରିୟା ବୋଲି ରଘୁନନ୍ଦନ କହିଛନ୍ତି।

ଅନ୍ୟପଟେ ଆଜି ରଘୁନନ୍ଦନଙ୍କ ଘରେ ବସିଥିବା ବୈଠକରେ ଦଳର ଜଗତସିଂହପୁରରୁ ଆଶାୟୀ ଥିବା ନାଉଗାଁ ଅଞ୍ଚଳର ନେତା ତଥା ବିଜେଡି ଜିଲ୍ଲା ଉପସଭାପତି ପ୍ରଦୀପ୍ତ ସ୍ବାଇଁ ଉପସ୍ଥିତ ଥିଲେ। ପ୍ରଦୀପ୍ତଙ୍କ ପତ୍ନୀ ପୂର୍ବରୁ ପଞ୍ଚାୟତ ସମିତି ଅଧ୍ୟକ୍ଷା ଥିବା ବେଳେ ଏବେ ଜିଲ୍ଲା ପରିଷଦ ସଦସ୍ୟା ଅଛନ୍ତି। ରଘୁନନ୍ଦନଙ୍କ ସମର୍ଥନରେ ସେ ବି ଆଜି ନବୀନ ନିବାସ ଯିବା ଘଟଣା ରାଜନୀତିକୁ ଅଧିକ ସରଗରମ କରିଛି। ପ୍ରଦୀପ୍ତ ଜଗତସିଂହପୁରରୁ ଆଶାୟୀ ଥିଲେ ବି ସେଠି ଦଳ ପୁଣି ଥରେ ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ପ୍ରାର୍ଥୀ କରିଛି। ବାଲିକୁଦା-ଏରସମା ପାଇଁ ସାରଦା ଜେନା, ସୌମ୍ୟଜିତ ମହାପାତ୍ର, ଶିଖା ଉମେଶ ସ୍ବାଇଁ, ଏସ. ସଞ୍ଜୀବ ବିଶ୍ବାଳ, ଆଦିତ୍ୟ ନନ୍ଦନ, ପ୍ରଫେସର‌‌ ଜ୍ୟୋତିରଂଜନ ଦାସ, ଶିଶିର ପରିଜା ପ୍ରମୁଖ ବିଜେଡି ଟିକେଟ ଆଶାୟୀ ଅଛନ୍ତି। ବାଲିକୁଦା-ଏରସମାରୁ ବିଜେପି ଓ କଂଗ୍ରେସରୁ ବି ପ୍ରାର୍ଥୀ ଘୋଷଣା ହୋଇ ନଥିବା ବେଳେ ତିନି ଦଳ ଭିତରେ ବି ଛକାପଞ୍ଝା ଲାଗି ରହିଛି। କୌଣସି ଦଳ ଟିକେଟ୍ ଘୋଷଣା କଲେ ଆଶାୟୀ ଅନ୍ୟ ଦଳକୁ ଡେଇଁବାର ସମ୍ଭାବନା ଥିବାରୁ ବାଲିକୁଦା-ଏରସମା ରାଜନୀତି ସରଗରମ ହେବାରେ ଲାଗିଛି।

ସମ୍ବନ୍ଧିତ ଖବର