ମୁଖ୍ୟ ଶାସନ ସଚିବଙ୍କୁ ଭେଟି ସ୍ମାରକପତ୍ର ଦେଲେ କ୍ରିୟାନୁଷ୍ଠାନ କମିଟିର ୧୮ଜଣିଆ ପ୍ରତିନିଧି ମଣ୍ଡଳୀ

ରାଇରଙ୍ଗପୁର: ଦୀର୍ଘ ଦିନର ଦାବି ଓ ଆନ୍ଦୋଳନ ପରେ ରାଜ୍ୟ ସରକାରଙ୍କ ତରଫରୁ ରାଇରଙ୍ଗପୁରକୁ ସ୍ୱତନ୍ତ୍ର ଜିଲା ଗଠନ ନେଇ ସବୁଜ ସଙ୍କେତ ମିଳିବା ପରେ ରାଇରଙ୍ଗପୁର ଜିଲା କ୍ରିୟାନୁଷ୍ଠାନ କମିଟି ତରଫରୁ ବିଶେଷ ତତ୍ପରତା ପ୍ରକାଶ ପାଇବାରେ ଲାଗିଛି। ଗତ ୫ତାରିଖରେ ସ୍ଥାନୀୟ ପିସିଏମ କ୍ଲବ ପରିସରରେ କ୍ରିୟାନୁଷ୍ଠାନ କମିଟି ଓ ରାଇରଙ୍ଗପୁର ଓକିଲ ସଂଘର ସଭାପତି ଅକ୍ଷୟ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ଅବିଭକ୍ତ ମୟୂରଭଞ୍ଜ ଜିଲାର ଭୌଗଳିକ ବିଶାଳତା ତଥା ଜିଲା ସଦର ମହକୁମା ଠାରୁ ବାମନଘାଟୀ ଉପଖଣ୍ଡର ଝାଡଖଣ୍ଡ ସୀମାନ୍ତବର୍ତ୍ତି ତିରିଂ, ବହଳଦା, ଜାମଦା, କୁସୁମୀ ଓ ରାଇରଙ୍ଗପୁର ବ୍ଲକ ୫୫ରୁ ୧୨୦କିମି ଦୂର ହେଉଥିବାରୁ ଲୋକେ ଶିକ୍ଷା, ସ୍ବାସ୍ଥ୍ୟ, ବିଭିନ୍ନ ଜରୁରୀ ପ୍ରଶାସନିକ କାର୍ଯ୍ୟପାଇଁ ସମସ୍ୟାବହୁଳ ଦ୍ୱାରଶୁଣୀ ଘାଟି ପାର ହୋଇ ଖର୍ଚ୍ଚାନ୍ତ ହେବା ସହ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇ ଆସୁଛନ୍ତି।

ସ୍ୱାଧୀନତା ୭୫ବର୍ଷ ପରେବି ଅନେକ ଅଂଚଳ ସୀମାନ୍ତବର୍ତ୍ତୀ ଅଂଚଳ ଏବେବି ଘୋର ଅବହେଳିତ ଓ ମୌଳିକ ସୁବିଧାରୁ ବଂଚିତ। ତିନିଚାରିଟି ବ୍ଲକ ଓ ପୌରପରିଷଦକୁ ନେଇ ଅତୀତରେ ଜିଲା ଗଠନ କରାଯାଇଥିବା ବେଳେ ବାମନଘାଟୀ ଉପଖଣ୍ଡର ସାତୋଟି ବ୍ଲକ ଓ ରାଇରଙ୍ଗପୁର ପୌରପରିଷଦକୁ ନେଇ ନୂତନ ଜିଲା ଗଠନ ଅତ୍ୟନ୍ତ ଯୁକ୍ତିଯୁକ୍ତ ଓ ଯଥାର୍ଥ । ରାଇରଙ୍ଗପୁରରେ ଜିଲା ସଦର ମହକୁମା ସ୍ଥାପନ ପାଇଁ ସମସ୍ତ ଭିତିଭୂମି ରହିଛି । ସବୁଠାରୁ ଉଲ୍ଲେଖନୀୟ ଯେ, ରାଇରଙ୍ଗପୁର ସହର ସମେତ ସମଗ୍ର ବାମନଘାଟୀ ଉପଖଣ୍ଡ ଏବେ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଭୂମି ଓ ଅତୀତରେ କର୍ମଭୂମି ଅଞ୍ଚଳ ଭାବେ ପ୍ରସିଦ୍ଧି ଲାଭ କରିଛି ଏହି ପରିପ୍ରେକ୍ଷୀରେ ଏହି ନ୍ୟାର୍ଯ୍ୟ ଦାବୀ ନେଇ ଶୁକ୍ରବାର ୮ତାରିଖ ଅପରାହ୍ନରେ ରାଇରଙ୍ଗପୁର ଜିଲା କ୍ରିୟାନୁଷ୍ଠାନ କମିଟି ତରଫରୁ ଏକ ୧୮ଜଣିଆ ପ୍ରତିନିଧିମଣ୍ଡଳୀ ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କୁ ରାଜ୍ୟ ସଚିବାଳୟରେ ଭେଟି ଦାବିପତ୍ର ପ୍ରଦାନ କରିଥିଲେ।

ରାଇରଙ୍ଗପୁର ଓକିଲ ସଂଘର ସଭାପତି ତଥା ରାଇରଙ୍ଗପୁର ଜିଲା କ୍ରିୟାନୁଷ୍ଠାନ କମିଟିର ସଭାପତି ଅକ୍ଷୟ କୁମାର ମହାନ୍ତିଙ୍କ ନେତୃତ୍ୱରେ ଏହି ୧୮ଜଣି୍ଆ ପ୍ରତିନିଧି ମଣ୍ଡଳୀରେ ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ, ତିନିଜଣ ପୂର୍ବତନ ବିଧାୟକଙ୍କ ମଧ୍ୟରୁ କଂଗ୍ରେସର ଲକ୍ଷ୍ମଣ ମାଝୀ, ଶ୍ୟାମଚରଣ ହାଁସଦାଃ, ଆଦିବାସୀ ନେତା ବହଳଦାର ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତି, ରାଜନୈତିକ ଦଳର ପ୍ରତିନିଧି, ଓକିଲ ସଂଘ, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା, ଗଣମାଧ୍ୟମର ପ୍ରତିନିଧି, ସମାଜସେବୀ ଶୁକ୍ରବାର ମଧ୍ୟାହ୍ନରେ ସଚିବାଳୟରେ ରାଜ୍ୟ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିସନର ପ୍ରଦୀପ କୁମାର ଜେନାଙ୍କୁ ଭେଟି ଆଲୋଚନା କରିବା ସହ ରାଇରଙ୍ଗପୁର ଜିଲା ଗଠନ ନେଇ ବିଧିବଦ୍ଧ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।

ରାଜ୍ୟସରକାର ଏ ନେଇ ଅବଗତ ଅଛନ୍ତି। କ୍ରିୟାନୁଷ୍ଠାନ କମିଟିର ଦାବି ପତ୍ର ସେ ରାଜ୍ୟସରକାରଙ୍କ ପ୍ରଦାନ କରିବେ ବୋଲି କହିବା ସହ ରାଇରଙ୍ଗପୁର ତଥା ବାମନଘାଟୀ ଉପଖଣ୍ଡରେ ତାଙ୍କ ଅତୀତର ସ୍ମୃତିଅନୁଭୂତି ମନେ ପକାଇଥିଲେ। ଜାନୁଆରି ମାସରେ ସେ ରାଇରଙ୍ଗପୁର ଗସ୍ତରେ ଯିବେ ବୋଲି କ୍ରିୟାନୁଷ୍ଠାନ କମିଟିକୁ ସୂଚନା ଦେଇଥିଲେ। ଏହି ପ୍ରତିନିଧି ମଣ୍ଡଳୀରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡି ସଦର ସଭାପତି କାଶୀନାଥ ହେମ୍ବ୍ରମ, ବିଜୁ ମହିଳା ମୋର୍ଚ୍ଚା ସଭାପତି ତନୁଜା ମହାନ୍ତ, ବିଜୁ ସେତୁ ଯୋଜନା ଉପଦେଷ୍ଠା ରତିକାନ୍ତ ପରୀକ୍ଷା, ଶକ୍ତି ବିଭାଗ ଉପଦେଷ୍ଠା ଦିପ୍ତୀମାନ ବଳ, ବରିଷ୍ଠ ବିଜେଡି ନେତା ପାର୍ଥସାରଥି କବି, ସଚିନ୍ଦ୍ର ଦାସ, ସୁବାଷ ମଣ୍ଡଳ, ଗୌରୀଶଙ୍କର ଦତତତ୍ତ, ବିଜେପି ରାଜ୍ୟ ସମ୍ପାଦକ ନବୀନ ରାମ, ବରିଷ୍ଠ ବିଜେପି ନେତା ମନରଞ୍ଜନ ମହାନ୍ତି, ବରିଷ୍ଠ ସାମ୍ବାଦିକ ମନୋଜ ଦାସ, ରାଇରଙ୍ଗପୁର ପ୍ରେସ କ୍ଲବ ସଭାପତି, ବରିଷ୍ଠ ସାମ୍ବାଦିକ ସୌରଭ ପଟ୍ଟନାୟକ ପ୍ରମୁଖ ମୁଖ୍ୟା ଶାସନ ସଚିବଙ୍କ ସହ ସାକ୍ଷାତ ଆଲୋଚନା ସମୟରେ ଉପସ୍ଥିତ ରହି ଦାବି ଉପସ୍ଥାପନ କରିଥିିଲେ।

ଏହାପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ କ୍ରିୟାନୁଷ୍ଠାନ କମିଟିର ଏକ ସବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଜ୍ଞାନରଞନ ହେମ୍ବ୍ରମ, ମନୁ ଚୌଧୁରୀ, ମୋମିତା ଚୌଧୁରୀ, ରାଇସେନ ମୁର୍ମୁ, କାଳୀପ୍ରସନ୍ନ ମହାନ୍ତି, ବିଜୟ ରାମ, କିଶୋର ରଜକ, ଦିନେଶ ବେହେରା, ବିଜୁ ଘଣା, ଅନଶନ ମହାନ୍ତ, ନିମାଇ ମାଝୀ, ରାମଚନ୍ଦ୍ର ମୁର୍ମୁ, ବଳଦେବ ହେମ୍ବ୍ରମ, ଜିତେନ୍ଦ୍ର ସାହୁ, ରାହୁଲ ଯାଦବ, ରାଜେନ୍ଦ୍ର ମଲ୍ଲିକ, ମାଝିଆରାମ ମାଝୀ, ମଦନ ରାଉତ, ବିଜୟଲକ୍ଷ୍ମୀ ମହାନ୍ତି, ଅମିୟ ମହାନ୍ତି ପ୍ରମୁଖ ୫୦ଜଣ ଉପସ୍ଥିତ ରହି ବିସ୍ତୃତ ଆଲୋଚନା କରିବା ସହ ଆଗାମୀ ରଣନୀତି ନିର୍ଦ୍ଦାରଣ ପାଇଁ ଦଳମତ ନିର୍ବିଶେଷରେ ଏକ ହୋଇ ଲଢିବାକୁ ନିଷ୍ପତ୍ତି ନେଇଥିଲେ।

ସମ୍ବନ୍ଧିତ ଖବର