ଭୁଲ ଇଞ୍ଜେକ୍ସନରୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ: ଡାକ୍ତରଙ୍କ ଅସ୍ବୀକାର

ଘଟଗାଁ: କେନ୍ଦୁଝର ଜିଲ୍ଲା ଘଟଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭୁଲ ଇଞ୍ଜେକ୍ସନ ଦିଆଯିବା ଯୋଗୁଁ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ଡାକ୍ତରଖାନା ପରିସରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇବା ସହ ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଛି।

ଘଟଗାଁ ବ୍ଲକ୍‌ ବଡ଼ମସିଣାବିଲା ଗ୍ରାମ ହାତୀବାରି ସାହିର ସୁରେଶ ବେହେରାଙ୍କ ଥଣ୍ଡାଜ୍ଵର ହୋଇଥିଲା। ସ୍ତ୍ରୀ ତାଙ୍କୁ ବସ୍‌ରେ ଆଣି ଘଟଗାଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତର ମୁକ୍ତିକାନ୍ତ ନାୟକ ତାଙ୍କର ଚିକିତ୍ସା ଆରମ୍ଭ କରିଥିଲେ। ଇଞ୍ଜେକ୍ସନ ଦିଆଯିବା ପରେ ରୋଗୀର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ମାତ୍ର ଆମ୍ବୁଲାନ୍ସ ପହଞ୍ଚିଲା ବେଳକୁ ରୋଗୀର ମୃତ୍ୟୁ ହୋଇସାରିଥିଲା। ଏ ସମ୍ପର୍କରେ ଜଣାପଡ଼ିବା ପରେ ପରିବାର ଲୋକେ ଡାକ୍ତରଖାନା ପରିସରରେ କାନ୍ଦବୋବାଳ କରିଥିଲେ। ସାମାନ୍ୟ ଥଣ୍ଡାଜ୍ଵରରେ ଆକ୍ରାନ୍ତ ହୋଇଥିବା ରୋଗୀର କିପରି ହଠାତ୍‌ ମୃତ୍ୟୁ ଘଟିଲା ତାହାକୁ ପରିବାର ଲୋକେ ସହଜରେ ଗ୍ରହଣ କରିପାରି ନଥିଲେ। ଯଦି ରୋଗୀଙ୍କ ମୃତ୍ୟୁ ହୋଇସାରିଥିଲା ତେବେ କାହିଁକି ଡାକ୍ତର ତାଙ୍କୁ କେନ୍ଦୁଝର ରେଫର କଲେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଏହାକୁ କେନ୍ଦ୍ରକରି ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିବାର ଲୋକଙ୍କୁ ବୁଝାସୁଝା କରିଥିଲେ। ମୃତ ସୁରେଶଙ୍କ ପୁଅ ବ୍ୟବଚ୍ଛେଦ ନ କରାଇ ଶବ ଘରକୁ ନେବାକୁ ଜିଦ୍‌ ଧରିଥିଲେ। ତିନିଘଣ୍ଟା ଧରି ପୁଲିସ ବୁଝାସୁଝା କରିବା ପରେ ଶେଷରେ ଶବ ବ୍ୟବଚ୍ଛେଦ ପାଇଁ ପାଟଣା ଡାକ୍ତରଖାନା ପଠା ଯାଇଥିଲା। ଏନେଇ ଘଟଗାଁ ଥାନାରେ ଏକ ମାମଲା ରୁଜୁ ହୋଇଛି।
ତେବେ ରୋଗୀଙ୍କୁ ଭୁଲ ଇଞ୍ଜେକ୍ସନ ଦିଆଯିବା ଅଭିଯୋଗକୁ ଡାକ୍ତର ମୁକ୍ତିକାନ୍ତ ନାୟକ ଖଣ୍ଡନ କରିଛନ୍ତି। ରୋଗୀର ଅକ୍ସିଜେନ ସ୍ତର କମିବା ପରେ ପରେ ତାଙ୍କୁ ଅକ୍ସିଜେନ ଲଗାଯାଇଥିଲା। କିନ୍ତୁ ପରିବାର ଲୋକେ ଏହାକୁ ବିରୋଧ କରିବା‌ ସହ ଅକ୍ସିଜେନକୁ ମେସିନକୁ ଖୋଲି ଦେଇଥିଲେ। ସେହିପରି ସୁରେଶ ଜଣେ ଶ୍ବାସ ରୋଗୀ ବୋଲି ଜଣାପଡ଼ିବା ପରେ ତାଙ୍କୁ ଆବଶ୍ୟକ ଚିକିତ୍ସା କରାଯାଉଥିଲା ବୋଲି ଡାକ୍ତର ନାୟକ କହିଛନ୍ତି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ‌ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର