ହୁତୁହୁତୁ ହୋଇ ଜଳୁଛି ନଳଘାସ: ବାୟୁମଣ୍ଡଳ ଧୂଆଁମୟ ସ୍ଥାନୀୟ ଅଧିବାସୀ ଭୟଭୀତ

ଟାଙ୍ଗୀ: ଶନିବାର ପୂର୍ବାହ୍ନରେ ଟାଙ୍ଗୀ ଥାନା ଅଧୀନ କାଳୁପଡ଼ାଘାଟ ଜେଟି ନିକଟ ଚିଲିକାର ନଳଘାସରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେବାରୁ ତାହା ଭୟଙ୍କର ରୂପ ଧାରଣ କରିଛି। ପବନ ଯୋଗୁ ନଳଘାସ ନିଆଁ ସୋରଣଠାରୁ କାଳୁପଡ଼ାଘାଟ ପାଣିଦୁଆର ପର୍ଯ୍ୟନ୍ତ ବ୍ୟାପୀ ଯାଇଥିଲା। ନିଆଁର ଧାସ ବହୁବାଟ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା। କେବଳ ସେତିକି ନୁହେଁ ଏହାର ଧୂଆଁ ବାୟୁମଣ୍ଡଳକୁ ମେଘ ଭଳି ଆଚ୍ଛାଦିତ କରି ବହୁ ବାଟ ପର୍ଯ୍ୟନ୍ତ ମାଡ଼ିଯାଇଥିଲା। ନିଆଁର ପ୍ରକୋପ ଏତେ ଥିଲା ଯେ ତାହା ମାଡ଼ି ଯିବାରୁ ଲୋକେ ଭୟଭୀତ ହୋଇପଡ଼ିଥିଲେ। ଚଳିତବର୍ଷ ନଳଘାସରେ ନିଆଁ ଲାଗିବା ଦ୍ବିତୀୟ ଘଟଣା। ଗ୍ରୀଷ୍ମଦିନ ହୋଇଥିବାରୁ ନିଆଁର ପ୍ରଭାବ ପ୍ରବଳ ରହିଥିଲା। ନିଆଁ ପ୍ରଭାବରେ ଚିଲିକାର ବାଘାଡ଼ି ବଂଶ ଓ ମତ୍ସ୍ୟଜୀବୀ ପ୍ରଭାବିତ ହୋଇଥିବା ନେଇ ଚର୍ଚ୍ଚା ହେଉଛି। ନଳଘାସରେ ନିଆଁ ଲାଗିଥିବା ଖବର ପାଇବା ପରେ ଚିଲିକା ବନଖଣ୍ଡ ଅଧିକାରୀ ଅମ୍ଳାନ ନାୟକ ସଦଳବ‌ଳ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ସନ୍ଧ୍ୟା ପର୍ଯ୍ୟନ୍ତ ପରିଶ୍ରମ କରି ନିଆଁକୁ ଆୟତ୍ତକୁ ଆଣିଛନ୍ତି।

ଡିଏଫ୍‌ଓ ଅମ୍ଲାନ ନାୟକ କହିଛନ୍ତି ଯେ ନଳବଣ ହେଉଛି ଅଭୟାରଣ୍ୟ ଅଞ୍ଚଳ। ଏଠାରେ ନିଆଁ ଲାଗିନାହିଁ। କାଳୁପଡ଼ା ଘାଟ ଜେଟି ଚିଲିକା କୂଳରେ ଥିବା ନଳଘାସରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛି। ଫଳରେ ଏହା ହୁତୁହୁତୁ ହୋଇ ଜଳୁଛି। ବିଦେଶାଗତ ପକ୍ଷୀ, ବାଘାଡ଼ି ଆଦିଙ୍କର କୌଣସି କ୍ଷତି ଘଟିନାହିଁ। ଏହି ଅଗ୍ନିକାଣ୍ଡରେ ଗୋଟିଏ ହେଲେ ବାଘାଡି ମରିଥିବାର ସୂଚନା ଏପର୍ଯ୍ୟନ୍ତ ମିଳିନାହିଁ। ବାଘାଡ଼ିମାନେ ସ୍ଥଳଭାଗର ଉପକୂଳରେ ଥିବା ନଳବଣରେ ପ୍ରାୟତଃ ବାସ କରନ୍ତି। କାଳୁପଡ଼ା ଅଂଚଳରେ ସେମାନେ ଆଦୌ ବାସ କରନ୍ତି ନାହିଁ। ତାଛଡ଼ା ନିଆଁ ଲାଗିଲେ ସେମାନେ ଘଟଣାସ୍ଥଳରୁ ପ୍ରାୟ ୪ କିମି ଦୂର ପର୍ଯ୍ୟନ୍ତ ଚାଲି ଯାଇଥାନ୍ତି। ମତ୍ସ୍ୟଜୀବୀଙ୍କ ଡଙ୍ଗା କି ଜାଲ ବି ପୋଡ଼ି ନାହିଁ। ତେବେ ଆମ କର୍ମଚାରୀମାନେ ବହୁ ସମୟ ପରିଶ୍ରମ କରିନିଆଁକୁ ଆୟତ୍ତକୁ ଆଣିପାରିଛନ୍ତି ବୋଲି ଶ୍ରୀ ନାୟକ କହିଛନ୍ତି।

ସମ୍ବନ୍ଧିତ ଖବର