ଭଣଜା ବ୍ୟୋମକେଶଙ୍କ ହାତ ଛାଡ଼ିଲେ ମାମୁ ଅଜୟ: ଚାନ୍ଦବାଲି ରାଜନୀତି ସରଗରମ

ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନମଣ୍ଡଳୀ ଏଥର ଦେଖିବ ବଡ଼ ଲଢ଼େଇ। ବିଜେଡିର ଯୁବ ବିଧାୟକ ଡ.ବ୍ୟୋମକେଶ ରାୟ ଓ ବିଜେପିର ରାଜ୍ୟ ସଭାପତି ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କ ଭଳି ଦୁଇ ହେଭିୱେଟ୍‌ ନେତା ନିର୍ବାଚନ ମଇଦାନରେ ଥିବାରୁ ଚାନ୍ଦବାଲିର ରାଜନୈତିକ ଦୃଶ୍ୟପଟ୍ଟ ଏବେ ଚର୍ଚ୍ଚାରେ ରହିଛି। ଏମିତି ସମୟରେ ଚାନ୍ଦବାଲିର ବରିଷ୍ଠ ବିଜେଡି ନେତା ତାଳଗୁଡ଼ ନିଗମର ପୂର୍ବତନ ଅଧ୍ୟକ୍ଷ ଅଜୟ ନାୟକ ଆଜି ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି। ଅଜୟ ହେଉଛନ୍ତି ଚାନ୍ଦବାଲିର ବର୍ତ୍ତମାନର ବିଧାୟକ ବ୍ୟୋମକେଶଙ୍କ ମାମୁ ତଥା ଚାନ୍ଦବାଲିର ପୂର୍ବତନ ବିଜେଡି ବିଧାୟକ ବିଜୟ ନାୟକଙ୍କର ସାନଭାଇ।

ଏକଦା ବିଜୟ ଓ ଅଜୟଙ୍କର ଚାନ୍ଦବାଲି ରାଜନୀତି ଉପରେ ବେଶ ପ୍ରଭାବ ରହିଥିଲା। ୨୦୦୯ରେ ଅଜୟଙ୍କ ବଡ଼ଭାଇ ବିଜୟ ନାୟକ ଚାନ୍ଦବାଲିରୁ ବିଧାୟକ ହୋଇଥିଲେ। ତେବେ ୨୦୧୪ ଓ ୨୦୧୯ରେ ଦଳ ଉଭୟ ବିଜୟ ଓ ଅଜୟଙ୍କୁ ଟିକେଟରୁ ବଞ୍ଚିତ କରି ଭଣଜା ବ୍ୟୋମକେଶଙ୍କୁ ଏଠାରୁ ପ୍ରାର୍ଥୀ କରିଥିଲା। ସେତେବେଳେ ଅଜୟଙ୍କୁ ରାଜ୍ୟ ତାଳଗୁଡ଼ ନିଗମର ଅଧ୍ୟକ୍ଷ ଓ ରାଜ୍ୟ ବିଜେଡି ସଂପାଦକ ପଦରେ ବସାଇ ମାନଭଞ୍ଜନ କରାଯାଇଥିଲା। ଏଥର ତାଙ୍କ ପ୍ରତି ଦଳ କରିଥିବା ଅଣଦେଖାକୁ ଗ୍ରହଣ କରିପାରିନାହାନ୍ତି ଅଜୟ। ପ୍ରତିବାଦରେ ଭଣଜା ବ୍ୟୋମକେଶଙ୍କ ଶିବିର ଛାଡି ପଦ୍ମ ଦଳରେ ସାମିଲ ହୋଇଛନ୍ତି। ବିଜେପିରେ ଅଜୟ ମିଶିବା ପରେ ଚାନ୍ଦବାଲିରେ ନୂଆ ରାଜନୈତିକ ସମୀକରଣ ଦେଖିବାକୁ ମିଳିବ ବୋଲି ରାଜନୈତିକ ସମୀକ୍ଷକଙ୍କ ମତ। ପ୍ରକାଶଥାଉକି, ଅଜୟଙ୍କ ଭଉଣୀ ଜିଲ୍ଲା ପରିଷଦ ସଦସ୍ୟା ସୁଶ୍ରୀ ବିଦ୍ୟୁତଲତା ନାୟକ ମଧ୍ୟ ଭଦ୍ରକ ବିଧାନସଭା ଆସନରୁ ପ୍ରାର୍ଥୀ ହେବାକୁ ଆଶାୟୀ ଥିଲେ। ତେବେ ବିଦ୍ୟୁତଲତା ନିରବ ରହିଥିବା ବେଳେ ଅଜୟ କିନ୍ତୁ ନିର୍ବାଚନ ଯୁଦ୍ଧ ପୂର୍ବରୁ ଭଣଜାଙ୍କ ହାତ ଛାଡ଼ିଛନ୍ତି। ଏ ସଂପର୍କରେ ବିଧାୟକ ଶ୍ରୀ ରାୟଙ୍କ ସହ ଯୋଗାଯୋଗ କରାଯାଇଥିଲେ ହେଁ ସେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି।

ସମ୍ବନ୍ଧିତ ଖବର